ବ୍ୟବସାୟୀଙ୍କ ମୋଟର ସାଇକେଲ ଡିକି ଭାଙ୍ଗି ୧,୯୯,୦୦୦ ଟଙ୍କା ଲୁଟ୍‌ ଅଭିଯୋଗ

ବାସୁଦେବପୁର: ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ନୀଳମଣି ମାର୍କେଟ କମ୍ପ୍ଲେକ୍ସରୁ ସୋମବାର ଅପରାହ୍ନରେ ମୋଟର ସାଇକେଲ ଡିକି ଭାଙ୍ଗି୧ ଲକ୍ଷ ୯୯ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି କାଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନକୃଷ୍ଣପୁର ଗାଁର ସୁଧୀର ଚନ୍ଦ୍ର ଦାସଙ୍କ ପୁଅ ତାପସ ଦାସ।

ସୂଚନା ଅନୁସାରେ ନିଜର ବ୍ୟବସାୟ ପାଇଁ ତାପସ ଆଜି ପୂର୍ବାହ୍ନରେ ବାସୁଦେବପୁରକୁ ଯାଇଥିଲେ। ସେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବାସୁଦେବପୁର ଶାଖାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ସ୍ଥାନୀୟ ସହକାରୀ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇଥିଲେ। ଦୁଇଟି ବ୍ୟାଙ୍କରୁ ତାପସ ମୋଟ ୨ ଲକ୍ଷ ଟଙ୍କା ଉଠାଇବା ପରେ ସେଥିରୁ ଏକ ହଜାର ଟଙ୍କା ପକେଟ ଖର୍ଚ୍ଚ ପାଇଁ ଅଲଗା ରଖିଥିଲେ ଏବଂ ବାକି ୧ ଲକ୍ଷ ୯୯ ହଜାର ଟଙ୍କାକୁ ନିଜର ମୋଟର ସାଇକେଲ୍‌ ଡିକିରେ ଥୋଇଥିଲେ।

ତେବେ ଘରକୁ ଯିବା ପୂର୍ବରୁ ତାପସ ନୀଳମଣି ମାର୍କେଟ କମ୍ପ୍ଲେକ୍ସରେ ମୋଟର ସାଇକେଲକୁ ଛିଡ଼ା କରି ଦେଇ ନିକଟରେ ଥିବା ଏକ ମିଠା ଦୋକାନକୁ ଯାଇଥିଲେ। ମିଠା କିଣି ସାରି ଅଳ୍ପ ସମୟ ମଧ୍ୟରେ ସେ ପୁଣି ମୋଟର ସାଇକେଲ ପାଖକୁ ଆସିଥିଲେ। କିନ୍ତୁ ସେତେବେଳକୁ ମୋଟର ସାଇକେଲ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ନେଇ ଯାଇଥିଲେ। ଟଙ୍କା ଚୋରି ହେବା ସଂପର୍କରେ ସେ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର