କନ୍ଧମାଳ: ଏସ୍‌ପି ଅଫିସ ସମ୍ମୁଖରୁ ପୁଣି ଲୁଟ୍‌: ବାଇକ୍‌ ଡିକି ଭାଙ୍ଗି ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଏସ୍‌ପି ଅଫିସ୍‌ ସମ୍ମୁଖରୁ ସୋମବାର ଦୁର୍ବୃତ୍ତମାନେ ବାଇକ୍‌ ଡିକି ଭାଙ୍ଗି ୨୦ ହଜାର ଟଙ୍କା ଲୁଟ କରିଛନ୍ତି। ଟିକାବାଲିର କୃଷ୍ଣଚନ୍ଦ୍ର ଦିଗାଲ ସ୍ଥାନୀୟ ଏସ୍‌ବିଆଇ ଶାଖାରୁ ୨୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କାକୁ ବାଇକ୍‌ରେ ରଖି ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ଏହି ସମୟରେ ଫୋନ୍‌ ଆସିବାରୁ ସେ ଏସ୍‌ପି ସମ୍ମୁଖରେ ବାଇକ ରଖି କଥା ହୋଇଥିଲେ। ଏତିକି ବେଳେ ୨ ଜଣ ଲୁଟେରା ସେଠାରେ ପହଂଚି ବାଇକ ଡିକି ଭାଙ୍ଗି ଟଙ୍କା ବିଡ଼ାକୁ ନେଇ ପଳାଇଥିଲେ।

ଦିଗାଲ ପାଟି କରିବାରୁ ସ୍ଥାନୀୟ ଲୋକମାନେ ସେଠାରେ ପହଂଚିବା ପୂର୍ବରୁ ଲୁଟେରା ଦ୍ରୁତ ଗତିରେ ଆସିଥିବା ବାଇକରେ ଛୁ ମାରି ଦେଇଥିଲେ। ଏ ନେଇ ଶ୍ରୀ ଦିଗାଲ ଫୁଲବାଣୀ ଟାଉନ ଥାନାରେ ଜଣାଇବା ପରେ ପୁଲିସ ଛାନଭିନ କରିଥିଲେ ବି ପତ୍ତା ପାଇବାରେ ସକ୍ଷମ ହୋଇ ପାରି ନାହିଁ। ସଂପ୍ରତ୍ତି ଫୁଲବାଣୀ ସହରରେ ବାହାର ଜିଲ୍ଲାର ଲୁଟେରା ଆସି ଲୁଟ ରାଜ କରୁଛନ୍ତି।

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୨ରେ ମଧ୍ୟ ଏସ୍‌ପି ଅଫିସ ସମ୍ମୁଖରୁ ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ ଏଯାଏଁ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର