ମଦ କାରବାର ଅଭିଯୋଗରେ ଜଣେ ଗିରଫ

ଗୁଣପୁର: ଗତ କିଛି ମାସ ହେଲା ଗୁଣପୁର, ପଦ୍ମପୁର, ରାମନାଗୁଡା ଓ ପଦ୍ମପୁର ଅଞ୍ଚଳକୁ ନିଶାମୁକ୍ତ ଅଞ୍ଚଳ ଭାବେ ଗଠନ କରିବା ଦାବି ତୀବ୍ରତର ହେବାରେ ଲାଗିଥିଲା। ଏହାପରେ ଆଜି ପୁଲିସ ବେଆଇନ ମଦ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ସୁରେନ୍ଦ୍ର ସେନାପତିଙ୍କ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ତେଣୁ ସୁରେନ୍ଦ୍ରକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି।  ସୂଚନାଯୋଗ୍ୟ, କେନ୍ଦୁଗୁଡା ଅଞ୍ଚଳ‌ରେ ବେଆଇନ ଭାବେ ବ୍ୟାପକ ମଦ କାରବାର ଚାଲିଥିବା ନେଇ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ତେଣୁ ସ୍ଥାନୀୟ ମହିଳମାନେ ଏହାର ପ୍ରତିବାଦ କରିବା ସହ ବାରମ୍ବାର ବିରୋଧ କରି ଆସୁଥିଲେ। ମଦ ଯୋଗୁଁ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ଲୋକେ ସର୍ବସ୍ବାନ୍ତ ହେଉଛନ୍ତି। ଏଥିପାଇଁ ବିକ୍ରି ବନ୍ଦ କରିବାକୁ ସ୍ଥାନୀୟ ମହିଳାମାନେ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ଏପରିକି ଦୁଇ ସପ୍ତାହ ତଳେ ସମାଜସେବୀ ବଳରାମ ପଣ୍ତାଙ୍କ ନେତୃତ୍ବରେ ଗୁଣପୁର, ଗୁଡାରୀ, ରାମନାଗୁଡା ଓ ପଦ୍ମପୁର ବ୍ଲକର ହଜାର ହଜାର ମହିଳା ପଦ୍ମପୁରରୁ ଚାଲିଚାଲି ଦୀର୍ଘ ୨୨କିମି ଅତିକ୍ରମ କରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିଶାମୁକ୍ତ ଅଞ୍ଚଳ ଗଠନ କରିବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର