ନବରଙ୍ଗପୁର ଜିଲ୍ଲାର ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବିଧାୟକ ସଦନ ନାୟକ

ନବରଙ୍ଗପୁର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ପ୍ରଥମ ଦିନରେ ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସଦନ ନାୟକ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପୂର୍ବତନ ବିଧାୟକ ନାୟକ ନିଜ ରାଶି ନକ୍ଷେତ୍ରକୁ ଦେଖି ଶୁଭ ବେଳା ବାହାର କରି ଆଜି ଅପରାହ୍ନ ୧୨.୪୦ରେ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ସଦନ ନାୟକଙ୍କ ପ୍ରାର୍ଥୀପତ୍ରକୁ ସୁବାଷ ଚନ୍ଦ୍ର ସୂର ପ୍ରସ୍ତାବକ ରହିଥିବା ବେଳେ ଗଣେଶ୍ୱର ତ୍ରିପାଠୀ ସମର୍ଥକ ରହିଛନ୍ତି। ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନ ରହିଥିଲା ବେଳେ ଜଣେ ମାତ୍ର ପ୍ରାର୍ଥୀ ଭାବେ ସଦନ ନାୟକ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତେବେ ସେ ଜଣେ କଂଗ୍ରେସ ନେତା ହୋଇଥିବାରୁ ଏବଂ ସେ କଂଗ୍ରେସ ଟିକେଟ ପାଇବା ଏକ ପ୍ରକାର ଚୂଡାନ୍ତ ହୋଇସାରିଥିବା ବେଳେ କଂଗ୍ରେସ ଟିକେଟ ଆସି ନଥିବାରୁ ସେ କଂଗ୍ରେସ ଦଳର ଟିକେଟ ସଂଲଗ୍ନ କରି ପାରି ନାହାନ୍ତି। ଆଗାମୀ ଦିନରେ ଟିକେଟ ଆସିଲେ ସେ ଉକ୍ତ ଟିକେଟକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ସଦସ୍ୟ ରଘୁନନ୍ଦନ ଦାସ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷଙ୍କୁ  ପତ୍ର .ଲେଖି ପାର୍ଟିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ତେବେ ସେ ଏହି ଇସ୍ତଫା ତାଙ୍କ ବ୍ୟକ୍ତିଗତ ଅସୁବିଧା କାରଣ ହେତୁ ଦେଇଥିବା ଜଣାପଡ଼ିଛି। ସେହିପରି ବ୍ରହ୍ମପୁର ବିଧାନସଭା ଆସନରୁ ସୁମିତ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର