ଦୁଇ ବାଳିକାକୁ ଦୁଷ୍କର୍ମ ଉଦ୍ୟମ

ସମ୍ବଲପୁର,:ରାଜ୍ୟରେ ବାଳିକାଙ୍କ ପ୍ରତି ନିର୍ଯାତନା ଥମୁ ନାହିଁ। ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ପ୍ରଥମ ଘଟଣା ଧନୁପାଲି ଥାନା ଅଂଚଳରେ ହୋଇଥିବା ବେଳେ ଅନ୍ୟ ଘଟଣାଟି ଶାସନ ଥାନା ଅଂଚଳରେ ଘଟିଛି। ଗୁରୁବାର ଦିନ ୧୦ଟାରେ ମୋତିଝରନ ଅଂଚଳର ଜଣେ ୯ବର୍ଷର ବାଳିକା ପଡ଼ାରେ ଖେଳୁଥିଲେ। ଏହି ପଡ଼ାର ମହମ୍ମଦ ଆଲାଂଗୀର ନାମକ ଜଣେ ୨୦ ବର୍ଷର ଯୁବକ ସଂପୃକ୍ତ ବାଳିକାଙ୍କୁ ଟିଭି ଦେଖିବା ପାଇଁ ନିଜ ଘରକୁ ଡାକି ନେଇଥିଲା। ଘରକୁ ଯିବା ପରେ କବାଟ ବନ୍ଦ କରି ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ବାଳିକା ଜଣକ ପ୍ରତିବାଦ କରିବାରୁ ଆଲାଂଗୀର ଏକ ଶକ୍ତ ଚାପୁଡ଼ା ମାରିବାରୁ ନାକ ପଟୁ ରକ୍ତ ବାହାରି ପଡ଼ିଥିଲା। ଯନ୍ତ୍ରଣା ଯୋଗୁଁ ବାଳିକା ଜଣକ ଚିତ୍କାର କରିଥିଲେ। ଘର ପାଖରେ ଥିବା ଲୋକେ ସେଠାକୁ ଦୌଡ଼ି ଥିଲେ। ଖୋଲିବା ପାଇଁ କବାଟ ବାଡ଼େଇ ଥିଲେ। ମାତ୍ର ଅଭିଯୁକ୍ତ ପ୍ରଥମେ କବାଟ ଖୋଲି ନଥିଲା। ଲୋକେ ପ୍ରବଳ ପାଟିତୁଣ୍ଡ କରିବା ପରେ ଆଲାଂଗୀର କବାଟ ଖୋଲିଥିଲା। ସେ ଘରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ତାକୁ କାବୁ କରି ନେଇଥିଲେ। ଘଟଣା ସଂକ୍ରାନ୍ତରେ ଖବର ଧନୁପାଲି ପୁଲିସ ତୁରନ୍ତ ସେଠାରେ ପହଂଚି ଆଲାଂଗୀରକୁ ଗିରଫ କରିଥିଲା। ଧନୁପାଲି ଥାନା ପୁଲିସ ତା ବିରୋଧରେ ୩୪୧,୩୨୩, ୫୦୬,୫୧୧, ୩୭୬ ଆଇପିସି ଓ ପସ୍‌କୋ ଆଇନରେ ମାମଲା ରୁଜୁ କରାଯାଇଛି। କବାଡ଼ି କାମ କରୁଥିବା ଆଲାଂଗୀରର ବାପା ଅବଦୁଲ ମାଜିଦ ବୁଧବାର ଦିନ ମୋଟର ପମ୍ପ ଚୋରି ମାମଲାରେ ଗିରଫ ହୋଇ ଥାନାରେ ଥିଲା। ଗୁରୁବାର ଉଭୟ ବାପପୁଅଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠେଇ ଦିଆଯାଇଛି। ସେହିପରି ଶାସନ ଥାନା ଅଂଚଳରେ ମଧ୍ୟ ଜଣେ ବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା କୁହାଯାଇଛି। ପୀଡ଼ିତାଙ୍କ ପରିବାର ଲୋକେ ବିହାରର ମୂଳନିବାସୀ ହୋଇଥିବା ବେଳେ ସଂପୃକ୍ତ ଅଂଚଳର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ହେଲେ ଏନେଇ  ସନ୍ଧ୍ୟା ସୁଦ୍ଧା ଘଟଣା ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇନାହିଁ। ଘଟଣା ସଂକ୍ରାନ୍ତରେ ଖବର ମିଳିବା ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଏତଲା ଦେବା ପାଇଁ ଥାନା ଡକାଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର