ଶ୍ୟାମ ଡିଆର୍‌ଆଇର ଓଭରଲୋଡିଂ ମାମଲା:ଟ୍ରକ୍‌ ମାଲିକଙ୍କୁ ଲକ୍ଷେ ୩ ହଜାର ଜରିମାନା

ସମ୍ବଲପୁର:ଶ୍ୟାମ ମେଟାଲିକ୍ସ (ଶ୍ୟାମ୍‌ ଡିଆରଆଇ) କାରଖାନାରୁ ଓଭରଲୋଡ଼ିଂ ମାଲ ପରିବହନ ଘଟଣାରେ ସମ୍ବଲପୁର ଆର୍‌ଟିଓ ସଂପୃକ୍ତ ଟ୍ରକମାଲିକଙ୍କଠାରୁ ୧ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଶନିବାର ଦିନ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଂଗାଲି ବ୍ଲକ୍‌ ପଣ୍ଡଲୋଇସ୍ଥିତ ଶ୍ୟାମ ଡିଆରଆଇ କାରଖାନାରୁ ଆଇରନ ବ୍ଲେଡ ବୋଝେଇ ଟ୍ରକ ରାୟପୁରକୁ ଓଭରଲୋଡିଂ ନେଇ ଯାଉଥିବା ରେଙ୍ଗାଲି ଟ୍ରକ ମାଲିକ ସଂଘକୁ ଖବର ମିଳିଥିଲା। ଗାଡ଼ିଗୁଡିକୁ ପ୍ରଧାନପାଲି ନୂଆ ଟୋଲ ପ୍ଲାଜାଠାରେ ଅଟକାଇ ଯାଞ୍ଚ ପାଇଁ ଆରଟିଓଙ୍କୁ ସୂଚନା ଦିଆଯାଇଥିଲା। ଟ୍ରକ ନଂ ସିଜି୦୪ଡିଇ-୭୭୫୮, ସିଜି୦୪ଡିଏମ-୭୭୫୮, ସିଜି୦୪ଏଚପି-୭୯୫୬, ଓଆର୧୫ପି-୨୧୫୫ ଏବଂ ସିଜି୦୪ଡିବି-୮୦୭୧ଗାଡ଼ିକୁ ଜବତ କରାଯାଇଥିଲା। ଯାଂଚ ବେଳେ କ୍ଷମତାଠାରୁ ପାଖାପାଖି ଦୁଇ ଗୁଣା ସାମଗ୍ରୀ ବୋଝେଇ ହୋଇଥିବା ଜଣାପଡ଼ିଥିଲା। ଏହି ବେଆଇନ କାର୍ଯ୍ୟ ପାଇଁ ଟ୍ରକଗୁଡ଼ିକଠାରୁ ୧ ଲକ୍ଷ ୩ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ଜୋରିମାନା ଦାଖଲ କରିବା ପରେ ଗାଡ଼ିଗୁଡ଼ିକ ଆଜି ଛଡ଼ାଯାଇଥିବା ଆର୍‌ଟିଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଓଭରଲୋଡିଂ ପାଇଁ ଟ୍ରକଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ହେଲେ ଏହି ବେଆଇନ କାମକୁ ପ୍ରୋତ୍ସାହନ ଦେଉଥିବା ଶ୍ୟାମ ମେଟାଲିକ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କର କ୍ଷମତା ନାହିଁ ବୋଲି ଆର୍‌ଟିଓ କହିଛନ୍ତି। ଶ୍ୟାମ ଡିଆର୍‌ଆଇ ଏହି ଅଂଚଳର ଜଂଗଲ ନଷ୍ଟ କରି ଜମି, ଜଳ ବ୍ୟବହାର କରୁଥିବା ବେଳେ ସ୍ଥାନୀୟ ଟ୍ରକ ମାଲିକମାନଙ୍କ ପ୍ରତି ଅବହେଳା କରି ଆସୁଛି। ରାଜ୍ୟ ବାହାରର ଟ୍ରାନ୍‌ସପୋର୍ଟକୁ ନିୟୋଜିତ କରି ଓଭରଲୋଡିଂ ଭଳି ବେନିୟମ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି। ନିୟମିତ ଏଭଳି କାରବାର ଚଲେଇଥିବା ଏହି କାରାଖାନା ରାଜ୍ୟ ରାଜକୋଷକୁ ବ୍ୟାପକ କ୍ଷତି ପହଞ୍ଚାଉଛି। ଶ୍ରମିକଙ୍କ ନିରାପତ୍ତା ପ୍ରତି ଅଣଦେଖା କରୁଥିବା କାରଖାନାରେ ବାରଂବାର ଦୁର୍ଘଟଣା ଘଟୁଛି।

ଦୁର୍ଘଟଣା ଯୋଗୁଁ ଗତ କିଛି ମାସ ମଧ୍ୟରେ ଏଠାକାର ୭ ଜଣ ଶ୍ରମିକ ଓ ଅନ୍ୟ କର୍ମଚାରୀଙ୍କ ଜୀବନ ଯାଇଛି। ଶ୍ରମ ଆଇନର ଖୋଲାଖୋଲି ଉଲ୍ଳଂଘନ କରି ବହୁ ଶ୍ରମିକଙ୍କୁ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରୁଛନ୍ତି। ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଂଚଳରେ ଏହି କାରଖାନା ଜୀବନ୍ତ ବିଦ୍ୟୁତ କେବୁଲ ପୋତିଛି। ଏତେସବୁ ପରେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ପ୍ରଶାସନର ଶ୍ୟାମ ଡିଆର୍‌ଆଇ ପ୍ରୀତିକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର