ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା:ବିନା ଅନୁମତିରେ ଚାଲିଛି ଏସ୍‌ଟିପି ନିର୍ମାଣ

ସମ୍ବଲପୁର: ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରି ଚାଲିଛି ନିର୍ମାଣ। ସମ୍ବଲପୁର ସହରର ଭତରାଠାରେ ଚାଲିଥିବା ସ୍ୱେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି)ର କାମ ବନ୍ଦ ରଖିବାକୁ ଗତ ଏପ୍ରିଲ ୫ ତାରିଖରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଜନବସତି ଅଞ୍ଚଳରେ ଏସ୍‌ଟିପି ନିର୍ମାଣ କରା ଯାଉଥିବା ଅଭିଯୋଗ କରି କିଛି ସ୍ଥାନୀୟ ଲୋକେ କରିଥିବା ଆବେଦନର ବିଚାର କରି ହାଇକୋର୍ଟ ଏହି ଅନ୍ତରୀଣ ଆଦେଶ ଦେଇଥିଲେ। ଆଦେଶ ପାଇବା ପରେ ପ୍ରାୟ ଗୋଟିଏ ସପ୍ତାହ କାମ ବନ୍ଦ ରହିଥିଲା। ତେବେ ଏହା ପରେ ପୁଣି କାମ ଆରମ୍ଭ କରା ଯାଇଥିଲା ଓ ୨ ମାସ ଧରି ଜୋରସୋରରେ ଜାରି ରହିଛି। ଇତି ମଧ୍ୟରେ ଏସ୍‌ଟିପି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ତେବେ ବର୍ତମାନ ସୁଦ୍ଧା ଏହାର ନିର୍ମାଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି (କନ୍‌ସେଣ୍ଟ ଟୁ ଏଷ୍ଟାବ୍ଲିସ) ମିଳି ନଥିଲାବେଳେ ଆଶ୍ଚର୍ଯ୍ୟଜନକଭାବେ ବିନା ଅନୁମତିରେ ଏହି ସରକାରୀ କାର୍ଯ୍ୟ କରାଯାଉଛି।

ଗତ ଏପ୍ରିଲ ୫ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନିତ ଶରନ ଏବଂ ବିଚାରପତି ବିଆର୍‌ ଷଡ଼ଙ୍ଗୀ ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତି ଯେ ‘ଆବେଦନକାରୀଙ୍କ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁରର କ୍ଷେତ୍ରୀୟ ଅଧିକାରୀ ଦେଇଥିବା ରିପୋର୍ଟରେ ଏସ୍‌ଟିପି ନିର୍ମାଣ ସ୍ଥଳର ୨୦ ଫୁଟ ଦୂରତା ମଧ୍ୟରେ ଜନବସତି ରହିଛି। ନିକଟରେ ମନ୍ଦିର ଓ ଅନ୍ୟ ନିର୍ମାଣ ରହିଛି। ତେଣୁ ଏହା ଜନସ୍ୱାର୍ଥ ବିରୋଧୀ। ଏହା ଉପରେ ଆଉ ଏକ ସତ୍ୟପାଠ ଦାଖଲ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଓକିଲ ସମୟ ମାଗିଛନ୍ତି। ତେଣୁ ତାଙ୍କ ଅନୁରୋଧରେ ତିନି ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ। କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବାସିକ ସ୍ଥାନରେ ଥିବା ଉକ୍ତ ଏସ୍‌ଟିପି ପ୍ରକଳ୍ପରେ କୌଣସି ନିର୍ମାଣ ପାଇଁ ଅନୁମତି ଦିଆଯାଉ ନାହିଁ। ତେବେ ଯଦି ଅନୁମତି ଥିବା କୌଣସି ଅଣଆବାସିକ ସ୍ଥାନରେ ଏସ୍‌ଟିପି ନିର୍ମାଣ କରାଯିବ ତାହେଲେ ଏହି ଅନ୍ତରୀଣ ରାୟ ସେଥିରେ ବାଧକ ହେବ ନାହିଁ’।

ତେବେ ଏଭଳି ରାୟକୁ ଭିନ୍ନ ଢଙ୍ଗରେ ବ୍ୟାଖ୍ୟା କରିଛନ୍ତି ଓଡ଼ିଶା ଜଳଯୋଗାଣ ଓ ସ୍ୱେରେଜ ବୋର୍ଡର ପ୍ରକଳ୍ପ ଯନ୍ତ୍ରୀ ବିରଂଚି ନାରାୟଣ ଦାସ। ସେ କହିଛନ୍ତି ଯେ ହାଇକୋର୍ଟ ଜନବସତି ନଥିବା କୌଣସି ସ୍ଥାନରେ ନିର୍ମାଣ କଲେ ଆପତ୍ତି ନାହିଁ ବୋଲି କହିଛନ୍ତି। ଆଉ ଯେଉଁଠି ନିର୍ମାଣ ହେଉଛି ସେଠି ଜନବସତି ନାହିଁ। ୨୦ ଫୁଟ ଭିତରେ ଘର ରହିବାର ପ୍ରଶ୍ନ ଉଠୁ ନାହିଁ। କାରଣ ଆମ ପ୍ରକଳ୍ପ ପାଚେରିକୁ ଲାଗି ୪୦ ଫୁଟର ରାସ୍ତା ଓ ଭିତର ପାର୍ଶ୍ୱରେ ୪୦ ଫୁଟ୍‌ର ଖାଲି ସ୍ଥାନ ରହିଛି। ଅର୍ଥାତ ଅତି କମରେ ୮୦ ଫୁଟ ଭିତରେ କୌଣସି ଘର ନାହିଁ। ତେଣୁ ନିର୍ମାଣ ବନ୍ଦ କରାଯାଇ ନାହିଁ। ଏହା ହାଇକୋର୍ଟଙ୍କ ଆଦେଶର ଅମାନ୍ୟ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏହାଛଡ଼ା ଏସ୍‌ଟିପି ସ୍ଥାପନ ପାଇଁ ବର୍ତମାନ ସୁଦ୍ଧା କୌଣସି ଗାଇଡ ଲାଇନ ନିର୍ଧାରିତ ହୋଇ ନାହିଁ ବୋଲି ସେ କହିଛନ୍ତି। ଅପର ପକ୍ଷରେ ବିନା ଅନୁମତିରେ କିଭଳି ନିର୍ମାଣ କରାଗଲା ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଅନୁମତି ମିଳିବାରେ ଅସ୍ୱାଭାବିକ ବିଳମ୍ବ ହୋଇଥିଲା। ସମ୍ବଲପୁରରେ ଉନ୍ନତ ଜ୍ଞାନକୌଶଳରେ ସ୍ୱେରେଜ ପ୍ରକଳ୍ପ ହେଉଥିବାରୁ ଆଦୌ ଗନ୍ଧ ହେବ ନାହିଁ କି ପରିବେଶ ଦୂଷିତ ହେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର