ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା ଅଭିଯୋଗ

ସମ୍ବଲପୁର: ପିତାମାତାଙ୍କ ଅନିଚ୍ଛା ସତ୍ତ୍ୱେ ଜଣେ ଭିନ୍ନ ସଂପ୍ରଦାୟର ଯୁବକଙ୍କୁ ଭଲ ପାଇ ବିବାହ କରିବା ପରେ ଶାଶୂ ଘର ଲୋକେ ତାଙ୍କୁ ଯୌତୁକ ଦାବି କରିବା, ନିର୍ଯ୍ୟାତନା ଦେବା, ସ୍ୱାମୀ ଘର ଛାଡ଼ି ଚାଲିଯିବା ଓ ପରେ ତାଙ୍କୁ ଘରୁ ତଡ଼ି ଦେବା ନେଇ ଜଣେ ୨୦ ବର୍ଷୀୟା ଯୁବତୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ହୀରାକୁଦ ଚକ୍ରବର୍ତ୍ତୀପଡ଼ାର ସୁଚରିତା ବେହେରା (୨୦) ଏବଂ ଖ୍ରିଷ୍ଟିଆନ ପଡ଼ାର ସ୍ୱରୂପ ଛତ୍ରିଆ ପାଞ୍ଚ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଗତ ବର୍ଷ ଜୁନ ୨୨ ତାରିଖରେ ସ୍ୱରୂପ ସୁଚରିତାଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ ଓ ୧ ବର୍ଷ ହେଲା ଦୁହେଁ ସ୍ୱାମୀ, ସ୍ତ୍ରୀ ହୋଇ ରହିଥିଲେ। କିନ୍ତୁ ସ୍ୱରୂପଙ୍କ ଘରକୁ ଯିବାର ୨ ମାସ ପରେ ହିଁ ସୁଚରିତାଙ୍କ ଉପରେ ୫ ଲକ୍ଷ ଟଙ୍କା ଆଣିବା ପାଇଁ ଶାଶୂଘର ଲୋକଙ୍କ ନିର୍ଯ୍ୟାତନା ଆରମ୍ଭ ହୋଇ ଯାଇଥିଲା। ତେବେ ସୁଚରିତାଙ୍କ ପିତା ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ। ତଥାପି ସୁଚରିତା ସବୁ ନିର୍ଯ୍ୟାତନାକୁ ସହି ଶାଶୂ ଘରେ ପଡ଼ି ରହିଥିଲେ। ଗତ ଜୁନ ୨୮ ତାରିଖରେ ତାଙ୍କ ସ୍ୱାମୀ ଘର ଛାଡ଼ି କୁଆଡ଼େ ଚାଲି ଯାଇଥିଲେ। ଏହାପରେ ଶାଶୂ ଓ ଦିଅର ମିଶି ତାଙ୍କୁ ଘରୁ ତଡ଼ି ଦେଇଥିଲେ। ତେଣୁ ତାଙ୍କ ସ୍ୱାମୀ, ଶାଶୁ ମାଲା ଛତ୍ରିଆ, ଦିଅର ସୁରଜ ଏବଂ ଦେଢ଼ଶୂର ବାବି ଛତ୍ରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମହିଳା ଥାନା ପୁଲିସକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର