ଉତ୍ସାହିତ ସମ୍ବଲପୁର ପୁଲିସ:ଶାସନ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁର ତଦନ୍ତ ଚାଲିବ

ସମ୍ବଲପୁର: ଓଡ଼ିଶା ପୁଲିସ ପକ୍ଷରୁ ସମଗ୍ର ରାଜ୍ୟରେ ପରୀ ରଥ ଚାଲିଥିବାବେଳେ ଶାସନ ଦୁଷ୍କର୍ମ ଘଟଣାରେ ୫ ଜଣଙ୍କୁ ଆଜୀବନ ରାୟ ପ୍ରକାଶିତ ହେବା ସକାରାତ୍ମକ ବାତାବରଣ ସୃଷ୍ଟି କରିଛି। ଏକ ମାସ ମଧ୍ୟରେ ସମ୍ବଲପୁର ସ୍ୱତନ୍ତ୍ର ପକ୍‌ସୋ ଅଦାଲତ ମାମଲାର ଶୁଣାଣି କରିଛନ୍ତି। ତ୍ୱରିତ ନ୍ୟାୟ ପ୍ରକ୍ରିୟା ପାଇଁ ସମ୍ବଲପୁର ଏସପି, ଆଇଓ, ପବ୍ଲିକ ପ୍ରସିକ୍ୟୁଟର ସମସ୍ତେ ଧନ୍ୟବାଦର ପାତ୍ର। ସମ୍ବଲପୁର ଏସପି ସଂଜୀବ ଆରୋରାଙ୍କ ଉପସ୍ଥିତିରେ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ। ଅନ୍ୟଦିଗରେ ଯେଉଁ ବାଳିକାକୁ ନ୍ୟାୟ ପ୍ରଦାନ ପାଇଁ ବ୍ୟବସ୍ଥାକୁ ଏତେ ତ୍ୱରିତ କରାଯାଇଛି ସେ ଆଖି ବୁଜି ସାରିଛନ୍ତି।

ତାଙ୍କ ଆତ୍ମହତ୍ୟା ନେଇ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି, ଏହା ଚ୍ୟାଲେଞ୍ଜ ହୋଇଛି। ଏହି ମାମଲାର ନାବାଳକ ଅଭିଯୁକ୍ତ ଶୁଣାଣି ଆରମ୍ଭ ହୋଇନି। ନାରୀ ସୁରକ୍ଷା ନେଇ ବିରୋଧୀ ଦଳ ବିଜେପିର ପ୍ରତିଦିନର ଆନ୍ଦୋଳନ, ରାଜ୍ୟ ସରକାରଙ୍କ ପରୀ ରଥ। ଶାସନ ଗଣଦୁଷ୍କର୍ମ ମାମଲାରେ ୧୫ ଦିନ ମଧ୍ୟରେ ଚାର୍ଜସିଟ ଏବଂ ଏକ ମାସ ମଧ୍ୟରେ ନ୍ୟାୟ ପ୍ରକାଶକୁ ସମ୍ବଲପୁର ପୁଲିସ ନିଜର ବଡ଼ ସଫଳତା ଭାବରେ ଗ୍ରହଣ କରିଛି। ରବିବାର ଡିଆଇଜିଙ୍କ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ ହେଉଥିଲା। ଏହି ଅବସରରେ ତିନି ସରକାରୀ ଓକିଲ ଆର୍ତ୍ତତ୍ରାଣ ମିଶ୍ର, ହେରମ୍ବ ଚନ୍ଦ୍ର ଦାନୀ ଏବଂ ସନ୍ତୋଷ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ଦିନ ରାତି ୧୦ଟା ପର୍ଯ୍ୟନ୍ତ କୋର୍ଟ ଚାଲିଥିଲା। ଏହି ମାମଲାର ବିଚାର ତରବରିଆ ଭାବେ କରାଯାଇଥିବା ପ୍ରତିପକ୍ଷ ଓକିଲ ଅଭିଯୋଗ ଆଣିଛନ୍ତି। ତେଣୁ ଏହି ରାୟ ଉଚ୍ଚ ନ୍ୟାୟାଳୟରେ ମଧ୍ୟ କିଭଳି କାଏମ ରହିବ ତାହା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ନାବାଳିକା କେଉଁ ସ୍ଥିତିରେ ଏବଂ କାହିଁକି ଆତ୍ମହତ୍ୟା କଲେ ଏ ନେଇ ପୁଲିସ ଯାଞ୍ଚ କରିବ ବୋଲି ଡିଆଇଜି କହିଛନ୍ତି। ଏହା ହେଲେ ମାମଲା ନୂଆ ମୋଡ଼ ନେବ।
ଜାମିନରେ ନାବାଳକ ଅଭିଯୁକ୍ତ
ସମ୍ବଲପୁର,୩|୬(ଇମିସ): ଶାସନ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ନାବାଳକ ଅଭିଯୁକ୍ତ ବର୍ତ୍ତମାନ ଜାମିନରେ ଅଛନ୍ତି। ତାଙ୍କ ମାମଲାର ଶୁଣାଣି ହୋଇନି। ଗ୍ରୀଷ୍ମ ଅବକାଶ ପରେ ଜୁଭେନାଇଲ କୋର୍ଟରେ ମାମଲାର ଶୁଣାଣି ହେବ। ନାବାଳକ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ଆଇନ ଅନୁଯାୟୀ, ତାଙ୍କୁ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ କରାଯାଇ ପାରିବ।
ଖୁବ ଶିଘ୍ର ଓ୍ଵାନ ଷ୍ଟପ ସେଣ୍ଟର: ଏସ୍‌ପି
ସମ୍ବଲପୁର,୩|୬(ଇମିସ): ଭୁବନେଶ୍ୱର ଭଳି ସମ୍ବଲପୁରରେ ଖୁବ ଶିଘ୍ର ଆରମ୍ଭ ହେବ ଓ୍ଵାନ ଷ୍ଟପ ସେଣ୍ଟର। ଏହା ପରେ ଡାକ୍ତରୀ ଚିକିତ୍ସା, ଏତଲା ଠାରୁ ଆରମ୍ଭ କରି ମାମଲା ପାଇଁ ବାରମ୍ବାର ଅଦାଲତ ଦୌଡ଼ିବା ନେଇ ପୀଡ଼ିତାମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଏହାର ସମାଧାନ ହେବ। ନିର୍ଦିଷ୍ଟ ଭାବରେ କେତେ ତାରିଖରେ ଏହାର ଉଦଘାଟନ ହେବ ଏହା କୁହାଯାଇ ପାରୁନଥିଲେ ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ସମ୍ବଲପୁର ଏସପି ସଂଜୀବ ଆରୋରା। ଦୁଷ୍କର୍ମ ଶିକାର ମହିଳାଙ୍କ ପାଇଁ ଏତଲା ଠାରୁ ଆରମ୍ଭ କରି ଅଦାଲତର ଶୁଣାଣି ସହଜ ହୁଏ ନାହିଁ। ଅନେକ କ୍ଷେତ୍ରରେ ପୀଡ଼ିତା ମହିଳା କିମ୍ବା ନାବାଳିକାଙ୍କୁ ପରିବାର ଏକୁଟିଆ ଛାଡ଼ି ଦେଇ ଥାଆନ୍ତି। ଉତ୍ପୀଡ଼ନ ଶିକାରଙ୍କ ପାଇଁ ଓ୍ଵାନ ଷ୍ଟପ ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏ ନେଇ ସଦର ଡାକ୍ତରଖାନାରେ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲିବ। ଏଥିପାଇଁ ସାମାଜିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଉତ୍ପୀଡ଼ନ ନେଇ ଅଭିଯୋଗ ମିଳିଲେ, ଏହି ଓ୍ଵାନ ଷ୍ଟପ ସେଣ୍ଟର କର୍ମକର୍ତ୍ତା ପୀଡ଼ିତାଙ୍କ ପ୍ରାଥମିକ ଡାକ୍ତରୀ ଚିକିତ୍ସା କରାଇବେ। ପରେ ତାଙ୍କୁ ନେଇ ଥାନାରେ ପହଞ୍ଚିବା ସହିତ ଏଥିପାଇଁ ବୟାନ ସଂଗ୍ରହର ଦାୟିତ୍ୱ ନେବେ। ଏପରିକି ଯେଉଁଠି ପୀଡ଼ିତାଙ୍କୁ ତାଙ୍କ ପରିବାର ଗ୍ରହଣ କରିବ ନାହିଁ ତାଙ୍କ ଥଇଥାନ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର