କାଶୀପୁରରେ ବଜ୍ରାଘାତ: ଚାଷ ପାଇଁ ପାହାଡ଼ ସଫା କରୁଥିବା ବେଳେ ୨ ଭାଇ ମୃତ, ଜଣେ ଗୁରୁତର

ରାୟଗଡ଼ା: କାଶୀପୁର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ବଜ୍ରାଘାତ ହେବାରୁ ୨ ଭାଇଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ପାଇଁ ନିଆଯାଉଛି। ସୂଚନା ଅନୁସାରେ ମାଣ୍ଡିବିସି ଗ୍ରାମପଞ୍ଚୟତ ଅନ୍ତର୍ଗତ ଆଳୁତୁମ୍ବା ଗାଁ ନିକଟରେ ଥିବା ପାହାଡ଼ ସଫା କରି ଚାଷ ପାଇଁ କାମ କରୁଥିବା ବେଳେ ମାନୁ ସିଂହ ମାଝୀ(୨୫), ସୁବାଷ ସିଂହ ମାଝୀ(୩୦) ଓ ସୁନା ସିଂ ମାଝୀ ବଜ୍ରାଘାତର ଶିକାର ହୋଇଥିଲେ।

ମାନୁ ଓ ସୁବାଷ ଦୁଇଭାଇ ହୋଇଥିବା ବେଳେ ସୁନା ସେମାନଙ୍କର ସମ୍ପର୍କୀୟ ଅଟନ୍ତି ବୋଲି ଜଣାପଡ଼ିଛି। ବଜ୍ରପାତ ସମ୍ପର୍କରେ ସୂଚନା ପାଇବା ପରେ ଗାଁ ଲୋକେ ପାହାଡ଼କୁ ଯାଇଥିଲେ। ସେହି ସମୟରେ ମାନୁ ଓ ସୁବାଷଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସୁନା ଗୁରୁତର ଭାବରେ ଛଟପଟ ହେଉଥିଲେ। ସେମାନଙ୍କୁ ଆଳୁତୁମ୍ବା ନିଆଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସୁନା ସିଂଙ୍କୁ ଚିକିତ୍ସା ପାଇଁ ମାଣ୍ଡିବିସି ନିଆଯିବାକୁ ପ୍ରସ୍ତୁତି ଚାଲିଛି।

ସୂଚନାଯୋଗ୍ୟ ଆଳୁତୁମ୍ବା ଗାଁ ମାଣ୍ଡିବିସି ଗ୍ରାମପଞ୍ଚାୟତରେ ଥିଲେ ମଧ୍ୟ ଦୂରତା ହେଉଛି ୧୮ କିମି। ଆଳୁତୁମ୍ବା ଗାଁ ଲୋକେ ୩ଟି ପାହାଡ ଦେଇ ନିଜ ଗ୍ରାମପଞ୍ଚାୟତକୁ ଯାଇଥାନ୍ତି।

 

ସମ୍ବନ୍ଧିତ ଖବର