ଘଣ୍ଟାକ ମଧ୍ୟରେ ଦୁଇଟି ଦୁର୍ଘଟଣା:ଟ୍ରକ ଧକ୍କାରେ ଜଣେ ମୃତ, ବାଇକରୁ ପଡି ମହିଳା ଗୁରୁତର

ରାୟଗଡା: ରାୟଗଡାରେ ନୂଆ ବର୍ଷର ପ୍ରଥମ ଦିନରେ ଦୁଇଟି ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଦ୍ରୁତଗତିରେ ଜେକେପୁରରୁ ରାୟଗଡା ଅଭିମୁଖେ ଆସୁଥିବା ଟ୍ରକ (ଏପି ଏମଇଟିଓ ୪୮୬୯)ର ପାଲ ଦୌଡ଼ି ବାହାରି ଚକରେ ଗୁଡେଇ ହୋଇଯିବାରୁ ଭାରସାମ୍ୟ ହରାଇ ପ୍ରଥମେ ନିକଟସ୍ଥ ଏକ ପୋଲକୁ ଧକ୍କାଦେବା ପରେ ଗୌରୀ ଶଙ୍କରଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଗୌରୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଗୌରୀ ଜେକେ କାଗଜ କଳରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆଜି ସନ୍ଧ୍ୟାରେ ନିଜ ଘର ନାଇଡ଼ୁପେଟାରୁ ଜେକେପୁର ଚାଲି ଚାଲି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଖବର ପାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ।

ଫଳରେ ଜେକେପୁରରୁ ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଚାନ୍ଦିଲି ଥାନା ଆଇଆଇସି ମନୋଜ ବେହେରା ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ରାତି ୮ଟା ବେଳେ ରାସ୍ତା ଅବରୋଧ ହଟି ଯାତାୟାତ ସ୍ୱାଭାବିକ ହୋଇଥିଲା। ସେହିପରି ସନ୍ଧ୍ୟା ୬ଟାରେ ମା’-ପୁଅ ମୋଟର ସାଇକେଲରେ ନିଜ ଗାଁ ରାୟଗଡ଼ାରୁ କୋଲନରା ବ୍ଲକର ଗାଡ଼ି ଶେଷଖାଲ ଯାଉଥିବା ବେଳେ ରିଭଲକଣା ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ମା’ ରାମ୍ଭା ସାଇ ଗୁରୁତର ଆହତ ହୋଇଥିବା ବେଳେ ପୁଅ ସତୀଶ ସାମାନ୍ୟ ଆହତ ହୋଇଥିଲେ। ଦୁହିଁଙ୍କୁ ଆମ୍ବୁଲାନ୍‌ସରେ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏହି ଦୁଇଟି ଦୁର୍ଘଟଣାର ତଦନ୍ତ ଚାନ୍ଦିଲି ପୁଲିସ କରୁଛି।

ସମ୍ବନ୍ଧିତ ଖବର