ଅପସ୍ମାର ନେଲା ୪ ପିଲାଙ୍କ ଜୀବନ:ମିର୍ଦ୍ଧା ଦମ୍ପତି ଏବେ ନିଃସନ୍ତାନ

ଧନକଉଡ଼ା:ଅପସ୍ମାର ରୋଗ ନେଇଗଲା ୪ ଭାଇଭଉଣୀଙ୍କ ଜୀବନ। ମାତ୍ର ୭ ବର୍ଷ ମଧ୍ୟରେ ଉଜୁଡ଼ି ଗଲା ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କଳାମାଟି ପଞ୍ଚାୟତ କୁଡ଼ାପାଲିର ଗୋବର୍ଦ୍ଧନ ମିର୍ଦ୍ଧା ଓ ଯମୁନା ମିର୍ଦ୍ଧାଙ୍କ ସଂସାର। ଖୁସିର ସଂସାର ଏବେ ଶୋକର ସାଗରରେ ପରିଣତ ହୋଇଯାଇଛି।

କୁଡ଼ାପାଲି ନିବାସୀ ଗୋବର୍ଦ୍ଧନ ମିର୍ଦ୍ଧାଙ୍କ ଥିଲେ ୨ ଝିଅ ଓ ୨ଟି ପୁଅ। ପୁଅଝିଅଙ୍କ ପାଟିତୁଣ୍ଡ, ହସଖୁସି ଭିତରେ ସମୟ ବିତାଉ ଥିଲେ ଏହି ଦମ୍ପତି। ସମୟ କେମିତି ଅତିକ୍ରାନ୍ତ ହେଉଥିଲା ଜଣାପଡ଼ୁନଥିଲା। ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ଅପସ୍ମାରରେ ଆକ୍ରାନ୍ତ ହୋଇଥିବା ଗୋବର୍ଦ୍ଧନଙ୍କ ୪ସନ୍ତାନ ଗୋଟିଏ ପରେ ଗୋଟିଏ କରି ଆରପାରିକୁ ଚାଲିଗଲେ। ବଡ଼ ଝିଅ ସୀତୟା ମିର୍ଦ୍ଧାଙ୍କୁ ୧୮ ବର୍ଷ ହେଉଥିଲା ବେଳେ ସେ ଅପସ୍ମାର ରୋଗର ଶିକାର ହୋଇଥିଲେ। ଗତ ୧୦ ଅପ୍ରେଲ ୨୦୧୧ରେ ସୀତୟାଙ୍କ ପ୍ରାଣବାୟୁ ଉଡ଼ିଗଲା। ବଡ଼ ଝିଅକୁ ହରାଇବାର ୪ ବର୍ଷ ପରେ ଗତ ୧ ମେ ୨୦୧୫ରେ ଗୋବର୍ଦ୍ଧନଙ୍କ ନିଜ ଦ୍ୱିତୀୟ ସନ୍ତାନ ବିଷ୍ଣୁକୁୁ ହରାଇଥିଲେ।

ମାତ୍ର ୧୨ ବର୍ଷ ବୟସରେ ବିଷ୍ଣକୁ ଆରପାରିକୁ ନେଇଗଲା। ମିର୍ଦ୍ଧା ଦମ୍ପତିଙ୍କ ନିଜର ପ୍ରଥମ ଦୁଇ ସନ୍ତାନଙ୍କ ହରାଇବାର ବିଷାଦ ମନରୁ ନଲିଭୁଣୁ ଗତ ୫ ଜାନୁଆରି ୨୦୧୮ରେ ମାତ୍ର ୧୭ ବର୍ଷ ବୟସରେ ତୃତୀୟ ସନ୍ତାନ  ସତ୍ୟ ନାରାୟଣର ବି ପରଲୋକ ହୋଇଗଲା। ଆଉ ଏହାର ୫ ମାସ ପରେ ମିର୍ଦ୍ଧା ଦମ୍ପତିଙ୍କ ମୁଣ୍ଡରେ ସବୁଠାରୁ ବଡ଼ ଚଡ଼କ ପଡ଼ିଲା। ଗତ ୧୨ ଜୁନ୍‌ ମଂଗଳବାର ଦିନ ସବା ସାନ ଝିଅ କୈକେୟୀ ବି ଆରପାରିକୁ ଚାଲିଗଲା। ଚାରି ସନ୍ତାନଙ୍କୁ ହରାଇବା ପରେ ଏହି ଗରିବ ମିର୍ଦ୍ଧା ଦମ୍ପତି ପୂରାପରି ଭାଂଗି ପଡ଼ିଛନ୍ତି। ବୃଦ୍ଧାବସ୍ଥାରେ ସାହା ହେବା ପାଇଁ ଏବେ ତାଙ୍କ ପାଖରେ କେହି ଜଣେ ବି ନାହିଁ। ଧନକଉଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁଷମା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ପ୍ରଧାନ, କଳାମାଟି ସରପଞ୍ଚ ସାବିତ୍ରୀ ରଥ ପ୍ରମୁଖ ଏହି ଶୋକ ସନ୍ତପ୍ତ ଦମ୍ପତିଙ୍କୁ ଭେଟି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରିବା ସହ ସମବେଦନା ଜଣେଇଥିଲେ।

ସମ୍ବନ୍ଧିତ ଖବର