ଶୋକରେ ବୁଡ଼ିଲା ଝାଙ୍କରବାହାଲି : ମୃତ ବାଇକ୍‌ ଆରୋହୀଙ୍କ ପରିଚୟ ମିଳିଲା

ସମ୍ବଲପୁର: ବୁଧବାର ରାତିରେ ସମ୍ବଲପୁର-ଧମା ରାସ୍ତାର ଭତରା ଛକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକଙ୍କ ପରିଚୟ ମିଳିଛି। ମୃତକ ଯୁବକ ଦ୍ୱୟ ହେଲେ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଝାଙ୍କରବାହାଲି ଗ୍ରାମର କମଳାକାନ୍ତ ଭୋଇ(୧୯) ଓ ତାଙ୍କ ସଂପର୍କୀୟ ମହେନ୍ଦ୍ର ଭୋଇ(୨୦)। ଝାଙ୍କରବାହାଲି ଗାଁରେ ସେମାନଙ୍କର ଏକ ସଂପର୍କୀୟ ପରିବାରରେ ବିବାହ ଉତ୍ସବ ଅଛି। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଟ୍ରେନ ଯୋଗେ ସେମାନଙ୍କର ଜଣେ ସଂପର୍କୀୟ ଆସୁଥିଲେ। ତାଙ୍କୁ ଗାଁକୁ ଆଣିବା ପାଇଁ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନକୁ କମଳାକାନ୍ତ ଓ ମହେନ୍ଦ୍ର ରାତି ସାଢ଼େ ୯ଟାରେ ଏକ ବାଇକ୍‌(ଓଡି୧୫କେ-୧୮୧୧)ରେ ଆସୁଥିଲେ।

ଭତରା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ଏହା ପରେ ସେମାନେ ଏକ ଗଛ ପିଟି ହୋଇ ରାସ୍ତା ପାର୍ଶ୍ୱରେ ଖୋଲାଯାଇଥିବା ଡ୍ରେନ୍‌ରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ବୁର୍ଲା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଧନୁପାଲି ପୁଲିସ୍‌ ପରିବାର ଲୋକଙ୍କୁ ଶବ ଉଦ୍ଧାର କରାଯାଇଛି। ଗୁରୁବାର ଅପରାହ୍‌ଣରେ ଏକ ସାଂଗରେ ସେମାନଙ୍କ ଶବଦାହ କରାଯାଇଛି। ବିବାହ ଉତ୍ସବର ଉତ୍ସାହ ଫିକା ପଡ଼ିଯାଇଛି। କମଳାକାନ୍ତ ଓ ମହେନ୍ଦ୍ରଙ୍କ ବିୟୋଗରେ ଝାଙ୍କରବାହାଲି ଗାଁ ଶୋକରେ ବୁଡ଼ି ଯାଇଛି।

ସମ୍ବନ୍ଧିତ ଖବର