କୋର୍ଟରେ ହତ୍ୟା ମାମଲା:ଶୁଣାଣି ଆରମ୍ଭ, ଓକିଲ ଦେଲେନି ଅଭିଯୁକ୍ତ

ସମ୍ବଲପୁର:ପରିବାର ଅଦାଲତରେ ହୋଇଥିବା ସଂଗୀତା ଚୌଧୁରୀ ହତ୍ୟା ମାମଲାର ଶୁଣାଣି ଜିଲ୍ଲା ଦୌରା ଜଜ୍‌ ଏସ୍‌.କେ.ପତିଙ୍କ କୋର୍ଟରେ ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ଦିନ ଆଇନଜୀବୀ ସୁରେନ୍ଦ୍ର ମହାନ୍ତିଙ୍କ ସାକ୍ଷ୍ୟ ନିଆଯାଇଛି। ଆଇନଜୀବୀ ଶ୍ରୀ ମହାନ୍ତି ଘଟଣା ସମୟରେ ପରିବାର ଅଦାଲତ ପରିସରରେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ ନିଆଯାଇଛି। ଏହି ମାମଲାରେ ଅନ୍ୟୁନ ୧୩ ଜଣଙ୍କ ସାକ୍ଷ୍ୟ ନିଆଯିବାର ସମ୍ଭାବନା ରହିଛି। ଅଭିଯୁକ୍ତ ରମେଶ କୁମ୍ଭାର ନିଜ ପକ୍ଷ ରଖିବା ପାଇଁ ଓକିଲ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲା। ସେ ଓକିଲ ଦେଇପାରିବ ନାହିଁ ବୋଲି କହିବାରୁ ସରକାରଙ୍କ ପକ୍ଷରୁ ଆଇନଗତ ସହାୟତା ଯୋଗାଇବା ସ୍ଥିର ହୋଇଥିଲା।

ଅଭିଯୁକ୍ତ ରମେଶ କୁମ୍ଭାରର ପକ୍ଷ ରଖିବା ସରକାରଙ୍କ ପକ୍ଷରୁ ଆଇନଜୀବୀ ସୁବାସ ଚନ୍ଦ୍ର ଦାଶଙ୍କୁ ନିୟୋଜିତ କରାଯାଇଛି। ଆଗାମୀ ଦିନରେ ମୃତ ମହିଳା ସଂଗୀତା ଚୌଧୁରୀଙ୍କ ପିତାମାତା, ଅନ୍ୟ ସଂପର୍କୀୟ, ଘଟଣା ବେଳେ ଉପସ୍ଥିତ କର୍ମଚାରୀ ଓ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ନିଆଯିବ ବୋଲି ଜଣାପଡ଼ିଛି। ଶାସନ ଗଣଦୁଷ୍କର୍ମ ଘଟଣା ଭଳି ଏହି ମାମଲାକୁ ମଧ୍ୟ ସମ୍ବଲପୁର ପୁଲିସ୍‌ ବେଶ୍‌ ଗୁରୁତ୍ୱ ଦେଉଛି। ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇପାରେ ବୋଲି ଚର୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୩ ଅପ୍ରେଲ ୨୦୧୭ରେ ଅଭିଯୁକ୍ତ ରମେଶ କୁମ୍ଭାର ସିନ୍ଦୁରପଙ୍କର ସଂଗୀତା ଚୌଧୁରୀଙ୍କୁ ଧରି ପଳାଇଥିଲା। ସଂଗୀତା ନିଜ ପିତାମାତାଙ୍କ ପାଖକୁ ଚାଲି ଆସିବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଗତ ୨୩ ଅପ୍ରେଲ ଦିନ ନିଜ ପିତାମାତାଙ୍କ ସହ ପରିବାର କୋର୍ଟକୁ ଆସିଥିବା ବେଳେ ସଂଗୀତାକୁ ସେ ନିର୍ମମ ଭାବେ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର