ଟ୍ରକକୁ ପଛରୁ ପିଟିଲା ବସ୍‌: ୪୦ ଆହତ, ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/ବରଗଡ଼: ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଏକ ବରଯାତ୍ରୀ ବସ୍‌ ପଛପଟୁ ଧକ୍କା ଦେବା ଫଳରେ ୪୦ ଜଣ ବରଯାତ୍ରୀ ଆହତ ହୋଇଥିବା ଜଣା ପଡ଼ିଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇଛି।

ରିପୋର୍ଟ ଅନୁସାରେ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟା ୩୦ ବେଳେ ବରଗଡ଼ରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ପିଙ୍କି ନାମକ ଘରୋଇ ବସ୍‌ (ଓଆର୍‌ ୧୫ପି ୩୫୦୦)ରେ ୪୦ରୁ ଊର୍ଧ୍ଵ ବରଯାତ୍ରୀ ହୀରାକୁଦ ଦାରାସିଂହପଡ଼ାକୁ ଫେରୁଥିଲେ। ସତୀଯୋର ଓ ଗୋଡ଼ଭଗା ମାରୱାଡ଼ି ଧର୍ମଶାଳା ନିକଟରେ ବସ୍‌ଟି ଆଗରେ ଯାଉଥିବା ଏକ ଟ୍ରକ୍‌ (ଏମ୍‌ଏଚ୍‌ ୧୧ ଏମ୍ଭି ୪୨୨୧)କୁ ପଛପଟୁ ଧକ୍କା ଦେଇଥିଲା।

ସମ୍ମୁଖ ପଟୁ ଏକ ହାଇୱା ଗାଡ଼ି ପଶି ଆସିବାରୁ ଟ୍ରକଟି ହଠାତ ବ୍ରେକ୍‌ ମାରିଥିଲା। ଫଳରେ ପଛରେ ଆସୁଥିବା ବସ୍‌ ନିୟନ୍ତ୍ରଣ ରଖି ନପାରି ଟ୍ରକ୍‌ ସହିତ ପିଟି ହୋଇଥିଲା। ଦୁର୍ଘଟଣା ଯୋଗୁଁ ବସ୍‌ ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ବସ୍‌ ସମ୍ମୁଖ ଓ ମଧ୍ୟ ଭାଗରେ ବସିଥିବା ଅଧିକାଂଶ ଯାତ୍ରୀ ଗୁରୁତର ହୋଇଥିବା ଜଣା ପଡ଼ିଛି। ଆହତଙ୍କ ପ୍ରକୃତ ସଂଖ୍ୟା ଜଣା ପଡ଼ି ନଥିଲେ ବି ୨୫ରୁ ଊର୍ଧ୍ଵ ଗୁରୁତରଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି।

ସମ୍ବନ୍ଧିତ ଖବର