ସମ୍ବଲପୁର: ସ୍ୱାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଥାନାରେ ଅଟକ

କୁଚିଣ୍ଡା: ଉତ୍ତ୍ୟକ୍ତ ସ୍ୱାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକର ଗୋବିନ୍ଦପାଲି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପବିତ୍ର ଦୀପାବଳି ଅବସରରେ ସମଗ୍ର ଦେଶ ସମେତ କୁଚିଣ୍ଡା ବ୍ଲକରେ ଲୋକେ ଦୀପ ଜାଳି ବାଣ ଫୁଟାଉଥିବା ବେଳେ ଆଦିବାସୀ ମହିଳା ଜଣକ ମଦ୍ୟପ ସ୍ୱାମୀର ମାଡ଼ରେ ମରି ଯାଇଛି।

ରିପୋର୍ଟ ଅନୁସାରେ ମହୁଲଛାପଲ ଗାଁରେ ଏହି ଘଟଣା ଘଟିଛି। ଦୀପାବଳି ଅବସରରେ ବୁଧବାର ରାତି ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ରାଜୁ ମାଝୀ (୪୮) ଏବଂ ସ୍ତ୍ରୀ ପ୍ରଭାସିନୀ ମାଝୀଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ଥାନୀୟ ଲୋକଙ୍କ ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ କଳହ ନୂଆ କଥା ନୁହେଁ। ସେମାନେ ଅନେକ ସମୟରେ ଏମିତି ଝଗଡ଼ା କରି ପୁଣି ଏକାଠି ହୁଅନ୍ତି। ହେଲେ ବୁଧବାର ରାତିର ଝଗଡ଼ା ଥିଲା ଭିନ୍ନ ଧରଣର।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭୟଙ୍କର ରୂପ ନେଇଥିଲା। ପ୍ରଭାସିନୀଙ୍କୁ ରାଜୁ କାଠଫାଳିଆ ମାଡ଼ରେ ପିଟିପିଟି ମାରି ଦେଇଥିଲା। ଏହା ପରେ କ’ଣ କରିବ ଭାବି ପାରି ନଥିଲା। ଆଜି ସକାଳୁ ଗାଁ ଲୋକେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଭାସିନୀର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଅଭିଯୁକ୍ତ ରାଜୁକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର