କାୟା ମେଲାଇଛି ‘କୋରେକ୍ସ’ ବେପାର

n ସାହୁ କଲୋନି ପାଲଟିଛି ପେଣ୍ଠସ୍ଥଳୀ n ନାବାଳକଙ୍କ ଜରିଆରେ ନିଶା କାରବାର n ଲଗାମ ଲଗାଇବାରେ ବିଫଳ ପୁଲିସ

ସମ୍ବଲପୁର: ସମ୍ବଲପୁର ସହରର ଯୁବଗୋଷ୍ଠୀକୁ ବିଗାଡ଼ୁଛି କୋରେକ୍ସ। ସହରର ଗଳିକନ୍ଦି ସବୁଆଡେ ଏହାର ବେପାର ଜମୁଛି। ଏହାର ନିଶାର ମାୟାରେ ଏବେ ଯୁବଗୋଷ୍ଠୀ ବାୟା। ଦୈନିକ ହଜାର ହଜାର ସଂଖ୍ୟାରେ କୋରେକ୍ସ ବୋତଲ ବିକ୍ରି ହେଉଛି। ଲକ୍ଷାଧିକ ଟଙ୍କାର କାରବାର ହେଉଥିବା ଅଭିଯୋଗ ହୋଇଛି। ସ୍ଥିତି ଏଭଳି ଅଟେ ଯେ କେତେବେଳେ ପୋଖରୀ କୂଳ ମାଟିରେ ତ ଆଉ କେତେବେଳେ ଗଛ ଉପରେ କୋରେକ୍ସ ଲୁଚାଇ ବିକ୍ରି କରାଯାଉଛି। ଏହି କାରବାରରେ ଛୋଟ ପିଲାଙ୍କୁ ବି ବ୍ୟବହାର କରାଯାଉଛି। ସମୟ ସମୟରେ ପୁଲିସ ହାତଗଣତି କୋରେକ୍ସ ବିକ୍ରେତାଙ୍କୁ ଧରୁଥିଲେ ମଧ୍ୟ ସମ୍ବଲପୁରର ହୋଲସେଲରେ ବ୍ୟାପକ କାରବାର ଚଲାଇଥିବା ଲୋକଙ୍କ ପାଖରେ ପହଞ୍ଚି ପାରୁନାହି। ଏଥିଯୋଗୁଁ ଏହି କାରବାର ଆହୁରି ବଢିବାରେ ଲାଗିଛି।
ସମ୍ବଲପୁରରେ ବଢୁଥିବା ଅପରାଧର ନୂଆ ନାଁ କୋରେକ୍ସ। ଏଥିଯୋଗୁଁ କେତେବେଳେ ହତ୍ୟାକାଣ୍ଡ କେତେବେଳେ ମରଣାନ୍ତକ ଆକ୍ରମଣ, ଅସଦାଚାରଣ ଭଳି ଗୁରୁତର ଘଟଣା ହେଉଛି। ସେବନକାରୀଙ୍କ ମୁହଁରୁ ଗନ୍ଧ ବାହାରୁନଥିବା ଅଭିଭାବକଙ୍କ ତାଗିଦରୁ ବର୍ତ୍ତିବା ପାଇଁ ଏହା ଯୁବ ପିଢ଼ିଙ୍କ ପସନ୍ଦ ପାଲଟିଛି। ବର୍ଷାଧିକ ସମୟ ହେଲା ସମ୍ବଲପୁରରେ କୋରେକ୍ସ କାରବାର ଆରମ୍ଭ ହୋଇଥିବାବେଳେ ୨୦୧୮ ମସିହାରୁ ଏହାର କାରବାର ସର୍ବାଧିକ ରହିଛି। ପୂର୍ବରୁ ଔଷଧ ଦୋକାନରେ ଏହାର ବିକ୍ରି ହେଉଥିଲା। ମାତ୍ର ଏ ନେଇ ପଦକ୍ଷେପ ଭୟରେ ସହରର ସାହୁ କଲୋନି, ଭୁତାପଡ଼ା ଏବଂ ବାଲିବନ୍ଧା ନିକଟସ୍ଥ ମନ୍ଦିର ସମ୍ମୁଖରେ ଏହାର କାରବାର ସର୍ବାଧିକ ହେଉଛି। ସୁନାପାଲିରେ ରହୁଥିବା କୋରେକ୍ସ ମାଫିଆ ସମ୍ବଲପୁରରେ ହେଉଥିବା କୋରେକ୍ସ କାରବାରର ମୁଖିଆ ସାଜିଛନ୍ତି। ସାହୁକଲୋନିରେ ରହୁଥିବା ଜଣେ କବାଡ଼ି ବ୍ୟବସାୟୀ ଏଥିରେ ସହଯୋଗ କରି ସ୍ବଳ୍ପ ଦିନରେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା କୁହାଯାଉଛି। ସୂତ୍ର ଅନୁସାରେ ରାୟପୁର, ରାଞ୍ଚି, ବ୍ରହ୍ମପୁର, ବରଗଡ଼, ରାଜଗାଙ୍ଗପୁରରୁ କୋରେକ୍ସ ଏହି କଲୋନିକୁ ଆସୁଛି। ଛୋଟ ଶିଶୁ ଏବଂ ମହିଳାମାନେ ବିକ୍ରି କରୁଛନ୍ତି। ପ୍ରତି ବୋତଲ ପିଛା ୮୦ ଟଙ୍କାରେ କ୍ରୟ କରାଯାଇ ୨୦୦ରୁ୩୦୦ ଟଙ୍କାରେ ବିକ୍ରି ହେଉଛି। ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର କହିଛନ୍ତି, ଗୋଟିଏ ବୋତଲରେ ୧୦ ମିଲିଗ୍ରାମ କୋରେକ୍ସ ରହୁଛି। ୫୦ ବୋତଲ ମିଳିଲେହିଁ ଏନଡିପିଏସ ମାମଲା ରୁଜ୍ଜୁ କରାଯାଇ ପାରିବ। ପୂର୍ବରୁ ପେଟିରେ କୋରେକ୍ସ ଆସୁଥିଲା, ଏହାକୁ ଜବତ କରାଯାଇ ଏନଡିପିଏସ ମାମଲା ରୁଜ୍ଜୁ ସହଜ ହେଉଥିଲା। ମାତ୍ର ବର୍ତ୍ତମାନ ମାଫିଆମାନେ ଏହାର ରଣନୀତି ପରିବର୍ତ୍ତନ କରିଛନ୍ତି। କୋରେକ୍ସ ଆସିବା ପରେ ପେଟିରେ ରଖାଯାଉ ନାହିଁ। ବରଂ ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଛନ୍ତି। ଏଥିଯୋଗୁଁ ଆଶାମୁତାବକ କୋରେକ୍ସ ଜବତ ହୋଇ ପାରୁ ନାହିଁ। ମୁଖ୍ୟତଃ ସାହୁ କଲୋନି ସ୍ଥିତ ବନ୍ଧ, ମନ୍ଦିର ସମ୍ମୁଖ ସ୍ଥିତ ଗଛରେ କୋରେକ୍ସ ରଖାଯାଉଛି। କିଛି ଦିନ ପୂର୍ବରୁ ସ୍ବତନ୍ତ୍ର ପୁଲିସ ଦଳ ସାହୁ କଲୋନିର ବନ୍ଧ ଭିତର ମାଟିରୁ ଅନେକ କୋରେକ୍ସ ଜବତ କରିଥିଲା। ସକାଳ ୮ଟାରୁ କୋରେକ୍ସ କ୍ରୟ-ବିକ୍ରୟ ଆରମ୍ଭ ହୋଇଯାଉଥିବାରୁ ଏହି ଅଞ୍ଚଳବାସୀଙ୍କୁ ସର୍ବଦା ସୁରକ୍ଷା ଚିନ୍ତା ଘାରୁଛି। କଥାକଥାକେ ନିଶାଗ୍ରସ୍ତ ଯୁବକମାନେ ଆକ୍ରମଣ କରୁଛନ୍ତି। ମହିଳାମାନଙ୍କ ସ୍ଥିତି ସର୍ବାଧିକ ବିପନ୍ନ ହୋଇ ପଡ଼ିଥିବା କୁହାଯାଉଛି। ନାବାଳକମାନେ କେବଳ କୋରେକ୍ସ ବିକ୍ରି କରୁନାହାନ୍ତି ସେମାନେ ନିଜେ ମଧ୍ୟ ବ୍ୟବହାର କରି ଛୋଟ ସମୟରୁ ପଥଭ୍ରଷ୍ଟ ମଧ୍ୟ ହେଉଛନ୍ତି। ଏଥିପ୍ରତି ପୁଲିସ ଧ୍ୟାନ ନଦେଲେ ପଞ୍ଜାବ ଭଳି ଅବସ୍ଥା ସମ୍ବଲପୁର ଭୋଗିବାର ଆଶଙ୍କା ରହିଛି। ଏସପି ସଞ୍ଜୀବ ଆରୋରା କହିଛନ୍ତି, ସମ୍ବଲପୁରରେ ପ୍ରତିଦିନ କୋରେକ୍ସ ଜବତ ହେଉଛି। କିଛି ଦିନ ପୂର୍ବରୁ ମଧ୍ୟ ସାହୁ କଲୋନିରେ ଚଢାଉ ହୋଇ କୋରେକ୍ସ ଜବତ ହୋଇଥିଲା। ଏଥିପ୍ରତି ପୁଲିସ ସମ୍ପୂର୍ଣ୍ଣ ସତର୍କ ରହିଛି।

ସମ୍ବନ୍ଧିତ ଖବର