ଭଦ୍ରକ: ଦେଢ ଶହ କୋଟି ଟଙ୍କାର ପାଇନ୍ ଲାଇନ୍ ପ୍ରକଳ୍ପ ଅଚଳ, ପିଇବାକୁ ମିଳୁନି ବିଶୁଦ୍ଧ ପାନୀୟ ଜଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅଧିକାଂଶ ପାଇପ୍ ଲାଇନ୍ ପ୍ରକଳ୍ପ ଅଚଳ ହୋଇପଡିଛି। ଏଇ ପାଇପ୍ ଲାଇନ୍ ପ୍ରକଳ୍ପ ପାଇଁ ଆରଡବ୍ଲୁ ଏସଏସ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଠିକାଦାର ଓ ଯନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କାର ପିସି ଖାଇଛନ୍ତି। ପାଇପ୍ ଜଳ ପକଳ୍ପ ଟଙ୍କା ଖାଇ ଯନ୍ତ୍ରୀ ଠିକାଦାର ମାଲେ ମାଲ ହୋଇଥିବା ବେଳେ ଲୋକମାନଙ୍କୁ କିନ୍ତୁ ବିଶୁଦ୍ଧ ପାନୀୟ ଜଳ ମିଳି ପାରୁ ନାହିଁ। ଯେଉଁ ସବୁ ପ୍ରକଳ୍ନ ଗୁଡିକ ହୋଇଥିଲା। ତାହା ଏବେ ଅଚଳ ହୋଇପଡିଛି। ବିଶେଷକରି ଗ୍ରାମାଞ୍ଚଳରେ ହୋଇଥିବା ଏଇ ସବୁ ପ୍ରକଳ୍ପ ଅକାମୀ ହୋଇପଡିଛି। କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ପଡିଛି ତ ଆଉ କେଉଁଠି ପାଇପ୍ ଫାଟି ପାଣି ଯାଉ ନାହିଁ। ଅନ୍ୟ କେତେକ ପ୍ରକଳ୍ପ ଅଧାରେ ଅଟକି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପାଇପ୍ ଲାଇନ୍ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଥିବା ବେଳେ ଏହାକୁ ସଚଳ କରିବାକୁ ଉଦ୍ୟମ ନକରିବା ପରିତାପର ବିଷୟ ହୋଇଛି।

ଭଦ୍ରକ ଜିଲ୍ଲାର ତିହିଡି, ବାସୁଦେବପୁର, ଚାନ୍ଦବାଲି , ଧାମନଗର ବ୍ଲକର ଅଧିକାଂଶ ଅଞ୍ଚଳରୁ ଲୁଣି ଜଳ ବାହାରୁଛି। ଜିଲ୍ଲାର ୭ ବ୍ଲକରୁ ୪ ବ୍ଲକରେ ଲୁଣି ଜଳ ପିଉଛନ୍ତି ଲୋକେ। କେବଳ ସେତିକି ନୁହେଁ, ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର କମ୍ ରହୁଛି। ସାଲାଇନ୍ ଜଳ ଓ ଭୂତଳ ଜଳସ୍ତର କମୁଥିବାରୁ ଲୋକମାନେ ମଧୁର ଜଳ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାଇପ୍ ଲାଇନ୍ କୁ ଭରସା କରିଥାନ୍ତି। ମାତ୍ର ପାଇପ୍ ଲାଇନ୍ ଭାଙ୍ଗି ପଡିଥିବାରୁ ଏହି ଯୋଜନା ଲୋକଙ୍କ ଭରସା ଦେଇ ପାରି ନାହିଁ।

ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି। ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଓ ପାଇପ୍ ଲାଇନ୍ କାମ ବର୍ଷ ବର୍ଷ ଧରି ଚାଲିଛି। ଏବେ ଅଧିକାଂଶ ଗ୍ରାମାଞ୍ଚଳରେ ଜଳ କଷ୍ଟରେ ରହୁଛି। ବିଶେଷକରି ଆଦିବାସୀ ଓ ବସ୍ତି ବାସିନ୍ଦାମାନେ ପାନୀୟ ଜଳ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଇ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାଇପ୍ ଲାଇନ୍ ମଧୁର ପାନୀୟ ଜଳ ସ୍ବପ୍ନ ପାଲଟିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ବର୍ଷ ବର୍ଷ ଧରି ଅଚଳ ହୋଇ ପଡିଥିଲେ ମଧ୍ୟ ଏହା ଲୋକଙ୍କ ପାଇଁ ସହାୟକ ହୋଇ ପାରୁ ନାହିଁ।

ବାସୁଦେବପୁର, ତିହିଡି, ଚାନ୍ଦବାଲି ଓ ଧାମନଗର ବ୍ଲକରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଗ୍ରାମରେ ଭୂତଳ ଜଳସ୍ତର ଲବଣାକ୍ତ ହୋଇଥିବା ବେଳେ ଏହାକୁ ପାନୀୟ ଜଳ ଭାବେ ଲୋକେ ବ୍ୟବହାର କରିପାରୁ ନାହାନ୍ତି। ଗାଁ ଲୋକଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା କିଛି ନଥିବାରୁ ସେମାନେ ଏଇ ଲୁଣା ଜଳ ପିଉଛନ୍ତି। ଏହା କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହେଉଛି। ଭୂତଳର ଲୁଣା ଜଳ ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନଥିବାରୁ ଗତ ୨୦୧୦ ମସିହାରୁ ଏଇସବୁ ବ୍ଲକର ବିଭିନ୍ନ ପଞ୍ଚାୟତ ଏରିଆରେ ପାଇପ୍ ଲାଇନ୍ ଯୋଗୋ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏଇ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅଧିକାଂଶ ପଞ୍ଚାୟତରେ ଚାଲୁଛି।

୨୦୧୦ରୁ ୨୦୨୦ ମସିହା ୧୦ ବର୍ଷ ଭିତରେ ଏଇ ସବୁ ବ୍ଲକରେ ୧,୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେତେକ ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଆରମ୍ଭରୁ ଅଚଳ ହୋଇପଡିଥିବାବେଳେ ଅନେକ ପ୍ରକଳ୍ପରେ ପାଇପ୍ ଫାଟି ପଡିଛିତ କେତେକ ପ୍ରକଳ୍ପରେ ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଯାଇଛି। ଏଇସବୁ ପ୍ରକଳ୍ପ ଗୁଡିକ ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଥିଲା। ତାହା ବାସ୍ତବରେ ଫେଲ୍ ମାରିଛି। ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏକ ଅଚଳ ଯୋଜନା ଭାବେ ପରିଗଣିତ ହୋଇଛି। ନଳକୂପ ଓ କୂଅରୁ ଲୁଣା ଜଳ ବାହାରୁ ଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିବା ଘଟଣା ଲୋକଙ୍କୁ ବ୍ୟଥିତ କରିଛି। ଭଦ୍ରକ ଜିଲ୍ଲାକୁ ୩ଟି ନଦୀ ଘେରି ରହିଛି। ଜିଲ୍ଲାର ଉପର ମୁଣ୍ଡରେ ବୈତରଣୀ ମଝିରେ ସାଳନ୍ଦୀ ଓ ତଳ ମୁଣ୍ଡରେ ମନ୍ତେଇ ନଦୀ ବହି ଯାଇଛି। ଜିଲ୍ଲାର ଅନ୍ୟ ଏକ ପାର୍ଶ୍ବରେ ଘେରି ରହିଛି ସମୁଦ୍ର।

ବୈତରଣୀ ଓ ସାଳନ୍ଦୀ ନଦୀର ଜଳ ମଧୁର ହୋଇଥିବା ବେଳେ ମନ୍ତେଇ ନଦୀରେ ଜଳ ଲବଣାକ୍ତ। ମନ୍ତେଇନଦୀର ଜଳ ପାନୀୟ ଜଳ ଭାବେ ବ୍ୟବହୃତ ହୋଇପାରୁ ନାହିଁ। ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ଲୋକମାନେ ବୈତରଣୀ ଓ ସାଳନ୍ଦୀ ନଦୀର ମଧୁର ଜଳ ପାଉଛନ୍ତି। କୃଷି ଓ ଶିଳ୍ପ କ୍ଷେତ୍ରରେ ଏଇ ଦୁଇ ନଦୀର ଜଳକୁ ବ୍ୟବହାର କରାଯାଇ ପାରୁଛି। ବନ୍ତ, ଭଣ୍ଡାରୀପୋଖରୀ ଓ ଭଦ୍ରକ ବ୍ଲକରେ ମଧୁର ଭୂତଳ ଜଳ ବ୍ୟବହାର କରାଯାଉଛି। ଏଇ ଅଞ୍ଚଳରେ ଅଧିକାଂଶ ନଳକୂପ ଓ କୂଅ ରହିଥିବାରୁ ଖରା ଦିନେ ଜଳସ୍ତର କମିଛି। ଭୂତଳର ମଧୁର ଜଳ ବହୁଳ ବ୍ୟବହାର କାରଣରୁ ଏବେ ଜଳସ୍ତର କମୁଛି। ଗତ ୧୦ରୁ ୧୨ ବର୍ଷ ତଳେ ଜିଲ୍ଲାର ଏଇସବୁ ଅଞ୍ଚଳରେ ଥିବା କୂଅରୁ ୧୦ରୁ ୧୨ ଫୁଟ୍ ଗଭୀରତାରୁ ମଧୁର ଜଳ ବାହାରୁଥିଲା।

ସମ୍ବନ୍ଧିତ ଖବର