ଗୋଟିଏ ରାତିରେ ୩ଟି ଘରୁ ଚୋରି

0 220

କୋଲନରା: କୋଲନରା ବ୍ଲକ ସଦର ମହକୁମାର ବ୍ରାହ୍ମଣ ସାହିର ୩ଟି ଘରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବ୍ରାହ୍ମଣ ସାହିର ଗୌରାଙ୍ଗ ମନ୍ଦିର ସମ୍ମୁଖରେ ରହୁଥିବା ସ୍ୱର୍ଗତ ମୁଦୁଲି ମନ୍ମଦ ରାଓଙ୍କ ପତ୍ନୀ ଓ ଦୁଇ ଝିଅ ଆନ୍ଧପ୍ରଦେଶ ଯାଇଥିଲେ। ଘରେ କେହି ନଥିବାରୁ ସୁଯୋଗ ନେଇ ଗତକାଲି ଦୁର୍ବୃତ୍ତ ଏହି ଘରେ ପଶି କିଛି ସାମଗ୍ରୀ ଚୋରି କରି ନେଇଥିବା ଜଣାପଡିଛି। ଆଜି ସକାଳେ ପରିବାର ଲୋକ ଘରେ ପହଞ୍ଚିବା ପରେ ଚୋରି ହେବା ନେଇ ଜାଣିଥିଲେ। ସେହିପରି ରାଧାରମଣ ସାହୁ ବିଶାଖାପାଟଣା ଯାଇଥିବା ବେଳେ ତାଙ୍କ ଘରେ ପଶି ଦୁର୍ବୃତ୍ତ ଏକ ପାଓ୍ଵାର ବେଟରି ଚୋରି କରିବାକୁ ଉଦ୍ୟମ କରିଥିଲେ। ତେବେ ଅଧିକ ଓଜନ ଥିବାରୁ ଏହାକୁ ନେଇ ପାରିନଥିଲେ। ଏହି ସାହିର ଶିକ୍ଷକ ପ୍ରଦୀପ ସାହୁଙ୍କ ଘରେ ପଶି ୨ଟି ମୂଲ୍ୟବାନ ବୁଟ୍‌ ଚୋରି କରିଥିବା ଜଣାପଡିଛି। ଅନ୍ୟପଟେ ଦୁର୍ବୃତ୍ତ ମାନେ ଗୋଟିଏ ମୋବାଇଲ ଛାଡି ଚାଲି ଯାଇଛନ୍ତି। ଏନେଇ କେହି ଥାନାରେ ଅଭିଯୋଗ କରିନଥିବା ସୂଚନା ମିଳିଛି। ଗୋଟିଏ ରାତିରେ ୩ଟି ଘରୁ ଚୋରି ହେବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାତିରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.