ଜାମିନର ୮ ମାସ ପରେ ଜେଲରୁ ବାହାରିଲେ ବାବୁଲି

ସମ୍ବଲପୁର: ଜାମିନ ପାଇବାର ୮ ମାସ ପରେ ଜେଲରୁ ମୁକୁଳିଲେ ଅନୁଗୁଳ ଜିଲ୍ଲା ମାନିକପୁରର ବାବୁଲି ମହାନନ୍ଦିଆ(୨୫)। ବ୍ୟକ୍ତିଗତ ମୁଚାଲିକା ବଳରେ ତାଙ୍କୁ ଜାମିନ ଦିଆଯାଇଛି। ‘ଜାମିନ ସତ୍ତ୍ୱେ ଜେଲରେ ୮ କଏଦୀ’ ନେଇ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏ ନେଇ ଦୃଷ୍ଟି ଆକର୍ଷଣ ପରେ ଅଦାଲତ ପକ୍ଷରୁ ସେମାନଙ୍କୁ ମୁକୁଳିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଷ୍ଟେଟ ଡିଫେନ୍ସ କାଉନସିଲ ପକ୍ଷରୁ ବାବୁଲିଙ୍କ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁରଂଜିନୀ ବାରିକ କହିଛନ୍ତି, ଚୋରି ମାମଲାରେ ୨୦୧୭ ମସିହା ଜୁନ ମାସରେ ବାବୁଲିଙ୍କୁ ଗିରଫ କରାଯାଇ ଥିଲା। ସେ ନିଜ ପାଇଁ ଆଇନଜୀବୀ ନିଯୁକ୍ତ କରିବାକୁ ଅସମର୍ଥ ଥିଲେ।

ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ମାମଲା ଲଢିବା ପାଇଁ ଦାୟିତ୍ୱ ଦିଆଯାଇ ଥିଲା। ୨୦୧୭ ମସିହା ଅଗଷ୍ଟ ୯ ତାରିଖରେ ମାନ୍ୟବର ଅଦାଲତ ବାବୁଲିଙ୍କୁ ଜାମିନ ମଧ୍ୟ ଦେଇଥିଲେ। ଏଥିପାଇଁ ୨୦ ହଜାର ଟଙ୍କା ସିକ୍ୟୁରିଟି ଜମା ପାଇଁ ନିର୍ଦେଶ ହୋଇଥିଲା। ମାତ୍ର ବାବୁଲିଙ୍କ ଅନୁଯାୟୀ, ତାଙ୍କ ପରିବାରରେ ବାପା, ମା ନାହାନ୍ତି। ଏକମାତ୍ର ଭିନ୍ନକ୍ଷମ ଭାଇ ଅଛି। ତେଣୁ ପରିବାର ପକ୍ଷରୁ କେହି ଜାମିନ ପାଇଁ ଆସିନଥିଲେ। ଏଥିଯୋଗୁଁ ୮ ମାସ ପର୍ଯ୍ୟନ୍ତ ସେ ଜେଲରେ ପଡ଼ି ରହିଥିଲେ। ମାତ୍ର ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଜାମିନ ପ୍ରଦାନ ପାଇଁ ଅଦାଲତ ଗୁରୁବାର ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ୩୦ ଏବଂ ମଇ ୧୦ ତାରିଖ ତାଙ୍କୁ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ଜାମିନ ପରେ ମଧ୍ୟ ଅନ୍ୟ ୭ କଏଦୀ ବର୍ତ୍ତମାନ ମଧ୍ୟ ମଣ୍ଡଳ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର