ଅନ୍ତସତ୍ତ୍ୱା ମହିଳା ବାପଘରୁ ଶାଶୁଘରକୁ ଫେରୁଥିବା ବେଳେ ବାଟରେ ଜଗି ଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ପ୍ରାଣବାୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ବଦଳାସାହି-ଚକାପାଦ ରାସ୍ତାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଘଟଣା ସ୍ଥଳରେ ହିଁ ଜଣେ ଅନ୍ତସତ୍ତ୍ୱା ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ମୃତ ମହିଳା ନୟାଗଡ଼ ଜିଲ୍ଲା ବାଇସିପଲି ଅଞ୍ଚଳ ଜୋଲୁକାବାଲି ଗାଁର ନାମ ଜୋଚ୍ଛନ୍ନା ପ୍ରଧାନ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟଲୋକ କ୍ଷତି ପୁରଣ ଦାବି ନେଇ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ସେମାନେ ରାସ୍ତାରୁ ହଟିଥିଲେ।

ସୂଚନାଯୋଗ୍ୟ, ଜୋଚ୍ଛନା ଅନ୍ତସ୍ତତ୍ତ୍ୱା ଥିଲେ। ତେଣୁ ପରମ୍ପରା ଅନୁଯାୟୀ ସେ ପିଠା ଖାଇବାକୁ ନିଜ ସ୍ୱାମୀ ସନ୍ତୋଷ ପ୍ରଧାନଙ୍କ ସହିତ ବାପ ଘରକୁ ଯାଇଥିଲେ। ବାପା ଘରୁ ପିଠା ଖାଇ ହସ୍‌ଖୁସିରେ କିଛି ସମୟ ବିତାଇବା ପରେ ସେ ସନ୍ତୋଷଙ୍କ ସହ ଶାଶୁଘରକୁ ବାହାରିଥିଲେ। ଶାଶୁଘରକୁ ସ୍ୱାମୀଙ୍କ ସହ ବାଇକ୍‌ରେ ଆସୁଥିବ ବେଳେ ଦୁହିଁଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଆଉ କିଛିଦିନ ପରେ ମା’ ଡାକ ଶୁଣିବାକୁ ଥିବା ଜୋଚ୍ଛନା ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ଏହି ଦୁର୍ଘଟଣା ପରେ ତାଙ୍କ ହସ୍‌ଖୁସିର ସଂସାରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର