ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ହତ୍ୟା, କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସମ୍ବଲପୁର: କ୍ଷେତରାଜପୁର ଥାନା ଅନ୍ତର୍ଗତ ଡିଅର ପାର୍କ ଅଞ୍ଚଳରେ ଥିବା ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ ନିର୍ମାଣାଧିନ ଡ୍ରେନ ଭିତରୁ ପୁଲିସ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ମଙ୍ଗଳବାର ରାତି ୮ଟାରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚିଥିଲା। ପରିଚୟ ମିଳି ନଥିବା ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ସଂପୃକ୍ତ ଯୁବକଙ୍କର ମୁହଁ, ପେଟ, ପିଠି ଓ ଅଣ୍ଟାରେ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିବା ୫ଟି ଚିହ୍ନ ଅଛି। ଆକ୍ରମଣ ଓ ହତ୍ୟା ପରେ ଅଭିଯୁକ୍ତମାନେ ଯୁବକର ମୁଣ୍ଡକୁ ଏକ ବଡ଼ ପଥର କଚାଡି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ପୁଲିସ କହିଛି, ବିଗତ ୮ ଘଣ୍ଟା ମଧ୍ୟରେ ହିଁ ଯୁବକକୁ ହତ୍ୟା କରାଯାଇ ଥାଇ ପାରେ।

ଅନ୍ୟପଟରେ ଯୁବକ ପିନ୍ଧିଥିବା ପକେଟରୁ ଏକ କୋରେକସ୍‌ ବୋତଲ, ଗୁଟଖା, ଗଞ୍ଜେଇ ଚିଲମ, ମାଚିସ ଆଦି ମିଳିଛି। ସେହିଭଳି ହତ୍ୟାକାଣ୍ଡ ଘଟଣାର ଅତି ନିକଟରୁ ଛୁରୀର ୨ଟି କଭର ମିଳିଛି।

ଅନ୍ୟପଟରେ ଧନୁପାଲି ଥାନା ଅନ୍ତର୍ଗତ ଚାରଭାଟି ଗାଁର ଜଣେ ଯୁବକ ଗତକାଲି ଠାରୁ ନିଖୋଜ ଥିବା ପରିବାରର ଲୋକେ ଅଭିଯୋଗ ଆଣିଛନ୍ତି। ନିଖୋଜ ଥିବା ପରିବାର ଲୋକଙ୍କୁ ପୁଲିସ ଡାକିଛି।

ସୂଚନାଯୋଗ୍ୟ ସମ୍ବଲପୁର ସହର ଶୀତଲଷଷ୍ଠୀ ପାଇଁ ଏହି ସପ୍ତାହଟି ବ୍ୟସ୍ତ ଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ରବିବାର ରାତି ପ୍ରାୟ ୧୨ଟାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସାମ୍ନା ଦେଇ ଯାଇଥିବା ରାସ୍ତା ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସହର ସାରା ପୁଲିସ ମୁତୟନ ହୋଇଥିବା ବେଳେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଖସିଯାଇଥିଲେ। ଏହି ଘଟଣା ୨ଦିନ ବିତିଯାଇଥିଲେ ମଧ୍ୟ ଅଭିଯକ୍ତମାନଙ୍କୁ ପୁଲିସ ଗିରଫ କରିପାରିନାହିଁ।

ସମ୍ବନ୍ଧିତ ଖବର