ମ୍ୟାଚ କରୁନି ଟିପଚିହ୍ନ, ବହୁ ପରିବାର ରାସନରୁ ବଞ୍ଚିତ

ସମ୍ବଲପୁର: ରାସନ ଏବଂ ଆଧାର କାର୍ଡ ଥାଇ ମଧ୍ୟ ଚାଉଳ ଏବଂ କିରୋସିନୀରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। କାହାର ଟିପ ଚିହ୍ନ ମିଶୁନଥିବାବେଳେ ଆଉ କାହାର ରାସନ କାର୍ଡ ସହିତ ଆଧାର କାର୍ଡର ନାଁ ମିଶୁ ନାହିଁ। ଏଥିଯୋଗୁଁ କାହାକୁ ଡିଲର ଫେରାଇ ଦେଇଥିବାବେଳେ ଆଉ କାହାକୁ ଅନ୍ତିମ ଥର ଦେଇଛି, ପରବର୍ତ୍ତୀ ଥର ଦେବ ନାହିଁ ବୋଲି ଧମକ ମିଳିଥିବା କହିଛନ୍ତି ଦେହେରିପାଲି ଗୁଆଲାପଡ଼ାର ମହିଳାମାନେ। ଏହି ପଡ଼ାର ପାର୍ବତୀ ଯାଦବ(୩୫) କହନ୍ତି, ୬ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାର। ମାସକୁ ୨୫ କେଜି ଚାଉଳ ମିଳେ। ଏଥିରୁ ପରିବାରର ପେଟ ପୁରେ। ରାସନ କାର୍ଡ ଏବଂ ଆଧାର କାର୍ଡ ଥାଇ ମଧ୍ୟ ଚଳିତ ଥର ତାଙ୍କୁ ଚାଉଲ ମିଳିନି।

ଆଙ୍ଗୁଠି ଚିହ୍ନ ମ୍ୟାଚ କରୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ସ୍ଥିତି ଅଟେ କୌଶଲ୍ୟା ଯାଦବ, ଲଳିତା ଦେବୀ ଏବଂ ନିରାଶୀ ନାଏକଙ୍କର। ବର୍ଷାଧିକ ସମୟ ହେଲା, ଏମାନେ ଗୋଟିଏ ଡିଲରଙ୍କ ଠାରୁ ରାସନ ନେଉଛନ୍ତି। ମାତ୍ର ଆଙ୍ଗୁଠି ମ୍ୟାଚ କରୁନଥିବା ଦର୍ଶାଇ ଫେରାଇ ଦିଆଯାଇଛି। ଏ ନେଇ ମହାନଗର ନିଗମଙ୍କୁ ଜଣାଇବା ପାଇଁ କୁହାଯାଇଛି। ସୁନ୍ଦରୀ ଦେବୀତ ନିଜ ସମସ୍ୟା କେମିତି ସମସ୍ୟା ସମାଧାନ କରିବେ ଏହାର ବୁଦ୍ଧି ପାଉ ନାହାନ୍ତି। ତାଙ୍କ ରାସନ କାର୍ଡରେ ସୁନ୍ଦରୀ ଦେବୀ ନାଁ ରହିଥିବାବେଳେ ଆଧାର କାର୍ଡରେ ସୋନାଲି ରହିଛି। ଏ ନେଇ ମଧ୍ୟ ତାଙ୍କୁ ମହାନଗର ନିଗମ କାର୍ଯ୍ୟାଳୟକୁ ଯିବାକୁ କୁହାଯାଇଛି। ଅନ୍ୟଦିଗରେ ମହିଳାମାନେ ମହାନଗର ନିଗମ କାର୍ଯ୍ୟାଳୟ ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇନଥିବା ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର