ପୂର୍ତ୍ତ ବିଭାଗର ପୁଲିସିଆ ପ୍ରେମ:ବିନା ଟଙ୍କାରେ ୧୭ କୋଟିର କାମ

ସମ୍ବଲପୁର: ଟଙ୍କା ନାହିଁ, ତଥାପି କାମ ଚାଲିଛି। ହଜାର ନୁହେଁ, କୋଟି ବାଟରେ ନିର୍ମାଣ କାମ ହୋଇଛି। ସମ୍ବଲପୁର ପୂର୍ତ୍ତ ବିଭାଗ ଗତ କେଇ ମାସ ମଧ୍ୟରେ ଟଙ୍କା ନଥାଇ ମଧ୍ୟ ୧୭ କୋଟିରୁ ବେଶି ଟଙ୍କାର ବିଭିନ୍ନ କାମ ହୋଇଥିବା ଜଣାପଡ଼ିଛି। ଏଥିରୁ କେବଳ ୧୨ କୋଟି ଟଙ୍କାର କୋଠାବାଡ଼ି ଏବଂ ୫ କୋଟିରୁ ଅଧିକ ଟଙ୍କାର ଅନ୍ୟାନ୍ୟ କାମ ହୋଇଥିବା ଜଣାପଡ଼ିଛି। ତେବେ ସବୁଠାରୁ ଅଧିକ କାମ ହୋଇଛି ପୁଲିସ ବିଭାଗର। ପୁଲିସ୍‌ ବିଭାଗର କୋଠାବାଡ଼ି ନିର୍ମାଣ, ମରାମତି ଆଦି ବାବଦକୁ ୫ କୋଟି ଟଙ୍କା ଖର୍ଚ ହୋଇଛି।

ରିଜର୍ଭ ପୁଲିସ୍‌ ଲାଇନରେ ପାଚେରି ନିର୍ମାଣ ଆଦି କାମ ବି ଏଥିରେ ସାମିଲ ରହିଥିବା କୁହାଯାଇଛି। ସେହିପରି ରାଜସ୍ୱ ବିଭାଗର ୨ କୋଟି ଏବଂ ବିଚାର ବିଭାଗର ୧ କୋଟି ଟଙ୍କାର ନିର୍ମାଣ କରିଛି ପୂର୍ତ୍ତ ବିଭାଗ। କୌଣସି ପ୍ରକଳ୍ପର କାମ କରିବା ପୂର୍ବରୁ ପୂର୍ତ୍ତ ବିଭାଗ ପ୍ରଥମେ ସଂପୃକ୍ତ କାର୍ଯ୍ୟର ବ୍ୟୟ ଅଟକଳ ପ୍ରସ୍ତୁତ କରିଥାଏ। ଉକ୍ତ ବ୍ୟୟ ଅଟକଳକୁ ସଂପୃକ୍ତ ବିଭାଗକୁ ପଠାଇଥାଏ। ସଂପୃକ୍ତ ବିଭାଗ ଟଙ୍କା ଜମା କରିବା ପରେ ଟେଣ୍ଡର ଆହ୍ଵାନ କରାଯାଇଥାଏ। ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ଦିଆଯିବା ପରେ ଟେଣ୍ଡର ପାଇଥିବା ଠିକାଦାର/ସଂସ୍ଥା କାମ ଆରମ୍ଭ କରିଥାନ୍ତି।

ହେଲେ ସଂପୃକ୍ତ ବିଭାଗ ଟଙ୍କା ଜମାକରିନଥିବା ସତ୍ତ୍ୱେ ପୂର୍ତ୍ତ ବିଭାଗ ବିଭିନ୍ନ ଠିକାଦାରଙ୍କ ଜରିଆରେ କାମ କରାଇନେବା ଆଶ୍ଚର୍ଯ୍ୟ ଲାଗୁଛି। ପୂର୍ତ୍ତ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପଦାରେ ପଡ଼ି ଯାଇଛି। ପୂର୍ତ୍ତ ବିଭାଗ ନିଜ ମନପସନ୍ଦର ଠିକାଦାରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କାମ ଦେଇଛନ୍ତି। ସଂପୃକ୍ତ ଠିକାଦାରମାନେ ମଧ୍ୟ ବିଲ୍‌ ପାଇଯିବା ନେଇ ଆଶା ରଖି କାମ କରିଛନ୍ତି। ଏବେ କାମ କରିବାର ବହୁ ମାସ ପରେ ମଧ୍ୟ ପ୍ରାପ୍ୟ ନମିଳିବାରୁ ପସ୍ତେଇ ହେଉଛନ୍ତି। ଅପରପକ୍ଷରେ ପୂର୍ତ୍ତ ବିଭାଗ ନିଜେ ଯାଚି କାମ ଦେଇଥିବାରୁ ତାହା ଉନ୍ନତ ମାନର କାମ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ପୁଲିସ୍‌-ପ୍ରଶାସନର ଚାପରେ ଆସି ପୂର୍ତ୍ତ ବିଭାଗ ଏଭଳି କାମ କରିଥିବା କେତେକ କହୁଛନ୍ତି।

ଜନସାଧାରଣଙ୍କ ବ୍ୟବହାରରେ ଆସୁଥିବା ରାସ୍ତା ନିର୍ମାଣ, ମରାମତି ଆଦି କାମ ପାଇଁ ଲୋକେ ବାରଂବାର ଦାବି କରିବା ପରେ ପୂର୍ତ୍ତ ବିଭାଗ ସେତେଟା ତତ୍ପରତା ଦେଖାଇନଥାଏ। ହେଲେ ସରକାରୀ ବାବୁଙ୍କୁ ବେଶ୍‌ ଗୁରୁତ୍ୱ ଦେଉଥିବା ଏହି ଘଟଣାର ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୌରାଂଗ ସାହୁଙ୍କୁ ପଚାରିବାରୁ ସେ କହିଲେ, ଅନେକ କାମ ଅଣଯୋଜନାରେ ହୋଇଥାଏ। କେତେକ ରାସ୍ତା କାମ ବି ଏଭଳି କରାଯାଇଛି। ପୁଲିସ୍‌ ଓ ଅନ୍ୟ ବିଭାଗକୁ ଟଙ୍କା ଜମା କରିବାକୁ ପତ୍ର ଲେଖାଯାଇଛି। ଶିଘ୍ର ଅର୍ଥ ଆସିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର