ଟ୍ରକ୍‌-ଅଟୋ ମୁହାଁମୁହିଁ, ୪ଗୁରୁତର

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଝାମରାଗୁଡା ନିକଟରେ ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ରହିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ପାତ୍ରଗୁଡା ଅଞ୍ଚଳର ୩ଜଣ ଏକ ଅଟୋ(ଓଆର ୧୨ବି ୪୪୧୨) ଯୋଗେ ମୁନିଗୁଡା ଅଭିମୁଖେ ଆସୁଥିଲେ। ତେବେ ଝାମରାଗୁଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌(ଟିଏନ ୮୮ସି ୨୮୫୦) ସହ ଏହି ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋ ଚାଳକ ଓ ଅନ୍ୟ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଲାଞ୍ଜିଗଡ ପଟୁ ଆସୁଥିବା କିଛି କର୍ମଚାରୀ ଗୁରୁତରଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୁନିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଗର୍ଭବତୀ ମହିଳା ଝୁନୁ କାରସିକା, ଭାସ୍କର, ଶରତ ଟାକ୍ରି ଓ ତାପସ ପାତ୍ର ଗୁୁରୁତର ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର