ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଯୁବତୀ ମୃତ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଘନାନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ମେରିଙ୍ଗି ଗ୍ରାମର ଜଣେ ଯୁବତୀଙ୍କ ମହେନ୍ଦ୍ର ତନୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମେରିଙ୍ଗି ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କଳ୍ପନା ବେହେରା(୨୫) ଆଜି ସକାଳ ପ୍ରାୟ ୭ଟାରେ ଗାଁ ପାର୍ଶ୍ୱରେ ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ନଦୀ ତୋଠରେ ହଠାତ୍‌ ଗୋଡ ଖସିଯିବାରୁ କଳ୍ପନା ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପାଖରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକେ କଳ୍ପନାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଦୀର୍ଘ ଦେଢ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ନଦୀରୁ କଳ୍ପନାଙ୍କ ଶବ ଉଦ୍ଧାର ହୋଇଥିଲା।

ଖବର ପାଇ ଗୁଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏନେଇ କେଶ୍‌ ନଂ-୬/୧୮ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତ କଳ୍ପନା ରାମନାଗୁଡା ବ୍ଲକ ସମ୍ବାଦ ପ୍ରତିନିଧି ବିଶ୍ୱନାଥ ସେନାପତିଙ୍କ ଭାଣିଜୀ ଥିଲେ। ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ, ବାଳି ଗମାଙ୍ଗ, ସମିତି ସଭ୍ୟ ଶ୍ରୀଧର ଶବର, କୈଳାଶ ଷଡଙ୍ଗୀ ପ୍ରମୁଖ ଗୁଣପୁର ମେଡିକାଲରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ମୃତ କଳ୍ପନାଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର