ରକ୍ତ ପାଇଁ ହଟହଟା ହେଲେ କର୍କଟ ପୀଡ଼ିତ ଶିଶୁ

ଡାକ୍ତରଙ୍କ ଅସହଯୋଗରୁ ସଂକଟାପନ୍ନ ହେଲା ରୋଗୀର ଜୀବନ

ସମ୍ବଲପୁର: ମାତ୍ର ୨୫୦ ଟଙ୍କା ପାଇଁ ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏକ ଶିଶୁକୁ ବହୁ ସମୟ ଧରି ରକ୍ତ ମିଳି ପାରିଲା ନାହିଁ। ଶିଶୁଟି ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ ଚିହ୍ନଟ ହୋଇ ଆସିଥିବାରୁ ସମସ୍ତ ପ୍ରକାର ଚିକିତ୍ସା ସେବା ମାଗଣାରେ ପାଇବାକୁ ଯୋଗ୍ୟ ହୋଇଥିଲେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀ ଡ୍ୟୁଟିରେ ଥିବା ଡାକ୍ତରଙ୍କ ଅସହଯୋଗ ଯୋଗୁଁ ଶିଶୁଟିକୁ ରକ୍ତ ପାଇଁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଲା। ତା’ର ଗରିବ ପିତାଙ୍କ ନିକଟରେ ଟଙ୍କା ନଥିବାରୁ ସେ ସେ ଆବଶ୍ୟକ ଫି’ ଦେଇ ରକ୍ତ ଆଣିବାକୁ ଅସମର୍ଥ ହୋଇଥିଲେ। ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବହୁ ବିଳମ୍ବରେ ଶିଶୁଟିକୁ ରକ୍ତ ମିଳିଥିଲେ ବି ସେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣା ପଡ଼ିଛି।

ଯୁଯୁମୁରା ବ୍ଲକ ହାତୀବାରିର ନାମମାତ୍ର ଚାଷୀ ପ୍ରଶାନ୍ତ ଝାଙ୍କରଙ୍କ ପୁଅ ଦେବଦତ୍ତ ଝାଙ୍କର (୬) ରକ୍ତ କର୍କଟରେ ପୀଡ଼ିତ। ସେ ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ ଚିହ୍ନଟ ହୋଇ ଗତ ୨ ତାରିଖରେ ସଦର ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କ ହିମୋଗ୍ଲୋବିନର ସ୍ତର ୪.୪ ଗ୍ରାମ ପ୍ରତି ଡେସିଲିଟର୍‌ ଥିଲାବେଳେ ରକ୍ତ ଚଢ଼ାଇ ତାହା ୯.୬ ଜି/ଡିଏଲ୍‌କୁ ଅଣା ଯାଇଥିଲା। ୮ ତାରିଖରେ ତାଙ୍କୁ ସ୍ୱାସ୍ଥ୍ୟ ପୁଣି ବିଗିଡ଼ିବାରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ରେଫର କରା ଯାଇଥିଲା। ଜଣେ ଡାକ୍ତର ତାଙ୍କୁ ନେଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ। କିନ୍ତୁ କୌଣସି କାରଣରୁ ସେମାନେ ସମ୍ବଲପୁର ଫେରି ଆସି ମଙ୍ଗଳବାର ସଂଧ୍ୟାରେ ସମ୍ବଲପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ଏଠାରେ ତାଙ୍କ ହିମୋଗ୍ଲୋବିନ ୨.୨କୁ ଖସି ଯାଇଥିବା ଜଣା ପଡ଼ିଥିଲା। ତୁରନ୍ତ ରକ୍ତ ଆଣିବାକୁ କୁହା ଯାଇଥିଲା। ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ୨୫୦ ଟଙ୍କା ଦେୟ ଲାଗିବ ବୋଲି କୁହା ଯାଇଥିଲା। କିନ୍ତୁ ରୋଗୀ ରାଷ୍ଟ୍ରୀୟ ବାଲ ସୁରକ୍ଷା ଯୋଜନାରୁ ଆସିଥିବା ଜାଣିବା ପରେ ସେମାନେ ଡ୍ୟୁଟିରେ ଥିବା ଡାକ୍ତରଙ୍କଠାରୁ ତାହା ଲେଖାଇ ଆଣିବାକୁ କହିଥିଲେ। କିନ୍ତୁ ଡାକ୍ତର ଜଣକ ମନା କରିଥିଲେ। ଉକ୍ତ ଆମ୍ବୁଲାନ୍‌ସର ଡ୍ରାଇଭର, ହେଲ୍‌ପ ଡେସ୍କରେ ଥିବା କର୍ମଚାରୀମାନେ ବି ଏହା ଲେଖି ଦେବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ହେଲେ ସେ କାହାରି କଥା ଶୁଣି ନଥିଲେ ବୋଲି ରୋଗୀଙ୍କ ଜଣେ ସଂପର୍କୀୟ ଅଭିଯୋଗ କରିଛନ୍ତି। ଶେଷରେ ରାଷ୍ଟ୍ରୀୟ ବାଲ ସୁରକ୍ଷା ଯୋଜନାର ସଂଯୋଜକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବିଳମ୍ବିତ ରାତିରେ ଶିଶୁଟିକୁ ରକ୍ତ ମିଳିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର