୧୦ ବର୍ଷର ବାଳିକାକୁ ଦୁଷ୍କର୍ମ ଉଦ୍ୟମ

ବୁର୍ଲା: ଶିକ୍ଷା ନଗରୀ କୁହାଯାଉଥିବା ବୁର୍ଲା ସହରରେ ଜଣେ ୧୦ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଘଟଣା ବୁଧବାର ସାମନାକୁ ଆସିଛି। ମଙ୍ଗଳବାର ସ୍ଥାନୀୟ ଏକ ମଠରେ ନିଜ ବାପା ସହ ରହୁଥିବା ବାଳିକାକୁ କୌଣସି କାମରେ ଯାଇଥିବା ଜଣେ ଯୁବକ ଏଭଳି ହୀନ ଉଦ୍ୟମ କରିଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଗତକାଲି ପୀଡ଼ିତାର ବାପା ବୁର୍ଲା ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର କୌଣସି କାରଣରୁ ସେ ଲିଖିତ ଅଭିଯୋଗ ନକରି ଫେରିଆସିଥିଲେ। ପୁଲିସ୍‍ ପକ୍ଷରୁ ମଧ୍ୟ ଘଟଣାକୁ ଅଣଶୁଣା କରାଯାଇଥିବା ଚର୍ଚ୍ଚାକୁ ଆସୁଛି। ତେବେ ଆଜି ଅଭିଯୁକ୍ତ ଯୁବକ ତାଙ୍କ କିଛି ସହଯୋଗୀଙ୍କ ସହ ମିଶି ପୀଡ଼ିତା ଓ ତାଙ୍କ ବାପାଙ୍କୁ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଘଟଣାକୁ କେନ୍ଦ୍ର କରି ଧମକ ଚମକ ଓ ଦୁର୍ବ୍ୟବହାର କରିଥିବା ଶୁଣିବାକୁ ମିଳିଛି। ଏ ସଂପର୍କରେ ବୁର୍ଲା ଥାନାଧିକାରୀ ମାନସ ରଂଜନ ପ୍ରଧାନଙ୍କୁ ପଚରାଯିବାରୁ ଗତକାଲି ଜଣେ ବ୍ୟକ୍ତି ଏଭଳି ଏକ ଅଭିଯୋଗ ନେଇ ଥାନାକୁ ଆସିଥିଲେ ବୋଲି କହିବା ସହ ଅଭିଯୋଗ ନଦେଇ ଥାନାରୁ ଚାଲି ଯାଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ଅଭିଯୋଗକାରୀଙ୍କୁ ଡକାଯାଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର