ସ୍ତ୍ରୀ ମାଡ଼ରେ ସ୍ୱାମୀ ମୃତ

ନାକଟିଦେଉଳ: ନାକଟିଦେଉଳ ଥାନା ବାଟଗାଁ ପଞ୍ଚାୟତ କୁଞ୍ଜାମରା ଗାଁର ବକ୍ସିବଜାର ସାହିରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ଟାଂଗିଆ ଚୋଟରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରିଛି। ମୃତକଙ୍କ ନାଁ ବରୁଣ ନାଏକ (୨୨)। ତାଙ୍କ ସ୍ତ୍ରୀ ସବିତା (୨୦) ଏକ ଟାଂଗିଆରେ ସ୍ୱାମୀଙ୍କୁ ପ୍ରହାର କରିଥିଲେ। ସୂଚନା ଅନୁସାରେ ବରୁଣଙ୍କ ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଘୁଣ୍ଟୁରିପଶି ଗାଁରେ। ୪ ମାସ ହେଲା ତାଙ୍କ ଭାଇ ଅରୁଣ ସହ କୁଞ୍ଜାମରା ଗାଁରେ ଗୋପୀ ନାଏକଙ୍କ ପାଖରୁ ୧୫ ହଜାର ଟଙ୍କାରେ ଜାଗା କିଣି ଘର କରି ରହୁଥିଲେ। ଦୁଇ ଭାଇଙ୍କ ମଧ୍ୟରେ ଭାଗବଣ୍ଟା ନେଇ ଗଣ୍ଡଗୋଳ ରହିଥିଲା। ମଂଗଳବାର ଉଭୟଙ୍କ ବାପା-ମା’ ଆସି ଭାଗବଣ୍ଟା କରି ସଂଧ୍ୟାରେ ଫେରି ଯାଇଥିଲେ।

ସଂଧ୍ୟାରେ ବରୁଣ ମଦ ପିଇ ସ୍ତ୍ରୀ ସବିତାଙ୍କ ସହ ଝଗଡ଼ା କରିଥିଲେ। ଏକ ଟାଂଗିଆରେ ହାଣିବା ପାଇଁ ଉଦ୍ୟତ ହେବାରୁ ସବିତା କୌଣସି ପ୍ରକାର ଟାଂଗିଆଟିକୁ ଛଡ଼ାଇ ନେଇ ପାଲଟା ପ୍ରହାର କରିଥିଲେ। ମୁଣ୍ଡରେ ଆଘାତ ହେବାରୁ ଘଟଣାସ୍ଥଳରେ ବରୁଣଙ୍କ ମୃତ୍ୟୁ ହୋଇଥିଲା। ରାତି ୧୧ଟା ସମୟରେ ବରୁଣଙ୍କ ଭାଇ ଘରକୁ ଆସି ଏକଥା ଜାଣିଲା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଶବ ଜବତ କରିଥିବା ବେଳେ ବୁଧବାର ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ଏବଂ ରେଢ଼ାଖୋଲ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ ଅନୁସଂଧାନ କରିଛନ୍ତି। ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତ ମହିଳା ସବିତାଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା କରାଯାଉଛି। ତାଙ୍କ ଦୁଇ ସନ୍ତାନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣା ପଛରେ ଏକାଧିକ କାରଣ ରହିଥିବା ଗାଁରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର