ବିରୋଧୀଙ୍କୁ ଖାଇଗଲା ବିଜେଡି ରଣନୀତି

ସମ୍ବଲପୁର (ଅରବିନ୍ଦ ଦାସ): ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ସଂଗଠିତ ଭାବେ ଲଢ଼ିବା ପାଇଁ ଶାସକ ଦଳକୁ ଏକ ସୁଯୋଗ ଦେଲା। ଦ୍ୱିତୀୟତଃ, ଉପନିର୍ବାଚନ ବିଳମ୍ବିତ ହେବା ଯୋଗୁଁ ଭୁଲଭଟକା ସଜାଡ଼ିବା ପାଇଁ ବିଜେଡିକୁ ପର୍ଯ୍ୟାପ୍ତ ସମୟ ମିଳିଗଲା।

ଦିନ ଥିଲା, ରାଜ୍ୟରେ ଶାସକ ଦଳ ଉପନିର୍ବାଚନରେ ହାରିବାର ପରମ୍ପରା ରହୁଥିଲା। ଅଶୀ ଦଶକକୁ ଉଦାହରଣ ଭାବେ ନିଆଯାଇପାରେ। ଏବେ ଠିକ ଓଲଟା। ବର୍ତମାନ ଯେକୌଣସି ଉପନିର୍ବାଚନକୁ ରାଜନୈତିକ ଦଳମାନେ ଆହ୍ଵାନ ଭାବେ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଶାସକ ବିଜେଡି ବିଜେପୁର ଉପନିର୍ବାଚନକୁ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରିଥିଲା। ନିର୍ବାଚନ ଜିତିବା ଲାଗି ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂ, ଗାଇସିଲାଟରେ ମନ୍ତ୍ରୀ ନରଂଜନ ପୂଜାରୀ ଓ ବରପାଲିରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରଠାରୁ କ୍ୟାମ୍ପ କରି ରହୁଥିଲେ। ରାଜ୍ୟବ୍ୟାପୀ ବିଜେଡିର ହାଓ୍ଵା ବିପକ୍ଷରେ ମଧ୍ୟ ଲଗାତର ତିନିତିନି ଥର ଜିତିଥିବା ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ଜନାଧାରର ଭିତ୍ତି ମୂଳତଃ ‘ଜନସମ୍ପର୍କ’ ଥିଲା। ତାଙ୍କ ଅମଳରେ ବିକାଶ କେବେ ପ୍ରସଙ୍ଗଟିଏ ହେବାର ସୁଦ୍ଧା ସୁଯୋଗ ନଥିଲା। ୧୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପୁର ନିର୍ବାଚନମଣ୍ଡଳୀରେ ବିକାଶକୁ ନେଇ ବିଜେଡି ଭୋଟରମାନଙ୍କ ନିକଟତର ହେବାକୁ ଚେଷ୍ଟା କଲା। ସୁବଳଙ୍କ ସମୟରେ କାମ ବିଶେଷ ହୋଇନଥିବା କହି ଲୋକେ ଏଥର ଉପନିର୍ବାଚନ ବେଳେ ଅସନ୍ତୋଷ ପ୍ରକାଶ କରୁଥିଲେ।

ତେବେ ସେହି ସୁବଳଙ୍କ ପତ୍ନୀଙ୍କୁ ହିଁ ବିଜେଡି ପ୍ରାର୍ଥୀ ଭାବେ ସେମାନେ ସମର୍ଥନ କରିବାର ସୂଚନା ଦେଉଥିଲେ। ଅନୁକମ୍ପା କିଛିଟା ତ ଥିଲା! ଯାହା ବି ଥିଲା, ପ୍ରାୟତଃ ବରପାଲି ଏନଏସି ଅଞ୍ଚଳରେ। ବିଜେଡି ସପକ୍ଷରେ ବରଂ ଏଇଥିପାଇଁ ମୂଳରୁ ବାତାବରଣ ସୃଷ୍ଟି ହେଲା ଯେ, ଦଳ ପକ୍ଷରୁ ପ୍ରତି ବ୍ଲକ୍‌ରେ ମନ୍ତ୍ରୀ କ୍ୟାମ୍ପ କରି ଲୋକଙ୍କର ଛୋଟବଡ଼ ସମସ୍ୟା ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏଣେ ରାସ୍ତାଘାଟ, ପିଇବା ପାଣି, ବିଦ୍ୟୁତ ସଂଯୋଗ, ଟ୍ରାନ୍ସଫର୍ମର ମରାମତି ଭଳି ଛୋଟଛୋଟ କାମ କରାଇ ଏହି ମନ୍ତ୍ରୀମାନେ ଦଳଆଡକୁ ଲୋକଙ୍କୁ ଟାଣିଆଣିଲେ। ତେଣେ ୧୨୪୬ କୋଟିର ଭୂତଳ ଉଠା ଜଳସେଚନ ପ୍ରକଳ୍ପ, ବିଜେପିକୁ ଏନଏସି ଘୋଷଣା ଆଦି ମଧ୍ୟ ଲୋକଙ୍କୁ ନିଶ୍ଚିତ ପ୍ରଭାବିତ କରିଥିବ। ତା’ଛଡ଼ା, ନୂଆ ବିଧାୟକ ମାତ୍ର ଛଅରୁ ସର୍ବାଧିକ ପ୍ରାୟ ବର୍ଷେ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିବେ। ତେଣୁ ରାଜନୀତିରେ ନବାଗତା ହୋଇଥିବା ସତ୍ତ୍ୱେ ବିଜେଡି ପ୍ରାର୍ଥିନୀ ରୀତାଙ୍କ ଯୋଗ୍ୟତା ଏଥର ଆଉ ନକାରାତ୍ମକ ନିର୍ଣ୍ଣାୟକ ଫ୍ୟାକ୍ଟର ହୋଇ ରହିଲାନି। ବରଂ ‘ଆସନ୍ତା ଛଅମାସରେ ରାଜ୍ୟର ଶାସକ ଦଳଠାରୁ କିଛି ତ ହାସଲ ହେଇଯାଉ’ ନ୍ୟାୟରେ ଲୋକେ ବିଜେଡି ସାଙ୍ଗରେ ରହିଲେ।

ମୂଳରୁ ଧରାଯାଉଥିଲା, କଂଗ୍ରେସର ପ୍ରଦର୍ଶନ ଶୋଚନୀୟ ହେଲେ ବିଜେପିକୁ ଫାଇଦା ହେବ। ଏଥର କିନ୍ତୁ ପୂରା ଓଲଟା ଚିତ୍ର ଦେଖିବାକୁ ମିଳିଲା। ଗତ ପଞ୍ଚାୟତ ନିର୍ବାଚନରେ ପ୍ରଣୟ ନିଜ ବ୍ଲକ କ୍ରମାଗତ ୫ମ ଥର ଦଖଲ କରିବା ସହ ଜିଲ୍ଲା ପରିଷଦରେ ବିଜେପି ପ୍ରାର୍ଥୀ ମଦନ ଦୀପଙ୍କୁ ଜିତାଇଥିଲେ। ତେଣୁ କଂଗ୍ରେସ ଦୁର୍ବଳ ହେଲେ ବିଜେଡିକୁ ଅସୁବିଧା ହେବା ଆଶଙ୍କା କରି କଂଗ୍ରେସକୁ ଉଠାଇବା ପାଇଁ ବିଜେଡି ସୁପ୍ରିମୋ ରଣନୀତି କରୁଛନ୍ତି ବୋଲି ମଧ୍ୟ ଆଲୋଚନା ହେଲା। ବିଜେଡି ହିଁ କଂଗ୍ରେସ ଭୋଟ ଧ୍ରୁବୀକରଣର ପୂରା ଫାଇଦା ଉଠାଇଲା।

ମୂଳରୁ ହିଁ ବିଜେଡି ଓ ବିଜେପି ଉଭୟ ଦଳର ପ୍ରାର୍ଥୀଙ୍କ ଗ୍ରହଣୀୟତାକୁ ନେଇ ଦ୍ୱନ୍ଦ୍ୱ ଥିଲା। ତେବେ ଏହା ବିଜେଡିର କ୍ଷତି କଲାନାହିଁ। ବରପାଲିର ମୂଳ ବିଜେଡି ଲୋକେ ‘କଂଗ୍ରେସରୁ ଆସିଥିବା ରୀତାଙ୍କୁ ଅନ୍ତତଃ ଏଇ ଥରକ ସମର୍ଥନ ଦେବା, ନହେଲେ ବିଜେପି ଜିତିଯିବ’ ନ୍ୟାୟରେ ଦଳସହ ରହିଲେ। ଅନ୍ୟପକ୍ଷରେ, ଅଶୋକଙ୍କ ପ୍ରାର୍ଥିତ୍ୱ କିନ୍ତୁ ବିଜେପିକୁ ଉଠାଇପାରିଲା ନାହିଁ। ଅବଶ୍ୟ, ଅଶୋକଙ୍କ ଅପେକ୍ଷା ମୂଳ ବିଜେପିରୁ ଉତ୍ତମ ପ୍ରାର୍ଥୀ ଦଳ ପାଇପାରିଥା’ନ୍ତା ନା ନାହିଁ ସେ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହୁଛି।

ଏହି ଉପନିର୍ବାଚନ ଗୋଟିଏ କଥାକୁ ପ୍ରମାଣ କରୁଛି। ନିର୍ବାଚନ ଜିତିବା ପାଇଁ ସବୁ କଳାକୌଶଳ ମଧ୍ୟରୁ ବିଜେଡି କୌଣସି ଗୋଟିଏକୁ ମଧ୍ୟ ହାତଛଡ଼ା କରିନାହିଁ। ପରିହାସ ଛଳରେ ଲୋକେ ଆଲୋଚନା କରନ୍ତି, ନିର୍ବାଚନ କିପରି ଜିଣିବାକୁ ହୁଏ, ତାହା ଓଡ଼ିଶାରେ ବିଜେଡି ନେତାଙ୍କଠାରୁ ଆଉ ଅଧିକ କିଏ ଜାଣିଛି? ରୀତାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣାଠାରୁ ଆରମ୍ଭ କରି କିଛି ମନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ ବ୍ଲକ ଦାୟିତ୍ୱରେ ରଖି ଛୋଟ ଛୋଟ ସମସ୍ୟା ସମାଧାନ କରିବା ସହ ବଡ଼ ପ୍ରକଳ୍ପ ଘୋଷଣା ବିଜେଡିର ବ୍ୟବସ୍ଥିତ ରଣନୀତିକୁ ସୂଚାଏ। ନବୀନଙ୍କ ଜନପ୍ରିୟତା ଓ ଗ୍ରହଣୀୟତା ସାଙ୍ଗକୁ ଦଳର ଅର୍ଥବଳ, ନେତାଙ୍କ ବାହୁବଳ -ଏ ସବୁର ସମଷ୍ଟି ଆଗରେ ବିଜେପି ଫିକା ଲାଗିଲା। ରାଜ୍ୟରେ ବିଜେପିର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେ ଏବେ ମଧ୍ୟ ରାଜ୍ୟବାସୀ ଗ୍ରହଣ କରିବାକୁ ବାକି ଅଛି ତାହା ମଧ୍ୟ ଏହି ଉପନିର୍ବାଚନରେ ପ୍ରମାଣିତ ହେଲା।

ତିନୋଟି ଯାକ ପ୍ରମୁଖ ଦଳର ପ୍ରଚାରର ଅଗ୍ର ଭାଗରେ କିଏସବୁ ରହୁଥିଲେ ତା’ଉପରେ ଆଖି ବୁଲାଇଲେ ବିଜେଡିର ରଣକୌଶଳ ହିଁ ଅଧିକ ପରିପକ୍ୱ ମନେହୁଏ। ଉଭୟ ବିଜେପି ଓ କଂଗ୍ରେସରେ ଏ ନେଇ ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିଥିବା ବେଳେ ବିଜେଡି ଅତ୍ୟନ୍ତ ଚତୁରତାର ସହ ତାକୁ ଏଡ଼ାଇ ଦେଇପାରିଲା। ପଶ୍ଚିମ ଓଡ଼ିଶାରେ ବଡ଼ବଡ଼ କଂଗ୍ରେସ ନେତା ଥାଉଥାଉ ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଙ୍କୁ ପ୍ରଚାର ଅଗ୍ରଭାଗରେ ରଖିବା ଦ୍ୱାରା ଅନ୍ୟମାନେ କେହି ଧରାଛୁଅାଁ ଦେଲେନାହିଁ। ସେହିପରି ରାଜ୍ୟରେ ଆଗଧାଡ଼ିର ଅଧିକାଂଶ ବିଜେପି ନେତା ମଧ୍ୟ ପଶ୍ଚିମ ଓଡ଼ିଶାର ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ ପ୍ରାନ୍ତରର ଲୋକଙ୍କୁ ଅଗ୍ରାଧିକାର ଦେବା ଦ୍ୱାରା ଅବିକଳ କଂଗ୍ରେସ ଭଳି ନହେଲେ ବି ପ୍ରଚାରରେ ଆନ୍ତରିକତାର ବେଶ କିଛି ଅଭାବ ରହିଲା। ଅନ୍ୟପକ୍ଷରେ ଏହି ସ୍ପର୍ଶକାତର ଦିଗକୁ ବିଜେଡି ଅତ୍ୟନ୍ତ ସତର୍କତାର ସହ ଦୃଷ୍ଟି ଦେଲା। ପଶ୍ଚିମ ଓଡ଼ିଶାର ତିନି ମନ୍ତ୍ରୀଙ୍କୁ ତିନି ବ୍ଲକର ଦାୟିତ୍ୱରେ ରଖିବା ସହ ଭୁବନେଶ୍ୱରରୁ ଆସିଥିବା ମନ୍ତ୍ରୀ ଓ ନେତାଙ୍କୁ ପ୍ରଚ୍ଛଦପଟ୍ଟରେ ରଖି ବେଶ ଭଲ ଗୋଟିଚାଳନା କଲା। ଦଳରେ ବହୁତ ଭଲ ବକ୍ତା ଥିବାସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ କେବଳ ପଶ୍ଚିମ ଓଡ଼ିଶାର ଦଳୀୟ ନେତାମାନେ ଭାଷଣ ଦେବା ଦ୍ୱାରା ଦଳ ଭିତରେ ଅହେତୁକ କନ୍ଦଳକୁ ରୋକାଯାଇପାରିଲା।

ପଡ଼ା ଗାଁରେ ସଂଘଟିତ ନିର୍ବାଚନୀ ହିଂସାର ପ୍ରଥମ ଘଟଣାରେ ବିଜେଡି ନେତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ ହେବା ସତ୍ତ୍ୱେ ଦଳ ବିଶେଷ ବଦନାମ ହେଲାନାହିଁ। ଅଥଚ ମୁଖ୍ୟମନ୍ତ୍ରୀଙ୍କୁ ଚପଲଫିଙ୍ଗା, ସୋହେଲା ବନାବିରାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଓ ସହଯୋଗୀଙ୍କୁ ଗୁଳିମାଡ଼ ଘଟଣାରେ ପ୍ରକୃତ ଅଭିଯୁକ୍ତଙ୍କ ନେଇ ସତ୍ୟତା ବିଷୟରେ ଯେତେ ବାଦାନୁବାଦ ହେଉ ନା କହିଁକି ବିଜେପିକୁ ଲୋକେ କାଠଗଡ଼ାରେ ଛିଡ଼ା କରେଇଲେ।

ହାରଜିତର କାରଣକୁ ନେଇ ଯେତେଥର ଅଙ୍କ କଷିଲେ ମଧ୍ୟ ବିଜୟ ବ୍ୟବଧାନ ଏତେ ଅଧିକ ଥିଲା ଯେ ପ୍ରତିଥର ବିଜେଡି ହିଁ ଖୁସି ହେବାର କାରଣ ରହୁଛି। ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସୂତ୍ରରେ ଅଙ୍କ କଷିଲେ ବିଜେପି ଶିବିର ମଧ୍ୟ ନୈରାଶ୍ୟକୁ ପଛକୁ ପେଲିଦେବା ପାଇଁ କାରଣଟିଏ ପାଇଯାଇଛନ୍ତି। ଗତ ଜିଲ୍ଲା ପରିଷଦରେ ଦଳ ପାଇଥିବା ଭୋଟକୁ ନୁହେଁ, ଯଦି ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଥିବା ୩୦,୦୦୧ (୧୮.୦୧%)ଖଣ୍ଡ ଭୋଟ ସହ ଏଥର ଦଳୀୟ ପ୍ରାର୍ଥୀ ପାଇଥିବା ୬୦୯୩୮ (୩୩%) ଖଣ୍ଡ ଭୋଟକୁ ତୁଳନା କରାଯାଏ, ବିଜେପି ନିଜ ସ୍ଥିତିରେ ୧୫% ପ୍ରତିଶତ ଉନ୍ନତି ଆଣିଛନ୍ତି ବୋଲି ବିଚାର କରିବାକୁ ହେବ। ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ସୁବଳ ପାଇଥିବା ୫୩,୨୯୦ ଖଣ୍ଡ ଭୋଟ ମଧ୍ୟରୁ ଅଧିକାଂଶ ତାଙ୍କ ବିଧବା ପତ୍ନୀଙ୍କ ଆଡ଼କୁ ଧ୍ରୁବୀକରଣ ଯୋଗୁଁ ବିଜେଡି ମୋଟ ୧,୦୨,୮୭୧ ଭୋଟ ପାଇପାରିଲା ବୋଲି କହି ନିଜ ମନକୁ ସାନ୍ତ୍ୱନା ଦେବାର ମଧ୍ୟ ଅବକାଶ ବିଜେପି ପାଖରେ ରହୁଛି। ଜିଲ୍ଲା ପରିଷଦରେ ୧ ନମ୍ବର ଥିବାବେଳେ ଏବେ ୨ ନମ୍ବରକୁ ଖସିଗଲା ବୋଲି ଭାବିଲେ ଯେତିକି ହତାଶା ସୃଷ୍ଟିହେବ, ୨୦୧୪ ବିଧାନସଭା ନିର୍ବାଚନରେ ତିନି ନମ୍ବରରୁ ଏବେ ୨ ନମ୍ବରକୁ ଉନ୍ନିତ ହେବା ଉପଲବ୍‌ଧି ହୁଏତ ବିଜେପି ମହଲରେ ସେତିକି ଆଶ୍ୱସ୍ତି ମଧ୍ୟ ସୃଷ୍ଟି କରୁଥିବ।

ବିଜେପୁର ନିର୍ବାଚନର ଫଳାଫଳ ଆଗକୁ ରାଜ୍ୟ ରାଜନୀତିର ପାଣିପାଗକୁ କେତେ ପ୍ରଭାବିତ କରିବ ତାହା ତ ଅଲଗା କଥା। ଏହି ଉପନିର୍ବାଚନର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବ୍ୟବଚ୍ଛେଦ କଲେ ଗୋଟିଏ କଥା କିନ୍ତୁ ଅନାୟାସରେ କହାଯାଇପାରିବ। ଉଭୟ ଦଳ ଏହି ନିର୍ବାଚନକୁ ଏପରି ବ୍ୟୟବହୁଳ କରିଦେଲେ ଯେ ଆଗକୁ ଏହି ନିର୍ବାଚନମଣ୍ଡଳୀରେ ଲଢ଼ିବାକୁ ଲୋକେ ଭୟ କରିବେ।

ହିଂସାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ନେଇ ବେଶ୍‌ ଖୁସି ପ୍ରକଟ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ଵିଟ୍‌ କରି ନିଜ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ବିଜେପୁର ଜନସାଧାରଣଙ୍କ ଅକୁଣ୍ଠ ବିଶ୍ୱାସ ଓ ବିପୁଳ ଭଲ ପାଇବା ବିଜେଡିକୁବିଜୟୀ କରାଇଛି। ଓଡ଼ିଶାର ଜନତାଙ୍କ ହୃଦୟରେ ବିଜେଡି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଶାର ଜନତା ଶାନ୍ତିପ୍ରିୟ। ସେମାନେ ବିରୋଧୀଙ୍କ ହୀନ ରାଜନୀତି ଓ ହିଂସାକୁ ନାକଚ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଏହି ସଫଳତା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ପ୍ରତିଟି ବିଜେଡି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସମର୍ପିତ ଭାବେ ଲୋକଙ୍କ ସେବା ଓ ଓଡ଼ିଶାକୁ ସମୃଦ୍ଧ, ଶକ୍ତିଶାଳୀ କରିବା ପାଇଁ କର୍ତ୍ତବ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ୨୦୧୯ରେ ବିଜେଡି ବହୁତ ଭଲ କରିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର