ସମ୍ବଲପୁର: ଆଭ୍ୟନ୍ତରୀଣ ଗାଁ ନୁହେଁ, ସହରର ମଧ୍ୟସ୍ଥଳ ସାକ୍ଷୀପଡ଼ାରେ ଛିଣ୍ଡା ତାରପୋଲିନରେ ବିତୁଛି ପରିବାରର ଜୀବନ। ପଡ଼ୋସୀଙ୍କ ଭରସାରେ ଦୁଇ ବୁଢୀ, ଦୁଇ ନାବାଳକ କୌଣସି ପ୍ରକାର ବଞ୍ଚିରହିଛନ୍ତି। ଶୀତ ରାତିରେ ସେମାନଙ୍କ ଜୀବନ ଆହୁରି କଷ୍ଟକର ହୋଇ ପଡ଼ୁଛି। ରାସନ କାର୍ଡ, ବାର୍ଧକ୍ୟ ଭତ୍ତା, ଆଧାର କାର୍ଡ ଭଳି ନ୍ୟୁନତମ ପରିଚୟ ପତ୍ର ନଥିବାରୁ ୨ ଟଙ୍କିଆ ଚାଉଳ କିମ୍ବା ଅନ୍ୟ ସରକାରୀ ସୁବିଧା ସେମାନଙ୍କ ପାଇଁ ଅପହଞ୍ଚ ହୋଇଛି। ଘରର ମୁଖିଆ ଡ୍ରାଇଭର ମୁଣ୍ଡାଙ୍କ ୯ ବର୍ଷ ହେଲା ମୃତ୍ୟୁ ପରେ ତାଙ୍କ ପରିବାରର ଏଭଳି ଅବସ୍ଥା ହୋଇଥିବା କହିଛନ୍ତି ଏହି ପଡ଼ାର ମମତା ହେମରମ। ପଡ଼ାବାସୀଙ୍କ ସହାୟତାରେ ଏହି ପରିବାର ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ରେଡକ୍ରସ ସଚିବ ଜୟ ଜର୍ଜ ଘଟଣାସ୍ଥଳ ନିରୀକ୍ଷଣ କରି ରିପୋର୍ଟ ଦାଖଲ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପରିବାରର ବାଦଲ ମୁଣ୍ଡା(୧୪) କହନ୍ତି, ତାଙ୍କ ଘରେ ମା, ବଡ଼ ମା, ନାନୀ ନିନି ମୁଣ୍ଡା(୧୬) ଏବଂ ସାନଭାଇ ପବନ ମୁଣ୍ଡା(୮) ଅଛନ୍ତି। ବାପା ଡ୍ରାଇଭର ମୁଣ୍ଡା ଶ୍ରମିକ କାର୍ଯ୍ୟ କରି ଜୀବନ ନିର୍ବାହ କରୁଥିଲେ। ଅଚାନକ ତାଙ୍କ ମୃତ୍ୟୁ ପରେ ପରିବାରର ଅର୍ଧାହାରରେ ରହିବା ଭଳି ସ୍ଥିତି ଚାଲି ଆସିଥିଲା। ମା ରୁକ୍ମମିଣୀ ମୁଣ୍ଡା(୫୦)ଙ୍କ ମଧ୍ୟ ମାନସିକ ସ୍ଥିତି ଠିକ ନାହିଁ। ଘର ଚଳାଇବା ଦାୟିତ୍ୱ ନାନୀ ନିନି ଏବଂ ବାଦଲ ଉପରେ ପଡ଼ିଥିଲା। ନିନି ବର୍ତ୍ତମାନ ଜଣଙ୍କ ଘରେ ରହି ପାଇଟି କାମ କରୁଛି। ଘର ସ୍ଥିତି ଏଭଳି ଯେ ବର୍ଷାରେ ଘର ଧସି ଗଲା, କୌଣସି ପ୍ରକାର ତାରପୋଲିନ ଜୀବନ କାଟିଲେ। ଅର୍ଥ ଉପାର୍ଜନ କରିବାକୁ କେହି ନାହିଁ। ଯେତେବେଳେ ଯିଏ ଛୋଟ-ଛୋଟ କାମ ଦିଅନ୍ତି, ସେଥିରେ କୌଣସି ପ୍ରକାର ଦି ପଇସା ଆୟ ହେଲେ ମଧ୍ୟ ଏଥିରେ ପେଟ ପୁରେ ନାହିଁ। ପଡ଼ୋସୀଙ୍କ ଯାହାର ଯେତେବେଳେ ସୁବିଧା ହୁଏ ଏହି ପରିବାରକୁ ଦେଇ ଯାଆନ୍ତି। ଘରର ସ୍ଥିତି ଏଭଳି ଯେ ରାନ୍ଧିବାକୁ ବାସନ ମଧ୍ୟ ନାହିଁ। ୨-୩ଟି ମାଟି ପାତ୍ର ରହିଛି। ଘର ଛାଡ଼ି ଚାଲିଗଲେ, କୁକୁର, ଗାଈ ପଶି ଆସିବାର ସମ୍ଭାବନା ଥାଏ।
ତେଣୁ ରାତି ହେଉକି ଦିନ ଘରର ଅନ୍ୟୁନ ଜଣେ ଜଗି ରହନ୍ତି। ଶୀତୁଆ ରାତିରେ ପରିବାରର ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼େ। ବାଦଲ ଏବଂ ନିନି ଅଧାରୁ ପାଠ ଛାଡ଼ିଛନ୍ତି। ନିନି ଜଣଙ୍କ ଘରେ କାମ କରୁଛି। ବାଦଲ ବିଜୁଳି ତାର ବିଛାଇବା କାର୍ଯ୍ୟ ଶିଖୁଛି। ପବନ ମୁଣ୍ଡା ସାକ୍ଷୀ ଗୋପିନାଥ ୟୁପି ସ୍କୁଲରେ ସାକ୍ଷୀପଡ଼ା ସ୍କୁଲରେ ପଡ଼ୁଛି। ରେଡକ୍ରସ ସଚିବ ଜୟ ଜର୍ଜ ପରିବାର ସ୍ଥିତି ଠିକ ନଥିବା କହିଛନ୍ତି। ରୁକ୍ମମିଣୀ ପାଇଁ ବିଧବା ଭତ୍ତା, ରାସନ କାର୍ଡ, ଆଧାର କାର୍ଡ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାରେ ଏମାନଙ୍କୁ ଯୋଡ଼ିବାକୁ ଚେଷ୍ଟା କରାଯିବ।