କାମ ଖୋଜିବାକୁ ଆସି ଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା

ଅଭିଯୁକ୍ତ ବସ୍‌ ଡ୍ରାଇଭର କୋର୍ଟଚାଲାଣ

ସମ୍ବଲପୁର: କାମ ଅନ୍ବେଷଣରେ ତାମିଲନାଡୁ ବାହାରିଥିବା ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ ଓ ଧନୁପାଲି ଥାନା ନକ୍ସାପାଲି ଅଞ୍ଚଳରେ ଦୁଷ୍କର୍ମ କରାଯିବା ଘଟଣାରେ ଗୁରୁବାର ଧନୁପାଲି ପୁଲିସ୍‌ ସିନ୍ଦୁରପଙ୍କ କେନାଲପଡ଼ାର ବସ୍‌ ଡ୍ରାଇଭର ଲକ୍ଷ୍ମଣ ବର୍ମା (୩୫)କୁ ଗିରଫ କରିଛି। ସକାଳେ ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା‌ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ସନ୍ଧ୍ୟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଛି। ଏ ନେଇ ଧନୁପାଲି ପୁଲିସ୍‌ କେସ୍‌ ନଂ ୧୭୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଲକ୍ଷ୍ମଣ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୩୬୬, ୩୭୬, ୩(୧){ଡବ୍ଲ୍ୟୁ(ଆଇ)}, ୩(୨୦)(ଭିଏ) ଏସ୍‌ସି ଆଣ୍ଡ ଏସ୍‌ଟି(ପିଓଏ) ରୁଜୁ କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଦିଆଯାଇଛି।
ଭାରପ୍ରାପ୍ତ ଥାନା ଅଧିକାରୀ ତାରାବତୀ ପ୍ରଧାନଙ୍କ ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ସିମ୍‌ଡେଗା ଅଞ୍ଚଳରୁ ଜଣେ ୨୫ ବର୍ଷୀୟା ଆଦିବାସୀ ମହିଳା ନିଜ ସ୍ବାମୀଙ୍କ ସହ ଗତ ୧୨ ତାରିଖ ଦିନ କାମ ଖୋଜିବା ପାଇଁ ତାମିଲନାଡ଼ୁ ଅଭିମୁଖେ ବାହାରିଥିଲେ। ୧୩ ତାରିଖ ସେମାନେ ସମ୍ବଲପୁର ସିଟି ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ଜଣେ ବ୍ୟକ୍ତିଙ୍କ କହିବା ମୁତାବକ ଅଇଁଠାପାଲି ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ବସ୍‌ଷ୍ଟାଣ୍ଡରେ ସାରା ରାତି କଟାଇବା ପରେ ଅଭିଯୁକ୍ତ ଲକ୍ଷ୍ମଣ ସହ ୧୪ ତାରିଖ ସକାଳୁ ସେମାନଙ୍କର ଭେଟ ହୋଇଥିଲା। ଅଭିଯୁକ୍ତ ସେମାନଙ୍କୁ କାମ ଯୋଗାଇ ଦେବା ସହ ଘର ମଧ୍ୟ ଖୋଜି ଦେବାର ପ୍ରତିଶ୍ରୁତି ଦେଇ ସିଟି ଷ୍ଟେସନ ନିକଟସ୍ଥ ଏକ ଭଡ଼ା ଘରକୁ ନେଇଥିଲା। ସେମାନେ ଦିନ ତମାମ୍‌ ସେଠାରେ ରହିଥିଲେ। ଧନକଉଡ଼ାସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ ମଧ୍ୟ ପରିଚୟ କରାଇ ଦେଇ ୧୫ ତାରିଖ ସକାଳୁ କାମ କରିବାକୁ ଆସିବାକୁ ମଧ୍ୟ ପୀଡ଼ିତାଙ୍କ ସ୍ବାମୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ସନ୍ଧ୍ୟା ବେଳକୁ ଅଭିଯୁକ୍ତ ସେମାନଙ୍କ ଘରକୁ ଯାଇ ଭଡ଼ା ଅଧିକ କହୁଛି ଅନ୍ୟ ସ୍ଥାନକୁ ଘର ଖୋଜି ଯିବା କହି ପୀଡ଼ିତାଙ୍କ ସ୍ବାମୀଙ୍କୁ ବାଇକ୍‌ରେ ପୁନଶ୍ଚ ଅଇଁଠାପାଲି ବସ୍‌ଷ୍ଟାଣ୍ଡକୁ ଆଣିଥିଲା। ସେଠାରେ ତାଙ୍କୁ ଛିଡ଼ା କରାଇ ଦେଇ ଗ୍ୟାରେଜରୁ ଆସୁଛି କହି ଅଭିଯୁକ୍ତ ମହିଳାଙ୍କ ନିକଟକୁ ଯାଇଥିଲା। ଚାଲ ଘର ଖୋଜି ଆସିବା କହି ମହିଳାଙ୍କୁ ବାଇକ୍‌ରେ ବସାଇ ଅଭିଯୁକ୍ତ ବାହାରି ଥିଲା। ତାଙ୍କୁ ସହରର ବିଭିନ୍ନ ସ୍ଥାନ ବୁଲାଇବା ସହ ଧନକଉଡ଼ା ଅଞ୍ଚଳକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ତାଙ୍କୁ ପୁଣି ଧନୁପାଲି ପଟୁ ଅଇଁଲାପାଲି ଗ୍ରାମ ବାଟଦେଇ ନକ୍ସାପାଲି ତେଲ ଡିପୋ ପଛପଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ଏହାପରେ ମହିଳାଙ୍କୁ ଆଣି ମୁଖ୍ୟ ରାସ୍ତା ନିକଟରେ ପେଟ୍ରୋଲ ସରିଗଲା କହି ଗାଡ଼ିରୁ ଓହ୍ଲାଇ ଫେରାର୍‌ ହୋଇ ଯାଇଥିଲା।
ସେଠାରୁ ପୀଡ଼ିତା ବଡ଼ କଷ୍ଟ‌େର ଚାଲି ଚାଲି ସଦର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। କିନ୍ତୁ ଘଟଣା ଧନୁପାଲି ଥାନା ଅଞ୍ଚଳରେ ଘଟିଥିବାରୁ ପୁଲିସ୍‌ ତାଙ୍କୁ ଧନୁପାଲି ଥାନାକୁ ପଠାଇ ଦେଇଥିଲା। ପୀଡ଼ିତା ଆସି ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ୧୫ ତାରିଖ ସନ୍ଧ୍ୟାରେ ସଂଦେହ ଆଧାରରେ ଅଟକ ରଖିଥିଲା। ଅଟକ ବ୍ୟକ୍ତି ଲକ୍ଷ୍ମଣ ହିଁ ଅଭିଯୁକ୍ତ ବୋଲି ନିଶ୍ଚିତ ହେବା ପରେ ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଲକ୍ଷ୍ମଣ ଜଣେ ବସ୍‌ ଡ୍ରାଇଭର ହୋଇଥିବାରୁ ବସ୍‌ରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିବା ଖବର ପ୍ରଥମେ ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ଦୁଷ୍କର୍ମ ପାଇଁ ମହିଳାଙ୍କୁ ବସ୍‌ରେ ନୁହେଁ, ବାଇକ୍‌ରେ ବିଭିନ୍ନ ସ୍ଥାନକୁ ନିଆଯାଇଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଏଥିସହ ବୁଧବାର ରାତି ପ୍ରାୟ ୨ଟା ବେଳେ ଅଭିଯୁକ୍ତ ବ୍ୟବହାର କରିଥିବା ବାଇକ (ଓଡି ୧୫ ଇ ୭୬୫୯)କୁ ବି ପୁଲିସ ଜବତ କରିଛି।
ଉଲ୍ଲେଖ‌ଯୋଗ୍ୟ, ଅଭିଯୁକ୍ତ ଲକ୍ଷ୍ମଣ ଜଣେ ବିବାହିତ ବ୍ୟକ୍ତି ଓ ତାଙ୍କର ୩ ବର୍ଷର ଝିଅ ରହିଛି। ଅଭିଯୁକ୍ତର ପତ୍ନୀ ଏବେ ୯ ମାସର ଗର୍ଭବତୀ ଅଛନ୍ତି। ଅଭିଯୁକ୍ତ ପୂର୍ବରୁ ଜଣେ ବସ୍‌ ହେଲପର ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୧୫ ଦିନ ହେବ ସମ୍ବଲପୁର-ଦେବଗଡ଼କୁ ଚଳାଚଳ କରୁଥିବା ଏକ ଘରୋଇ ବସ୍‌ରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର