ସମ୍ବଲପୁର ‘ରିଙ୍ଗରୋଡ୍‌’ର ନାମ ହେଲା ‘ମହାତ୍ମା ଗାନ୍ଧୀ ମାର୍ଗ’, ୧୯୨୮ରେ ଗାନ୍ଧିଜୀ ଦୁଇ ଥର ଏଠାରେ କରିଥିଲେ ସମାବେଶ

ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା

ସମ୍ବଲପୁର: ସ୍ଥାନୀୟ ନେଲସନ ମଣ୍ଡେଲା ଛକରୁ ଲକ୍ଷ୍ମୀଡୁଙ୍ଗୁରି ପର୍ଯ୍ୟନ୍ତ ଯାଇଥିବା ସାଢେ ୭ କିଲୋମିଟର ଲମ୍ବ ‘ରିଙ୍ଗରୋଡ଼’ର ନାମ ପରିବର୍ତ୍ତନ କରାଯାଇଛି। ଏହାର ନାମ ବୁଧବାର ‘ମହାତ୍ମା ଗାନ୍ଧୀ ମାର୍ଗ’ ରଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇ ଥାକିଆ କରାଯାଇଛି। ଏସଏମସି ପକ୍ଷରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୩ କୋଟି ଟଙ୍କାରେ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୮ ଲକ୍ଷ ଟଙ୍କାର କାର୍ଯ୍ୟ ସମ୍ପନ୍ନ ହୋଇଛି। ୯୯ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଇଛି।

ସୂଚନା ଅନୁଯାୟୀ, ମହାତ୍ମା ଗାନ୍ଧୀ ୧୯୨୮ ଡିସେମ୍ବର ୨୨ ଏବଂ ୧୯୩୪ ମସିହା ମେ’ ମାସ ୫ ତାରିଖରେ ସମ୍ବଲପୁର ଆସିଥିଲେ। ଏହି ସମୟରେ ସେ ବ୍ରହ୍ମପୁରା ମନ୍ଦିର ଘାଟ ବାଲିପଠାରେ ସମାବେଶ କରିଥିଲେ। ଏଥିଯୋଗୁଁ ମହାନଦୀ କୂଳ ଦେଇ ଯାଇଥିବା ଏହି ରିଙ୍ଗରୋଡ଼କୁ ମହାତ୍ମା ଗାନ୍ଧୀ ମାର୍ଗ ଭାବରେ ନାମକରଣ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ଏଥର ସ୍ୱତନ୍ତ୍ର ଭାବରେ ଆୟୋଜନ ପାଇଁ ସମ୍ବଲପୁର ସ୍ଥିତ କୌଣସି ରାସ୍ତାକୁ ମହାତ୍ମା ଗାନ୍ଧୀଙ୍କ ନାମରେ କରିବା ପାଇଁ ଚଳିତ ବର୍ଷ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଏ ନେଇ ବିଭିନ୍ନ ସାମାଜିକ ସଙ୍ଗଠନ, ନାଗରିକମାନେ ଅନେକ ପ୍ରସ୍ତାବ ଦେଇଥିଲେ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ଡିଏଫଓ, ଏଡିଏମ, ଉପଜିଲ୍ଲାପାଳ, ଏସଏମସି ଡେପୁଟି କମିସନର, ପ୍ରବର୍ତ୍ତନ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ‘ପରି’ ନାମକ ଜଣେ ଶିଶୁ ଏହାର ଫିତା କାଟି ଉଦଘାଟନ କରିଥିଲେ।

ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ମାର୍ଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏତେ ଛୋଟ ରାସ୍ତାକୁ ମହାତ୍ମା ଗାନ୍ଧୀ ମାର୍ଗ କରିବା ପରିବର୍ତ୍ତେ ରିଙ୍ଗରୋଡ଼କୁ ତାଙ୍କ ନାମରେ କରିବା ପାଇଁ ନାଗରିକ କଲ୍ୟାଣ ସମିତି ପ୍ରସ୍ତାବ ଦେଇଥିଲା। ଏହାକୁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇ ମହାତ୍ମା ଗାନ୍ଧୀ ମାର୍ଗ କରାଯାଇଛି। ସମ୍ବଲପୁରକୁ ବନ୍ୟା ଦାଉରୁ ସୁରକ୍ଷା, ବିକଳ୍ପ ରାସ୍ତା ପାଇଁ ୧୯୯୭ ମସିହାରେ ଜଳସେଚନ ବିଭାଗ ପକ୍ଷରୁ ଏହାର ନିର୍ମାଣ ହୋଇଥିଲା।

ସମ୍ବନ୍ଧିତ ଖବର