ଓଲଟିଲା ଟାଟା ମେକ୍ସିମୋ, ବର୍ତିଲେ ଯାତ୍ରୀ

ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଟାଟା ମେକ୍ସିମୋ ଓଲଟି ପଡିଛି। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ଆଜି ମୁକୁନ୍ଦପୁରରୁ ଏକ ଟାଟା ମେକ୍ସିମୋ(ଓଆର ୨୦ଏ ୦୮୦୭) କିଛି ଯାତ୍ରୀଙ୍କୁ ବସାଇ ଓ୍ଵାର୍ଧା ଅଭିମୁଖେ ଯାଉଥିଲା। ତେବେ ଜଗନ୍ନାଥପୁର ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡିକୁ ସାଇଡ୍‌ ଦେବା ସମୟରେ ହଠାତ୍‌ ଟାଟା ମେକ୍ସିମୋ ଓଭରଲୋଡିଂ ଯୋଗୁଁ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ସୌଭାଗ୍ୟବଶତଃ ଗାଡିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତି ଯାଇଥିଲେ। ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଗାଡି ଚଳାଚଳ କରୁଛି। ତେବେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ବେଳେବେଳେ ଛୋଟବଡ ଦୁର୍ଘଟଣା ଘଟୁଥିଲେ ହେଁ ରାସ୍ତା ମରାମତି ନିମନ୍ତେ ପ୍ରଶାସନ ଦୃଷ୍ଟି ଦେଉନି। ଅନ୍ୟପଟେ ରାସ୍ତା ଖରାପ ଥିଲେ ହେଁ ଗାଡି ଡ୍ରାଇଭର ମାନେ ଅଧିକ ଟଙ୍କା ଆଶାରେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀଙ୍କୁ ଗାଡିରେ ଭର୍ତି କରି ନେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ମରାମତି ସହ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ଗାଡି ଉପରେ ପ୍ରଶାସନ ଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର