ଦିନ ସାରା ବର୍ଷିଲା:ପାଣିରେ ବୁଡ଼ିଲା ବହୁ ରାସ୍ତା

ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ସାରା ଲାଗି ରହିଥିଲା ବର୍ଷା। ସକାଳୁ ସାମାନ୍ୟ ବର୍ଷା ହୋଇଥିଲା। ତେବେ ଦିନ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ୪ଟା ଯାଏ ଝିପିଝିପି ବର୍ଷା ଲାଗି ରହିଥିଲା। ଦିନରେ ସମ୍ବଲପୁର ସହରରେ ୪୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ସର୍ବାଧିକ ବର୍ଷା ସମ୍ବଲପୁରରେ ହୋଇଥିଲା। ବୁଧବାର ଦିନବେଳା ପୁରୀ, ଅନୁଗୁଳ ଓ ଭୁବନେଶ୍ୱର ପରେ ସମ୍ବଲପୁରର ବର୍ଷା ପରିମାଣ ସର୍ବାଧିକ ଥିଲା। ଦିନ ସାରା ବର୍ଷା ଯୋଗୁଁ ପାଗ ଶୀତଳ ରହିଥିଲା। ସହରର ସର୍ବାଧିକ ତାପମାତ୍ରା ୨୭.୮ଂ ଓ ସର୍ବନିମ୍ନ ତାପମାତ୍ରା ୨୩.୫ଂ ଥିଲା। ବର୍ଷା ହୋଇଥିଲେ ବି ବିଜୁଳି, ଘଡ଼ଘଡ଼ି ଦେଖିବାକୁ ମିଳି ନଥିଲା ବା ଜୋରରେ ପବନ ବୋହି ନଥିଲା। ତେବେ ବର୍ଷା ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାଘାଟ, ଦୋକାନ, ବଜାରରେ ଭିଡ଼ କମ ରହିଥିଲା। ସ୍କୁଲ, କାର୍ଯ୍ୟାଳୟ ଆଦିରେ ମଧ୍ୟ ଉପସ୍ଥାନ କମ ଥିଲା। ତେବେ ଏହି ବର୍ଷା ଚାଷୀକୁ ଆଶ୍ୱସ୍ତ କରିଛି। ଏହାଦ୍ୱାରା ଚାଷ କାମ ତ୍ୱରାନ୍ଵିତ ହୋଇପାରିବ ବୋଲି କୃଷକମାନେ ଆଶା ପୋଷଣ କରିଛନ୍ତି।
ବୁଧବାର ୬ ଘଣ୍ଟା ଧରି ବର୍ଷି ଥିଲେ ବି ମୂଷଳ ଧାରାରେ ବର୍ଷା ହୋଇ ନଥିଲା। ଏହା ସତ୍ତ୍ୱେ ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ପାଣି ଭରି ଯାଇଥିଲା। ଚିରାଚରିତଭାବେ ସମ୍ବଲପୁର ରେଳ ଷ୍ଟେସନ ସମ୍ମୁଖରୁ ଚେରୁଆପଡ଼ା ରାସ୍ତା ପାଣିରେ ବୁଡ଼ି ଯାଇଥିଲା। ସହରର ପ୍ରବେଶ ପଥ କୁହା ଯାଉଥିବା ଉକ୍ତ ରାସ୍ତାରେ ଆଣ୍ଠୁଏରୁ ଅଧିକ ପାଣି ଜମା ହୋଇ ରହିଥିଲା। ଅଧିକ ପାଣି ଯୋଗୁଁ ଗୋଟିଏ ପାର୍ଶ୍ୱରେ ଗାଡ଼ି ମଟର ଯିବା ସମ୍ଭବ ହୋଇ ନଥିଲା। ସ୍ଥାନୀୟ ଲୋକେ ରାସ୍ତା ଉପରେ ମୋଟର ସାଇକଲ ରଖି ଲୋକଙ୍କୁ ସେହି ବାଟରେ ଯିବାକୁ ବାରଣ କରୁଥିଲେ। କମଲିବଜାର ରାମଜୀ ମନ୍ଦିର ସମ୍ମୁଖ ଗଳିରେ ପାଣି ଜମି ଯାଇଥିବାରୁ ଲୋକେ କାନ୍ଥ ଉପରେ ଚଢ଼ି ଯିବା ଆସିବା କରୁଥିଲେ। ବହୁ ବସ୍ତି, କଲୋନି, ଗଳି ଆଦିରେ ପାଣି ଭରି ଯାଇଥିଲା। ବର୍ଷା ଆସି ଯାଇଥିଲେ ବି ଏଥର ସହରର ସବୁ ଅଞ୍ଚଳରେ ନାଳ ସଫା କାମ ଠିକରେ ହୋଇ ନାହିଁ। ବିଭିନ୍ନ ଅଞ୍ଚଳରେ ନାଳ ଗୁଡ଼ିକ ଆବର୍ଜନାରେ ଜାମ ହୋଇ ରହିଛି। ତେଣୁ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜମୁଛି।

ସମ୍ବନ୍ଧିତ ଖବର