ଜଣ୍ଡିସ ବେଳେ ଜନସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନ : ଛୁଟିରେ ଗଲେ ୧୧୨ କର୍ମଚାରୀ

ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି

ସମ୍ବଲପୁର: ଜଣ୍ଡିସ ପୁଣି ସମ୍ବଲପୁରରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ ଜନସ୍ୱାସ୍ଥ୍ୟ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ବୁର୍ଲା, ହୀରାକୁଦ ଓ ସମ୍ବଲପୁରର ୧୧୨ ଜଣ କର୍ମଚାରୀ ଅନିର୍ଦ୍ଧିଷ୍ଟକାଳ ପାଇଁ ଛୁଟିରେ ଯାଇଛନ୍ତି। ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ସହ ସଂପୃକ୍ତ ବୁର୍ଲାର ୨୨ ଜଣ, ହୀରାକୁଦର ୨୦ ଜଣ ଏବଂ ସମ୍ବଲପୁରର ୭୦ ଜଣ କର୍ମଚାରୀ ଛୁଟି ଦରଖାସ୍ତ ଦେଇ ଅଇଁଠାପାଲିରେ ଥିବା ସଂଘର କାର୍ଯ୍ୟାଳୟ ଯାନ୍ତ୍ରିକ ଭବନରେ ବସି ରହିଛନ୍ତି। ସଂଘ ପକ୍ଷରୁ ଏଚ୍‌ଆର୍‌ ଓ ଓ୍ଵାର୍କ ଚାର୍ଜ ଶ୍ରେଣୀର କର୍ମଚାରୀମାନଙ୍କୁ ନିୟମିତ କରିବା, ସିଏଲ୍‌ଆର୍‌, ଡିଏଲ୍‌ଆର୍‌,ଏସଇଏମ୍‌ ଶ୍ରେଣୀର କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ସହ ସରକାରୀ ମାନ୍ୟତା ଦେବା ଆଦି ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଅନେକ ଥର ଦାବିପତ୍ର ଦିଆଯାଇଛି। ରାଜ୍ୟ ସରକାର ପ୍ରତିଶ୍ରୁତି ସତ୍ତ୍ୱେ ଦାବିପୂରଣ ନେଇ ପଦକ୍ଷେପ ନିଆନଯିବାରୁ ସଂଘ ପୂର୍ବ ନିଷ୍ପତ୍ତି ମୁତାବକ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଳାଇଛନ୍ତି। ସଂଘର ରାଜ୍ୟ ଶାଖା ପକ୍ଷରୁ ଭୁବନେଶ୍ୱରରେ ଆନ୍ଦୋଳନ କରାଯାଉଛି। ଅପରପକ୍ଷରେ ସମ୍ବଲପୁରର କର୍ମକାରୀମାନେ ଏଠାରେ ଛୁଟି ନେଇ ଆନ୍ଦୋଳନ କରୁଛନ୍ତି। ସମ୍ବଲପୁରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜନସ୍ୱାସ୍ଥ୍ୟ ବିଭାଗର ଏବେ ମରାମତି କରାଯାଉଛି। ଏଭଳି ସ୍ଥିତିରେ ଜନସ୍ୱାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ବିଭାଗୀୟ ଅଧିକାରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ସମ୍ବଲପୁର: ସମ୍ବଲପୁର ସହରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଦୁଇ ଦିନ ଦେଲେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ରହିଥିଲା। ଶୁକ୍ରବାର ଆସିଥିବା ରକ୍ତ ନମୁନା ପରୀକ୍ଷା ରିପୋର୍ଟରୁ ଆହୁରି ୪ ଜଣ ରୋଗୀଙ୍କ ଆକ୍ରାନ୍ତ ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି। ସହରର ରାସ୍ତା ପାର୍ଶ୍ୱରେ ଥିବା ନାଳିଗୁଡ଼ିକ ଦେଇ ପ୍ରାୟତଃ ପାଣି ପାଇପ ଯାଇଛି। ବହୁ ଜାଗାରେ ନାଳି ଭିତରେ ଦେଇ ମଧ୍ୟ ପାଣି ପାଇପ ନିଆଯାଇଛି। ମହାନଗର ନିଗମ ପକ୍ଷରୁ ନାଳିଗୁଡ଼ିକର ସଫେଇ ଠିକ୍‌ ଭାବେ କରାଯାଉ ନାହିଁ। ନାଳି ଭିତର ଦେଇ ନିଆଯାଇଥିବା ପାଣି ପାଇପ କେତେକ ସ୍ଥାନରେ ଫାଟି ଯାଇଛି। ନାଳି ସଫେଇ ହେଉନଥିବାରୁ କେଉଁଠି ପାଇପ ଫାଟିଛି, ତାହା ଜାଣିବା ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ମୁସ୍କିଲ ହେଉଛି। ଫଳରେ ମରାମତି ପାଇଁ ସମସ୍ୟା ହେଉଥିବା ଜନସ୍ୱାସ୍ଥ୍ୟ କର୍ମଚାରୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର