କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡି ଧର୍ମକୁ ଆଖିଠାର ସାଜିଛି, ମଣ୍ଡି ଖୋଲିବା ନେଇ ବିଳମ୍ବ, ଚାଷୀ ମୁଣ୍ଡରେ ଚଡକ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ଭାନପୁର, ନାନ୍ଦୁଲ ଓ ସିକେରକୁପା ସମେତ ୩ ମଣ୍ଡି ଖୋଲିଥିବା ବେଳେ ୯୩୬ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଅନ୍ୟ ମଣ୍ଡି ଗୁଡିକ କେବେ ଖୋଲବ ସେନେଇ ଚାଷୀ ମହଳରେ ଉଦବେଗ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଧାନ କ୍ରୟ ପାଇଁ ୧୬ ଲକ୍ଷ ୨୩ ହଜାର ୫୦୦ କୁଇଣ୍ଟାଲ ଧାନ ଟାର୍ଗେଟ ଅଛି । ଜିଲ୍ଲାରେ ଧାନ ବିକ୍ରି ପାଇଁ ୩୩ ହଜାର ୭୬୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି ।୧୩୩ ଟି ଧାନମଣ୍ଡି ରେ ୬୦ ଜଣ ମିଲର୍ସ, ୬୪ଟି ପ୍ୟାକ୍ସ ଓ ୨୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣାଯିବ ।

କରୋନା ପାଇଁ ଲକଡାଉନ ଯୋଗୁଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବିଳମ୍ବ ରେ ବସିଥିଲା । ଏହି କମିଟି ନିଷ୍ପତ୍ତି ଅନୁଯାୟୀ ମେ ୧୦ ତାରିଖ ଠାରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗତ ମେ ୧୨ ତାରିଖରେ ନର୍ଲା ବ୍ଲକର ଭାନପୁର ଠାରେ ପ୍ରଥମ ମଣ୍ଡି ଆରମ୍ଭ ହୋଇଛି । ବର୍ତ୍ତମାନ ଜୁନାଗଡ଼ ବ୍ଲକର ନାନ୍ଦୋଳ ଓ ଲାଞ୍ଜିଗଡ଼ ବ୍ଲକର ସିକେରକୁପା ମଣ୍ଡି ଖୋଲିଛି । ଅନ୍ୟ ୧୩୦ ଟି ମଣ୍ଡି ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । କେନାଲ ରେ ବିଳମ୍ବରେ ପାଣି ଛଡା ଯିବା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୦ ପ୍ରତିଶତ ଧାନ ଅମଳ ହୋଇଛି । ଯେଉଁ ମାନଙ୍କ ଧାନ ଅମଳ ହୋଇଛି ସେ ଚାଷୀ ମାନଙ୍କ ଧାନ ଟୋକନ ଜୁନ ମାସରେ ବିକ୍ରି କରିବା ପାଇଁ ଦିଆଯାଇଛି ।

ଯେଉଁ ଅଞ୍ଚଳର ଧାନ ଅମଳ ହୋଇନାହିଁ ସେମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୋକନ ମିଳିଛି । ଫଳରେ ଧାନ ଅମଳ ହୋଇଥିବା ଅଞ୍ଚଳର ଚାଷୀ ଟୋକନ ତାରିଖ ଆଗକୁ ଥିବା ଯୋଗୁଁ ଧାନ ଘରେ ରଖି ଜୁନ ମାସକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଟୋକନ ତାରିଖ ଷଡ଼ଯନ୍ତ୍ର ନେଇ ଏହାର ଗୁମର ଖୋଲିବା ପାଇଁ ତଦନ୍ତ ସାପେକ୍ଷ ଅଟେ । ଜୟପାଟଣା, କଲମପୁର, କୋକସରା ଅଞ୍ଚଳରେ ଆଗୁଆ ଧାନ ହୋଇଥିବା ଯୋଗୁଁ ଚାଷୀମାନେ କୁଇଣ୍ଟାଲ ୧୩୦୦ ଟଙ୍କାରେ ଦଲାଲ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।

ସରକାରୀ ବ୍ୟବସ୍ଥାର ଗୋଲକ ଧନ୍ଦା ଵ୍ୟଵସ୍ଥା ରେ ଚାଷୀ ଫସିବାକୁ ଚାହୁଁ ନଥିବା ବେଳେ ମଣ୍ଡି ଖୋଲିବା ସାଧାରଣ ରେ ପ୍ରହସନ ପାଳଟିଛି । ମିଲର୍ସ ଦଲାଲଙ୍କ ଜରିଆରେ ଅଣ୍ଡର ରେଟ ରେ ଧାନ କିଣି ମଣ୍ଡିରେ ଫଳସ ଏଣ୍ଟ୍ରି କରିବା ପାଇଁ ମସୁଧା ଆରମ୍ଭ କରିଛି । ମଣ୍ଡିରେ ମିଲର୍ସ ଟ୍ୟାଗିଙ୍ଗ ପାଇଁ ଫିକ୍ସିଂ ଓ ଅନ୍ୟ ପଟେ ମଣ୍ଡି ଆରମ୍ଭ ପୂର୍ବରୁ ମିଲ ମାନଙ୍କର ଷ୍ଟକ ଭେରୀଫିକେସନ ଓ ମିଲିଙ୍ଗ କ୍ଷମତା ଯାଞ୍ଚ କେବଳ କାଗଜ କଲମରେ ଚାଲିଛି । ୧୩୦ ଟି ମଣ୍ଡି କେବେ ଖୋଲିବ ଓ ଚାଷୀଙ୍କ ଧାନ କେବେ ବିକ୍ରି ହେବ ସେଥି ପାଇଁ ଚାଷୀ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର