ବଢ଼ୁଛି ଖରା, ଜଳଛତ୍ର ଖୋଲିବାରେ ବିଳମ୍ବ

ଟିକିରି: କାଶୀପୁର ବ୍ଲକରେ ଖରା ଦିନକୁ ଦିନ ବଢ଼ୁଥିବା ବେଳେ ବ୍ଲକର ଅଧିକାଂଶ ପଞ୍ଚାୟତରେ ଏଯାଏଁ ଜଳଛତ୍ରର ଦେଖା ମିଳୁ ନାହିଁ। ଗ୍ରାମ ପଞ୍ଚାୟତ ପକ୍ଷରୁ ଲୋକେ ଯାତାୟାତ କରୁଥିବା ଛକ, ବସ ରହଣୀ ସ୍ଥଳ, ହାଟ, ବଜାର ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବାର ନିୟମ ରହିଛି। କିନ୍ତୁ ଚଳିତ ବର୍ଷ ଟିକିରି ପଞ୍ଚାୟତ ସହିତ ଆଉ କିଛି ପଞ୍ଚାୟତରେ ଜଳଛତ୍ର ଖୋଲିବାରେ ବିଳମ୍ବ ଦେଖାଦେଇଛି। ତୁରନ୍ତ ଜଳଛତ୍ର ଖୋଲିବା ସହ ଅଂଶୁଘାତର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ସେହିପରି ଖରା ଯୋଗୁଁ ଟିକିରିର ପୁଲିସ ଥାନା ଓ ରେଞ୍ଜ ଅଫିସ ଠାରେ ଥିବା କିଛି ଗଛ ଡାଳରେ ଝୁଲି ରହିଥିବା ବାଦୁଡି ଆଉଟୁ ପାଉଟୁ ହେଉଛନ୍ତି। ଏହି ନିଶାଚର ପ୍ରାଣୀଙ୍କ ରହିବାରେ ସ୍ଥାନଟି ନିରାପଦ ଥିବାରୁ ସ୍ଥାନ ଛାଡି ନଯାଇ ବଂଶ ବିସ୍ତାର କରୁଛନ୍ତି। ବ୍ଲକର ଟିକିରି ସହିତ ଅଳ୍ପ କିଛି ସ୍ଥାନରେ ବାଦୁଡି ରହୁଥିବା ଜଣାଯାଇଛି। ବାଦୁଡିର ମାଂସକୁ ଖାଇଲେ କୁଆଡେ ଶ୍ବାସ ରୋଗ ଭଲ ହେଉଥିବାରୁ କିଛି ଜଣ ବାଦୁଡି ଶିକାର କରୁଛନ୍ତି। କିନ୍ତୁ, ଟିକିରିରେ ବାଦୁଡି ମାନେ ନିରାପଦ ସ୍ଥାନରେ ରହୁଥିଲେ ସୁଦ୍ଧା ଖରାତାତିରୁ ରକ୍ଷା ପାଇବା ପାଇଁ ପୋଖରୀ ପାଣିରେ ବୁଡିବା ବେଳେ ଦୃଷ୍ଟ ପ୍ରକୃତିର ଲୋକେ ଟେକା ମାରି ତଳକୁ ଖସାଇ ଦେଉଥିବା ଅଭିଯୋଗ ହୋଇଛି। ଏହି ବିଲୁପ୍ତ ପ୍ରଜାତିର ପ୍ରାଣୀ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର