ଜମି ବିବାଦରୁ ଯୁବକଙ୍କୁ ନୃଶଂସ ହତ୍ୟା, ୬ଗିରଫ

ଟିକିରି : ଜମିଜମା ବିବାଦକୁ କେନ୍ଦ୍ର କରି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡକଣା ଗ୍ରାମର ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଟାଙ୍ଗିଆ ଚୋଟରେ ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି। ଏହି ହତ୍ୟା ଘଟଣାର ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଭିଜା ଟାଙ୍ଗିଆ ଓ ଠେଙ୍ଗାକୁ ଜବତ କରିଛି।

ସୂଚନା ଅନୁଯାୟୀ, କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ପଞ୍ଚାୟତ ପୋଡକଣା ଗ୍ରାମର କିଛି ବ୍ୟକ୍ତି ଓ ଗୋଟିଏ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗି ରହିଛି। ଏହାକୁ କେନ୍ଦ୍ର କରି ଗତ ୩୦ତାରିଖରେ ଗ୍ରାମର କିଛି ବ୍ୟକ୍ତି ସେହି ଗ୍ରାମର ପଅଁଲ ମାଝୀ, ବଡ ପୁଅ ରାଜୁ ଓ ସାନ ପୁଅ ଛେଲିଆଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିଥିଲେ। ପରେ ସମସ୍ତଙ୍କୁ ଟାଣି ଟାଣି ବାହାରକୁ ନିଆଯାଇଥିଲା। ତେବେ ଏହି ଦିନ ଠାରୁ ଛେଲିଆର ଖୋଜଖବର ମିଳୁୁନଥିବା ନେଇ ପଅଁଲା ମାଝୀ ୩ତାରିଖରେ ଟକିରି ଥାନାରେ ଏତଲା ଦେଇଥିଲେ। ପୋଡ଼କଣା ଗାଁ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୁଲିସ ସତର୍କତାର ସହ ତଦନ୍ତ କରି ଗାଁର କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରରାଉଚରା ପରେ ଗତ ୩୦ତାରିଖରେ ଗାଁ ଠାରୁ ଦେଢ କିଲୋମିଟର ଦୂର ଏକ ଜଙ୍ଗଲ ଭିତରେ ଛେଲିଆଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ଗ୍ରାମର ସନୁ ମାଝୀ, ନରି ମାଝୀ, ବୁଲି ମାଝୀ, କୁଶ ମାଝୀ, କୁଷଣ ମାଝୀ ଓ ମଚର ମାଝୀ ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ। ପ୍ରଥମେ ଠେଙ୍ଗା ଦ୍ୱାରା ପିଟି ଛେଲିଆଙ୍କୁ ହତ୍ୟା କରାଯିବା ପରେ ଏକ ଟାଙ୍ଗିଆ ଦ୍ୱାରା ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଦିଆଯାଇଥିବା ଅଭିଯୁକ୍ତ ମାନେ କହିଥିଲେ।

ପରେ ପୁଲିସଙ୍କ ସହ ଅଭିଯୁକ୍ତ ମାନେ ଘଟଣାସ୍ଥଳକୁ ନେଇଥିଲେ। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଭିଜା ଟାଙ୍ଗିଆ ଓ ଠେଙ୍ଗା ସମେତ ଛେଲିଆଙ୍କ ଶବ ଉଦ୍ଧାର କରିଥିଲା। ଜମିଜମା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ମୃତ ଛେଲିଆ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ମାସେ ତଳେ ଘରକୁ ଫେରିଥିଲେ। ଏନେଇ ଟିକିରି ଥାନାରେ କେଶ୍‌ ନଂ-୯୧/୧୭ ଓ ଦଫା ୧୪୭, ୩୨୩, ୩୨୫, ୩୬୩, ୩୫୪, ୩୦୨, ୨୦୧, ୫୦୬, ୧୪୯ଆରିପିସି ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତି ସଂପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର