ସମ୍ବଲପୁରରେ ରନ୍ଧନ ଗ୍ୟାସ୍‌ ସେବା ବିପର୍ଯ୍ୟସ୍ତ-୨:ଗ୍ରାହକଙ୍କୁ କନ୍ଦାଉଛି ମା’ ତାରିଣୀ ଏଣ୍ଟରପ୍ରାଇଜେସ୍‌

ସମ୍ବଲପୁର: ସମ୍ବଲପୁରର ଏକ ପ୍ରମୁଖ ଗ୍ୟାସ ବିତରଣ ସଂସ୍ଥା ହେଲା ମାଆ ତାରିଣୀ ଏଣ୍ଟରପ୍ରାଇଜେସ୍‌। ଏଚ୍‌ପି ଗ୍ୟାସ କମ୍ପାନିର ଏହି ବିତରକ ସଂସ୍ଥା ଉପରେ ସହରର ୧୨ ହଜାରରୁ ଊର୍ଧ୍ୱ ଗ୍ୟାସ ଉପଭୋକ୍ତା ନିର୍ଭରଶୀଳ। ହେଲେ ପ୍ରତିଥର ସିଲିଣ୍ଡର ରିଫିଲ ପାଇଁ ଏହି ଗ୍ରାହକମାନଙ୍କୁ ନୟାନ୍ତ ହେବାକୁ ପଡ଼େ। ଏଠି ଗ୍ରାହକଙ୍କୁ କେବଳ ଗ୍ୟାସ ବାବଦ ଟଙ୍କା ଓ ପୁରୁଣା ସିଲିଣ୍ଡର ଦେଇଦେଲେ ନୂଆ ସିଲିଣ୍ଡର ମିଳେ ନାହିଁ। ରାସ୍ତାଘାଟରେ ଅପମାନଜନକ ଭାବରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼େ। କି ମହିଳା, କି ବୟସ୍କ ରିଫିଲ ବୁକିଂ କରିଥିବା ଗ୍ରାହକମାନଙ୍କୁ ସକାଳୁ ସକାଳୁ ଖାଲି ସିଲିଣ୍ଡର ନେଇ ପହଞ୍ଚିବାକୁ ପଡ଼େ ଏହାର ଧୁଚୁରାପଡ଼ାସ୍ଥିତ କାର୍ଯ୍ୟାଳୟ ସାମ୍‌ନାକୁ। ସେଠାରେ ରାସ୍ତା କଡ଼ରେ ସିଲିଣ୍ଡର ଧରି ଧାଡ଼ିରେ ଛିଡ଼ା

ହୁଅନ୍ତି ଗ୍ରାହକ। ଦୋକାନ ଖୋଲିବା ପରେ ଆରମ୍ଭ ହୁଏ ବିଲ୍‌ କଟା। ଲମ୍ବା ଧାଡ଼ି ପରେ ନିଜ ପାଳି ଆସିଲେ ଟଙ୍କା ଦେଇ ବିଲ୍‌ କଟାନ୍ତି ଗ୍ରାହକ। ସେଠାରୁ ପୁଣି ବିଲ ଓ ଖାଲି ସିଲିଣ୍ଡର ନେଇ ଧାଆନ୍ତି ୭ କିଲୋମିଟର ଦୂର ସହର ଉପକଣ୍ଠ ପୁଟିବନ୍ଧରେ ଥିବା ସଂସ୍ଥାର ଗୋଦାମକୁ। ଗୋଦାମରେ ଗାଡ଼ି ଆସି ନଥିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼େ। ଗ୍ୟାସ ଗାଡ଼ି ଆସିଥିଲେ ସେଠାରେ ପୁଣି ଖାଲି ସିଲିଣ୍ଡର ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼େ। ପାଳି ଆସିଲେ ଖାଲି ସିଲିଣ୍ଡର ବଦଳାଇ ଭର୍ତି ସିଲିଣ୍ଡର ନେଇ ଘରକୁ ଫେରନ୍ତି ଗ୍ରାହକ। ଗ୍ୟାସ ସିଲିଣ୍ଡରଟିଏ ପାଇବା ପାଇଁ ଗୋଟିଏ ବେଳ ଚାଲିଯାଏ। ବହୁ କର୍ମଜୀବୀ ଗ୍ରାହକଙ୍କୁ ଦିନଟିଏ ଛୁଟି ନେବାକୁ ପଡ଼େ।
ଏହି ଗ୍ୟାସ୍‌ ସଂସ୍ଥାରେ ଯେଉଁମାନେ ଫୋନ କଲ, ଏସ୍‌ଏମଏସ୍‌ ବା ଅନଲାଇନ ରିଫିଲ ବୁକିଂ କରନ୍ତି ସେମାନଙ୍କୁ କେବେ ବି ଆପଣାଛାଏଁ ହୋମ ଡେଲିଭେରି ମିଳେ ନାହିଁ। କିଛି ପରିଚିତ, ପ୍ରତିଷ୍ଠିତ ଗ୍ରାହକଙ୍କ ଘରେ ହିଁ ହୋମ ଡେଲିଭେରି ହୋଇଥାଏ। ଆଉ ଯେଉଁ ଗ୍ରାହକମାନେ ହୋମ ଡେଲିଭେରି ଚାହାନ୍ତି ସେମାନଙ୍କୁ ବୁକିଂ ପରେ ପୁଣି ଥରେ ଯାଇ ଧୁଚୁରାପଡ଼ାସ୍ଥିତ କାର୍ଯ୍ୟାଳୟରେ ଖାତାରେ ଲେଖାଇବାକୁ ପଡ଼େ। ତେବେ ତାହା ବି କେବେ ମିଳିବ ବା ଆଦୌ ମିଳିବ ନାହିଁ କିଛି ଠିକଣା ନାହିଁ। ଅଧାରୁ ଅଧିକ ଅଞ୍ଚଳରେ ଏହି ସଂସ୍ଥାର ଆଦୌ ହୋମ ଡେଲିଭେରି ସୁବିଧା ନାହିଁ। ଯିଏ ବୁକିଂ ପରେ ହୋମ ଡେଲିଭେରି ମିଳିବ ବୋଲି ଅପେକ୍ଷା କରେ ତା ପାଖକୁ ସିଲିଣ୍ଡର ତ ପହଞ୍ଚେ ନାହିଁ, ବେଶ କିଛି ଦିନ ପରେ ବୁକିଂ ବାତିଲ ହୋଇଗଲା ବୋଲି ମେସେଜ ଅବଶ୍ୟ ପହଞ୍ଚେ। ହୋମ ଡେଲିଭେରି କାହିଁକି ଦେଉ ନାହଁ ବୋଲି ପଚାରିଲେ ଲୋକ ନଥିବାର ବାହାନା କରନ୍ତି ସଂସ୍ଥାର କର୍ମଚାରୀମାନେ। ଏପରିକି ଲୋକ ରଖୁନ କାହିଁକି ବୋଲି ପ୍ରଶ୍ନ କଲେ ଆପଣ ଠିକ କରି ଦିଅନ୍ତୁ ଆମେ ରଖିବୁ ବୋଲି ଉତ୍ତର ମିଳେ ଗ୍ରାହକଙ୍କୁ।
ମାଆ ତାରିଣୀ ଗ୍ୟାସ୍‌ ଏଣ୍ଟରପ୍ରାଇଜେସ୍‌ର ସେବା ଖରାପ ତାହା କେବଳ ଗ୍ରାହକଙ୍କ ଅଭିଯୋଗ ଉପରେ ଆଧାରିତ ନୁହେଁ। ଖୋଦ ଗ୍ୟାସ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ ମଧ୍ୟ ଏହି ବିତରକର ସେବାକୁ ସବୁବେଳେ ଅତି ଦୁର୍ବଳ ରେଟିଂ ଦେଇ ଆସିଛି। ଗ୍ରାହକଙ୍କୁ ସିଲିଣ୍ଡର୍‌ ଡେଲିଭରି ଆଧାରରେ ହିଁ ବିତରକଙ୍କ ପ୍ରଦର୍ଶନର ରେଟିଂ କରା ଯାଇଥାଏ। ସେହି ଅନୁଯାୟୀ ତାରିଣୀ ଗ୍ୟାସ୍‌ର ପ୍ରଦର୍ଶନ ବିଗତ ୧୬ଟି କ୍ୱାର୍ଟର୍‌ରେ ଲଗାତାରଭାବେ ଅତି ଦୁର୍ବଳ (ଏକ ତାରକା) ଶ୍ରେଣୀଭୁକ୍ତ ରହିଛି। ଏଚ୍‌ପି ଗ୍ୟାସ୍‌ କମ୍ପାନିର ରେଟିଂ ଅନୁଯାୟୀ ଯେଉଁ ବିତରକ ୨ ଦିନ ମଧ୍ୟରେ ବୁକିଂର ୮୫% ଗ୍ରାହକଙ୍କୁ ସିଲିଣ୍ଡର୍‌ ଡେଲିଭରି ଦେଇଥାଏ ତାହାକୁ ୫ଟି ତାରକା ବା ଉତ୍କଷ୍ଟ (ଏକ୍ସିଲେଣ୍ଟ) ରେଟିଂ ମିଳିଥାଏ। ସେହିପରି ୪ ଦିନ ମଧ୍ୟରେ ୮୫% ଡେଲିଭରି ଦେଲେ ୪ ତାରକା ବା ଭଲ, ୬ ଦିନ ମଧ୍ୟରେ ୮୫% ଡେଲିଭରି ଦେଲେ ୩ ତାରକା ବା ସାଧାରଣ, ୮ ଦିନ ମଧ୍ୟରେ ୮୫% ଡେଲିଭରି ଦେଲେ ୨ ତାରକା ବା ନିମ୍ନ ମାନର ତଥା ୮୫% ଡେଲିଭରି ଦେବାକୁ ୮ ଦିନରୁ ଅଧିକ ସମୟ ନେଲେ ୧ ତାରକା ବା ଅତ୍ୟନ୍ତ ଦୁର୍ବଳ ରେଟିଂ ମିଳିଥାଏ। ଗୋଟିଏ ବର୍ଷକୁ ୪ଟି କ୍ୱାର୍ଟର୍‌ରେ ବିଭକ୍ତ କରାଯାଇ ପ୍ରତି କ୍ୱାର୍ଟର୍‌ (୩ ମାସ)ର ପ୍ରଦର୍ଶନକୁ ଆଧାର କରି ଥରେ ରେଟିଂ କରାଯାଏ। ଏଚ୍‌ପି ଗ୍ୟାସ୍‌ କମ୍ପାନିର ଏହି ରେଟିଂ ଅନୁଯାୟୀ ମା ତାରିଣୀ ଏଜେନ୍‌ସି ୨୦୧୪ ପ୍ରଥମ କ୍ୱାର୍ଟର୍‌ (ଜାନୁଆରିରୁ ମାର୍ଚ ୨୦୧୪))ରୁ ଆରମ୍ଭ କରି ୨୦୧୭ ଶେଷ କ୍ୱାର୍ଟର୍‌ (ଅକ୍ଟୋବର୍‌ରୁ ଡିସେମ୍ବର ୨୦୧୫) ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ ଧରି ପ୍ରତି କ୍ୱାର୍ଟର୍‌ରେ ଲଗାତାରଭାବେ ଗୋଟିଏ ତାରକା ବା ଦୁର୍ବଳ (ପୁଅର୍‌) ରେଟିଂ ପାଇ ଆସିଛି। ଏହା ସତ୍ତ୍ୱେ କମ୍ପାନି ଏହି ସଂସ୍ଥାର ବିତରଣ ଲାଇସନ୍‌ସ ବାତିଲ ନ କରିବା କମ୍ପାନି ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଦୁର୍ବଳ ସେବା ସଂପର୍କରେ ପ୍ରତିକ୍ରିୟାରେ ମାଆ ତାରିଣୀ ଏଣ୍ଟରପ୍ରାଇଜେସର ଅଧିକାରୀ ଶତ୍ରୁଘ୍ନ ପଣ୍ଡା କହନ୍ତି ଆମେ ଗ୍ରାହକଙ୍କୁ ସର୍ବୋତ୍କଷ୍ଟ ସେବା ଯୋଗାଇ ଦେବା ପାଇଁ ସବୁବେଳେ ଉଦ୍ୟମ କରୁଛୁ। ୩୬୫ ଦିନରୁ ୨ ଦିନକୁ ଛାଡ଼ି ଦେଲେ ବାକି ସବୁ ଦିନ କାର୍ଯ୍ୟାଳୟ ଖୋଲା ରହୁଛି। ପ୍ରତି ଦିନେ ଛଡ଼ା ଦିନେ ଜଟଣୀରୁ ଗ୍ୟାସ ଗାଡ଼ି ଆସୁଛି। ପ୍ରତି ଗାଡ଼ିରେ ୩୦୦ଟି ସିଲିଣ୍ଡର ଆସୁଥିବାବେଳେ ସେଥିରୁ ୨୨୦ରୁ ୨୫୦ଟି ଘରୋଇ ସିଲିଣ୍ଡର। ସେଥି ମଧ୍ୟରୁ ପ୍ରାୟ ୧୦୦ଟି ସିଲିଣ୍ଡର ଗ୍ରାହକମାନେ ସିଧାସଳଖ ଆସି ରସିଦ କାଟି ନିଅନ୍ତି। ବାକି ହାରାହାରି ୮୦ରୁ ୧୦୦ଟି ସିଲିଣ୍ଡର ହୋମ ଡେଲିଭେରି ଦିଆଯାଏ। ଏଥି ପାଇଁ ୬ ଜଣ ପିଲା ଅଛନ୍ତି। ୨ ଜଣ ମୋପେଡ୍‌ରେ ଓ ୪ ଜଣ ସାଇକଲରେ ସିଲିଣ୍ଡର ବିତରଣ କରନ୍ତି। ତେବେ ଲୋକ ମିଳୁ ନଥିବାରୁ ଓ ଯେଉଁମାନେ ଅଛନ୍ତି ସେମାନେ ଅନେକ ସମୟରେ ଛୁଟିରେ ରହି ଯାଉଥିବାରୁ ହୋମ ଡେଲିଭେରିରେ କିଛିଟା ସମସ୍ୟା ହେଉଛି ବୋଲି ଶ୍ରୀ ପଣ୍ଡା ସ୍ୱୀକାର କରିଥିଲେ। ଗ୍ରାହକ ଗୋଟିଏ ସ୍ଥାନରେ ବିଲ କଟାଇବା ପରେ ଆଉ ଗୋଟିଏ ସ୍ଥାନରୁ ପୁଣି ସିଲିଣ୍ଡର ସଂଗ୍ରହ କରିବା ସଂପର୍କରେ ପଚାରିବାରୁ ଶ୍ରୀ ପଣ୍ଡା କହିଲେ, ପୁଟିବନ୍ଧରେ କମ୍ପୁଟର ବିଲ ଦେବାରେ ସମସ୍ୟା ହେବାରୁ ଗ୍ରାହକମାନେ ଅଭିଯୋଗ କଲେ। ଫଳରେ ଦୁଇଟି ସ୍ଥାନରେ ବିଲ କଟାଇବାକୁ ଆମେ ବାଧ୍ୟ ହେଉଛୁ। ଏଚ୍‌ପି କମ୍ପାନି ପକ୍ଷରୁ ଦିଆ ଯାଇଥିବା ଷ୍ଟାର୍‌ ରେଟିଂ ସଂପର୍କରେ ପଚାରିବାରୁ ଅତୀତରେ ସେବା ଯୋଗାଇବାରେ କିଛି ଦୁର୍ବଳତା ରହି ଆସିଛି ଯାହା ସୁଧାରିବାକୁ ଆମେ ଉଦ୍ୟମ କରୁଛୁ ବୋଲି ସଂସ୍ଥା ପକ୍ଷରୁ କୁହା ଯାଇଥିଲା।

ସମ୍ବନ୍ଧିତ ଖବର