ଫକୀରମୋହନ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶିତ, ଟପର ତାଲିକାରେ ୟୁଏନ୍‌ କଲେଜରୁ ୪ ଛାତ୍ରଛାତ୍ରୀ

୨୧ ଜଣ ଟପରଙ୍କ ମଧ୍ୟରୁ ୧୯ ଜଣ ଛାତ୍ରୀ, ପୂର୍ବବର୍ଷ ଅପେକ୍ଷା କମିଲା ପାସ୍‌ହାର

ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ଯୁକ୍ତତିନି ଶେଷବର୍ଷର କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ଚଳିତବର୍ଷ ପାସ୍‌ହାର ୮୨.୫ ପ୍ରତିଶତ ରହିଛି। ଗତବର୍ଷ ୮୫ ପ୍ରତିଶତ ତୁଳନାରେ ଏ ବର୍ଷର ପାସ୍‌ହାର କମିଛି। ତେବେ ଏଥିରେ ବିଭିନ୍ନ ବିଷୟରୁ ୨୧ ଜଣ ଛାତ୍ରଛାତ୍ରୀ ଟପର ହୋଇଛନ୍ତି। ଟପରଙ୍କ ମଧ୍ୟରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରିଥିବା ଜଣାପଡ଼ିଛି।

ଟପ୍ପର ମାନଙ୍କ ମଧ୍ୟରୁ ୟୁଏନ୍‌ କଲେଜ ଛାତ୍ରୀ ସଂଯୁକ୍ତା ବେହେରା ଅର୍ଥଶାସ୍ତ୍ରରେ, ଅଜୟ କୁମାର ପରିଡ଼ା ଦର୍ଶନଶାସ୍ତ୍ରରେ, ଦେବଶ୍ରୀ ଦ୍ଵିବେଦୀ ରସାୟନ ବିଜ୍ଞାନରେ, ଋତୁପର୍ଣ୍ଣା ଦାସ ଜୀବ ବିଜ୍ଞାନରେ, ଆରଆଇଏଚ୍‌ଏସ୍‌ ଭୋଗରାଇର ସୁଚିତ୍ରା ରାଉତ ଶିକ୍ଷାରେ ଏବଂ ଅନୁଶ୍ରୀ ପାତ୍ର ସଂସ୍କୃତରେ, ଝାଡ଼େଶ୍ୱର ଡିଗ୍ରୀ କଲେଜର ସଂଧ୍ୟାରାଣୀ ବେହେରା କମ୍ପୁଟର ସାଇନ୍‌ସ ଓ ନମିତା ରାଉତ ଗଣିତରେ, ଭଦ୍ରକ ମହିଳା କଲେଜର ସଲମା ଖାତୁନ ଉର୍ଦ୍ଦୁରେ ଓ ଶ୍ରୁତିପ୍ରଭା ପଣ୍ଡା ସମାଜ ଶାସ୍ତ୍ରରେ, ବିନାୟକ ଡିଗ୍ରୀ କଲେଜ, ଭଦ୍ରକର ଛାତ୍ରୀ ପ୍ରତ୍ୟୁଷା ନାୟକ ଉଦ୍ଦିଦ ବିଜ୍ଞାନରେ, ଶ୍ରୀନିବାସ କଲେଜ ମଙ୍ଗଳପୁର ବାଲେଶ୍ୱରର ପ୍ରଜ୍ଞାରାଣୀ ଦାସ ଇଂରାଜୀରେ, ଗୋପାଳପୁର କଲେଜର ବିଷ୍ଣୁପ୍ରିୟା ସାହୁ ହିନ୍ଦୀରେ, ଔପଦା କଲେଜର ଛାତ୍ରୀ ଜ୍ୟୋସ୍ନାଞ୍ଜଳି ସାହୁ ଇତିହାସରେ, ନୀଳଗିରି ମହିଳା କଲେଜର ମନିଷା ପାଣିଗ୍ରାହୀ ଗୃହବିଜ୍ଞାନରେ, ଖଇରା କଲେଜର ପୁଷ୍ପଲତା ନାୟକ ଓଡ଼ିଆରେ, ଜମ୍ବେଶ୍ୱର କଲେଜ ଗରସଙ୍ଗ ଖଇରାର ହରପ୍ରିୟା ମହୁରୀ ରାଜନୀତି ବିଜ୍ଞାନରେ, କୁନ୍ତଳାକୁମାରୀ ସାବତ ମହିଳା କଲେଜର ଛାତ୍ରୀ ଜ୍ୟୋସ୍ନା ଜେନା ମନୋବିଜ୍ଞାନରେ, ବିଏନ୍‌ଏମଏ କଲେଜ ପାଳିଆବିନ୍ଧା ଭଦ୍ରକର ଛାତ୍ରୀ ସ୍ୱପ୍ନପ୍ରଭା ପାଣିଗ୍ରାହୀ ସାଧାରଣ ପ୍ରଶାସନ, ସୁବର୍ଣ୍ଣରେଖା ମହାବିଦ୍ୟାଳୟ ବାଲିଆପାଳର କିଶନ କୁମାର ପ୍ରଧାନ ପଦାର୍ଥ ବିଜ୍ଞାନରେ ଓ ସିମୁଳିଆ କଲେଜର ହେମନ୍ତ ସ୍ୱାଇଁ ବାଣିଜ୍ୟରେ ଟପର ହୋଇଥିବା ଜଣାଯାଇଛି।

ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଉଭୟ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଥିବା ୭୩ଟି ଡିଗ୍ରୀ କଲେଜରୁ ମୋଟ୍‌ ୧୩,୭୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେଯ ତନ୍ମଧ୍ୟରୁ ୧୧୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪୦୬ ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି। ତେବେ କଳା, ବାଣିଜ୍ୟ ଓ ବିଜ୍ଞାନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାସ୍‌ହାର ଯଥାକ୍ରମେ ୮୭.୭%, ୭୭.୭% ଓ ୬୨.୬% ରହିଛିଯ ତେବେ ୨୧ ଜଣ ଟପର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯ ଜଣ କେବଳ ଛାତ୍ରୀ ଥିବା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏସ୍‌ଏନ୍‌ ଦେହୁରି କହିଛନ୍ତି।

ସମ୍ବନ୍ଧିତ ଖବର