ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଆହତ

ବନ୍ଧୁଗାଁ: ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ଘାଟି ଅଞ୍ଚଳ ଉତୁକାପାଡୁ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଗାରିଡି ଗ୍ରାମର ସନିଆ ଖୋସଲା(୬୮) ବୋଲି ଜଣାପଡିଛି। ଆହତ ତିନି ଜଣ ମଧ୍ୟରୁ ଗାରିଡି ଗ୍ରାମର ବାରିକ ବିଡିକା(୩୫) ଏବଂ ଗାଦବାଲସା ଗ୍ରାମର ବି.ଚିନ୍ନିକ୍ରିଷ୍ଣା(୩୦)ଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଆହତ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କାତିପଡା ଗ୍ରାମର ତ୍ରିନାଥ ନାଗବଂଶ(୨୫) ବନ୍ଧୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ଗାଦବାଲସା ଗ୍ରାମର ଚିନ୍ନିକ୍ରିଷ୍ଣା କାତିପଡା ଗ୍ରାମର ତ୍ରିନାଥ ସହ ରାୟଗଡାରୁ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଉତୁକାପାଡୁ ନିକଟରେ କୁମ୍ଭାରୀପୁଟରୁ ନିଜ ଗାଁ ଗାରିଡି ଫେରୁଥିବା ବାରିକ ଏବଂ ସନିଆଙ୍କ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସନିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିଲେ।

ନିକଟସ୍ଥ ଗ୍ରାମବାସୀ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବନ୍ଧୁଗାଁ ମେଡିକାଲରେ ଭର୍ତି କରିଥିଲେ। ଚିନ୍ନିକ୍ରିଷ୍ଣା ଏବଂ ବାରିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବରପାଇ ବନ୍ଧୁଗାଁ ପୁଲିସ ଏସ୍‌ଆଇ ରାଧାରମଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବାଇକ୍‌କୁ ଜବତ କରିବା ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି। ମୃତ ବ୍ୟକ୍ତିର ବନ୍ଧୁଗାଁ ମେଡିକାଲରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଥାଉକି, ବାରିକଙ୍କ ଘରକୁ ଶାଶୁ ଆସିଥିବାରୁ ଅତିଥି ସତ୍କାର ପାଇଁ କୁମ୍ଭାରୀପୁଟରୁ କୁକୁଡା କିଣି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର