ଜଗନ୍ନାଥ କଲୋନିରୁ ଉଦ୍ଧାର ବାଳିକା ‘ଉଜାଲା ହୋମ’ ଗଲା

ସମ୍ବଲପୁର: ସମ୍ବଲପୁରର ଏକ ଘରେ ଘରୋଇ ଚାକରାଣୀଭାବେ କାର୍ଯ୍ୟ କରୁଥିବା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଘୁଡ଼ାର ଗାଁର ଜଣେ ୧୩ ବର୍ଷୀୟ ବାଳିକାକୁ ଅଇଁଠାପାଲି ପୁଲିସ ଉଦ୍ଧାର କରିଛି। ଉକ୍ତ ବାଳିକାର ବଡ଼ ଭଉଣୀର ସୂଚନା ଆଧାରରେ ପୁଲିସ ତାକୁ ଉଦ୍ଧାର କରି ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଚାଇଲ୍‌ଡ ଲାଇନ କର୍ମକର୍ତ୍ତାମାନେ ଝିଅଟିକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ଉପସ୍ଥିତ କରାଇଥିଲେ। ସବୁ କଥା ଶୁଣିଲା ପରେ ଶିଶୁ କଲ୍ୟାଣ ସମିତି ଝିଅଟିକୁ ଭାଲୁପାଲିସ୍ଥିତ ଉଜାଲା ହୋମକୁ ପଠାଇ ଦିଆଯାଇଛି। ଏଥି ସହିତ ଝିଅଟିକୁ ବଲାଙ୍ଗୀରର କୌଣସି ଅନୁଷ୍ଠାନକୁ ସ୍ଥାନାନ୍ତର କରି ତାର ପାଠପଢ଼ା ବ୍ୟବସ୍ଥା କରିବା ପାଇଁ ବଲାଙ୍ଗୀର ଚାଇଲ୍‌ଡ ଲାଇନ ସହ ଯୋଗାଯୋଗ କରାଯାଇଛି।

ପିତା ନଥିବା ଓ ମାଆ ଦାଦନ ଖଟିବାକୁ ଯାଇଥିବାବେଳେ ଉକ୍ତ ଝିଅଟିକୁ ତାର ମାମୁ ଆଣି ଜଗନ୍ନାଥ କଲୋନିସ୍ଥିତ ବ୍ୟାଙ୍କ କର୍ମଚାରୀ ଜୟ ନାରାୟଣ ବେହେରାଙ୍କ ଘରେ ଛାଡ଼ି ଦେଇଥିଲା। ତେବେ ଜୟନାରାୟଣ ତାକୁ କୌଣସି ପାଉଣା ନଦେଇ ମାଡ଼ପିଟ କରୁଥିଲେ ବୋଲି ଝିଅଟି ଶିଶୁ କଲ୍ୟାଣ ସମିତି ଆଗରେ ପ୍ରକାଶ କରିଥିଲା। ତେଣୁ ସମିତିର ଅଧ୍ୟକ୍ଷ ରାମେଶ୍ୱର ପାଢ଼ୀ, ସଦସ୍ୟ ଗିରିଜା ଶଂକର ଶର୍ମା, ସୂର୍ଯ୍ୟ ପାଣିଗ୍ରାହୀ ଏବଂ ଯୋଗୀନ୍ଦ୍ର ପାଟ୍ଟଯୋଶୀ ବିଚାରବିମର୍ଶ କରି ତାକୁ ଅନ୍ୟତ୍ର ରଖାଇବାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର