ଖଡ଼ିଆଲରେ ମମନ୍ତୁଦ ସଡ଼କ ଦୁର୍ଘଟଣା: ମା’-ପୁଅ ମୃତ, ସ୍ୱାମୀ ଗୁରୁତର, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଦେଓବାହାଲ ଗ୍ରାମ ପାଖରେ ଆଜି ଏକ ମର୍ମନ୍ତୁୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ମହିଳାଙ୍କର ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅଞ୍ଚଳର ଗୀତା ଦଣ୍ଡସେନା (୨୫) ଓ ତାଙ୍କର ୨ ବର୍ଷର ପୁଅ। ଗୀତାଙ୍କ ସ୍ୱାମୀ ଗଣେଶ ଦଣ୍ଡସେନା ଆହତ ହୋଇଛନ୍ତି।। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରି ରାସ୍ତାରୋକ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଗଣେଶ ଦଣ୍ଡସେନା ନିଜର ସ୍ତ୍ରୀ ଗୀତା ଓ ୨ ବର୍ଷର ଶିଶୁ ପୁତ୍ରଙ୍କୁ ନେଇ ଏକ ମୋଟର ସାଇକେଲରେ ଖଡ଼ିିଆଳକୁ ଆସୁଥିଲେ । ଦେଓବାହାଲ ନିକଟରେ ଗୀତା ଓ ଗଣେଶ ମୋଟର ସାଇକେଲକୁ ରାସ୍ତାକଡ଼ରେ ରଖି ପୁଅକୁ ପାଣି ପିଆଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ଉପରକୁ ଚଢ଼ିଯାଇଥିଲା। ଫଳରେ ଏଥିରେ ଗୀତା ଓ ତାଙ୍କର ପୁଅଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍‌ଟି ମା’ ଓ ପୁଅଙ୍କୁ ସଂପୂର୍ଣ୍ଣ ଭାବେ ଦଳି ଦେଇଥିଲା। ସ୍ୱାମୀ ଛିଟିକି ପଡି ଗୁରୁତର ହେବା ସହ ଏକ ଗୋଡ ଭାଙ୍ଗିଯାଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ମା’ ଓ ପୁଅଙ୍କ ମୃତଦେହ ରାସ୍ତାଉପରେ ରଖି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଅନାନ୍ୟ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଘଟଣାସ୍ଥଳରେ ଖଡ଼ିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ଓ ସବ-ଇନିସପେକ୍ଟର ଜିତୁ ମୋହନ ବେଶ୍ରା ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ହୋଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୁଲିସ ଜବତ କରିଥିବା ବେଲେ ଟ୍ରକ ଚାଳକ ଫେରାର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଖଡ଼ିଆଳ ଥାନା ଦମାପଲା ଗ୍ରାମର ଧ୍ରୁବ ଚରଣ ବିଶି ଝିଅ ଗୀତାଙ୍କୁ ଭବାନୀପାଟଣାରେ କିଛି ବର୍ଷ ତଳେ ବିବାହ ଦେଇଥିଲୋ କିନ୍ତୁ ସ୍ୱାମୀ-ସ୍ତ୍ରୀ ନିଜ ପରିବାର ପ୍ରତିପେଷଣ ପାଇଁ ନୁଆପଡା ଜିଲ୍ଲା ଉଦ୍ୟାନବନ୍ଧରେ ରହିଆସୁଥିଲେ। ଏଠାରେ ସେମାନେ କିଛି କାମଧନ୍ଧା କରି ପେଟ ପୋଷୁଥିଲେ ।

ସମ୍ବନ୍ଧିତ ଖବର