ପୋଖରୀରେ ବିସ୍ଫୋରକ ଫୁଟାଇ ମାଛ ମାରିବା ବେଳେ ଜଣେ ମୃତ, ୨ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ଥାନା ଜୁଜୁମରା ବ୍ଲକ୍‌ କୁଶନପୁରର ମାଳତୀଜୋରରେ ରବିବାର ଅପରାହ୍ନରେ ମାଛ ମାରିବା ବେଳେ ବିସ୍ଫୋରକ ଫୁଟି ଜଣେ ମାଛ ଧରାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରିଛି।

ସୂଚନାଯୋଗ୍ୟ, ଖରାଦିନ ହେତୁ ପୋଖରୀରେ ପାଣି ଶୁଖି ଯାଇଥାଏ। ତେଣୁ ମାଛ ଧରାଳୀମାନେ ବିସ୍ଫୋରକ ଫୁଟାଇ ଯେଉଁଠାରେ ଅଧିକ ପାଣି ଥାଏ ତା’ ଭିତରକୁ ପକାଇ ମାଛ ମାରି ଥାଆନ୍ତି। ଆଜି ଅପରାହ୍ନରେ ଜଣେ ମାଛ ଧରାଳୀ ବିସ୍ଫୋରକ ବ୍ୟବହାର କରି ମାଳତୀଜୋରସ୍ଥିତ ଥିବା ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ହେତୁ ବିସ୍ଫୋରକ ତାଙ୍କ ହାତରେ ଫୁଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ପାଖରେ ଥିବା ଅନ୍ୟ ଦୁଇଜଣ ଏହି ବିସ୍ଫୋରକ ଫୁଟିବା ହେତୁ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର