ଜୟପୁର: ୧୮ ଘଣ୍ଟା ପରେ ବି ପଥର ଖସୁଥିବାରୁ ପାହଡ଼ ତଳେ ଚାପି ହୋଇଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରୁ ନାହିଁ

ଜୟପୁର: ଏକ ଜଳସେଚନ ପ୍ରକଳ୍ପ ପାଇଁ ପଥର କଟା ଯାଉଥିବା ବେଳେ ଆକସ୍ମିକ ଭାବେ ପାହଡ ଧସି ଯିବାରୁ ଦୁଇଜଣ ଜେସିବି ଅପରେଟର ପଥର ତଳେ ଚାପି ହୋଇ ରହିଛନ୍ତି। ଗତକାଲି ଅପରାହ୍‌ଣ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଇତିମଧ୍ୟରେ ୧୮ ଘଣ୍ଟା ବିତି ସାରିଥିଲେ ମଧ୍ୟ ପଥର ତଳେ ଚାପି ହୋଇ ରହିଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ଏ ପର୍ଯ୍ୟନ୍ତ ଉପରୁ ପାହାଡ଼ ଖସୁ ଥିବାରୁ କେହି ସାହସ କରି ପଥର ତଳେ ଚାପି ହୋଇଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବାକୁ ଯାଇ ପାରୁ ନାହାଁନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତେଲିଙ୍ଗିରୀ ଜଳସେଚନ ପ୍ରକଳ୍ପ ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବୋରିପୁଟ ଠାରେ ଗତକାଲି ଦୁଇଟି ଜେସିବି ନେଇ ଏହାର ଅପରେଟରମାନେ ମାଟି କାଢ଼ୁଥିଲେ। ଏହି ସମୟରେ ନିକଟରେ ଥିବା ଏକ ପାହାଡ଼ ହଠାତ ଧସିଯିବା ସହିତ ଏଥିରୁ ବଡ଼ବଡ଼ ପଥର ଖଣ୍ଡମାନ ଖସି ଥିଲା। ପଥର ଖଣ୍ଡ ଗୁଡ଼ିକ ଜେସିବି ମେସିନ ଉପରେ ପଡ଼ି ଯିବାରୁ ଏହା ପୋତି ହୋଇଯାଇଥିଲା। ଫଳରେ ଜେସିବି ଦୁଇଟିର ଅପରେଟର ତଥା ଦେବଗଡ଼ ଜିଲ୍ଲାର ସଞ୍ଜୟ ଦାଶ ଓ ଘନଶ୍ୟାମ ଗୁରୁ ପଥର ତଳେ ଚାପି ହୋଇ ରହିଯାଇଥିଲେ। ଏହି ଖବର ପହଞ୍ଚିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମାତ୍ର ଏବେ ବି ଉପରୁ ପଥର ଖସୁଥିବାରୁ ପଥର ତଳେ ଚାପି ହୋଇ ରହିଥିବା ଶ୍ରୀ ଦାଶ ଓ ଶ୍ରୀ ଗୁରୁଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର