କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ମିଳୁନି ହରିଶ୍ଚନ୍ଦ୍ର ସହାୟତା

ସମ୍ବଲପୁର/ଯୁଯୁମୁରା: ଗରିବ ତଥା ଆର୍ଥିକ ସ୍ବଚ୍ଛଳ ନଥିବା ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କର ଶେଷକୃତ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହରିଶ୍ଚନ୍ଦ୍ର ସହାୟତା ରାଶି ଯୋଜନା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆସୁଥିବା ଏହି ସହାୟତା ରାଶି ସିଧାସଳଖ ସରପଞ୍ଚଙ୍କ ଆକାଉଣ୍ଟକୁ ଆସିବାର ମଧ୍ୟ ନିୟମ ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାର ଲାଭ ମିଳିପାରୁନାହିଁ। ରାଜ୍ୟର ସର୍ବ ପୁରାତନ ହାତିବାରୀ କୁଷ୍ଠାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ଅଭିଯୋଗ ମୁତାବକ, ଏହି ଘଟଣାର ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ ଏଠାରେ ୨୦୧୭ ଜୁଲାଇ ମାସରୁ ଏଯାବତ୍‌ ମୃତ୍ୟୁ ଘଟିଥିବା ଲୋକଙ୍କର ହରିଶ୍ଚନ୍ଦ୍ର ସହାୟତା ରାଶି ମିଳିପାରିନାହିଁ। କୁଷ୍ଠାଶ୍ରମରେ ଥିବା ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ଏହି ଟଙ୍କା କୁଆଡେ ଗାଏବ ହୋଇଯାଉଛି। କନ୍ଧ ରାଇଜରେ ଅନ୍ଧ ରାଜତ୍ବ ନ୍ୟାୟରେ ମୁହଁ ଖୋଲିବାକୁ ସକ୍ଷମ ନଥିବା ଲୋକଙ୍କୁ ମିଳିବାକୁ ଥିବା ଏହି ଟଙ୍କା ବାଟମାରଣା କରିଦିଆଯାଉଥିବା ଅଭିଯୋଗ ହେଉଛି। ଅପରପକ୍ଷେ, ଏହି ଯୋଜନା ଅନ୍ତର୍ଗତ ଶେଷକୃତ୍ୟ ସମ୍ପନ୍ନ ପାଇଁ ଗ୍ରାମାଞ୍ଚଳର ଲୋକଙ୍କୁ ୨ ହଜାର ଟଙ୍କା ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଯୋଗାଇଦେବାର ନିୟମ ରହିଥିବା ବେଳେ କେଉଁ ହିତାଧିକାରୀଙ୍କୁ ୫ଶହ ତ ଆଉ କାହାକୁ ହଜାରେ ତ ଆଉ କାହାକୁ ମୂଳରୁ ଟଙ୍କା ମିଳିପାରିନାହିଁ। ଏନେଇ ବୀରସିଂହଗଡ଼ ସରପଞ୍ଚ ରିଫା ରାଣୀ ବେହେରାଙ୍କୁ ପଚାରିବାରେ ୨୦୧୭ ମାର୍ଚ୍ଚ ୧୦ ତାରିଖରେ ସେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ବେଶ୍‌ କିଛି ମାସ ଯାଏଁ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଦିଆଯାଇଥିବା କହିଥିଲେ। ତେବେ ତାଙ୍କ ପାଖକୁ ପାଣ୍ଠି କମ୍‌ ଆସୁଥିବାରୁ ସମସ୍ତ ଗ୍ରାମରେ ଭାଗବାଣ୍ଟି ଏହି ଟଙ୍କା ଦେବାକୁ ପଡ଼ୁଥିବାରୁ କାହାକୁ ସହାୟତା ରାଶି ମିଳିପାରିନଥିବ ବୋଲି କହିଥିଲେ। ଏନେଇ ଯୁଯୁମୁରା ବ୍ଲକ ଜିପିଓ ହୃଷିକେଶ ହୋତାଙ୍କୁ ପଚାରିବାରେ ପ୍ରତି ଦି ମାସରେ ଗୋଟେ ବିଡିଓ ବଦଳୁଥିବାରୁ ଏଭଳି ଅସୁବିଧା ହେଉଛି ବୋଲି କହିଥିଲେ। ଏହାବାଦ୍‌ ଏଭଳି ସହାୟତା ରାଶି ମିଳିନଥିବା ସମ୍ପର୍କୀତ କୌଣସି ଅଭିଯୋଗ ପୂର୍ବରୁ ତାଙ୍କ ନିକଟକୁ ଆସିନଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି ଶ୍ରୀ ହୋତା କହିଥିଲେ। ସମ୍ବଲପୁର ଭିନ୍ନକ୍ଷମ ପୁନର୍ବାସ ଥଇଥାନ କେନ୍ଦ୍ର ପରିଚାଳକ ରବୀନ୍ଦ୍ର ଶତପଥୀଙ୍କର ଦୃଷ୍ଟି ଆକର୍ଷଣ କରାଯିବାରେ ବିଡିଓ କି ସରପଞ୍ଚ ଚାହିଁଲେ ତୁରନ୍ତ ଅନ୍ତିମ ସଂସ୍କାର ପାଇଁ ଏହି ସହାୟତା ରାଶି ଆଗୁଆ ଦେଇପାରିବେ ବୋଲି କହିଥିଲେ। କିନ୍ତୁ କାହିଁକି ଯୁଯୁମୁରା ବ୍ଲକରେ ଏଭଳି ପରିସ୍ଥିତି ଉପୁଜିଛି ତାହା ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟରୁ ହିଁ ଜଣାପଡ଼ିବ ବୋଲି ‌ଶ୍ରୀ ଶତପଥୀ ମତବ୍ୟକ୍ତ କରିଛନ୍ତି।

ଏସମ୍ପର୍କରେ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ପଚାରିବାରେ ଦୁଃଶାସନ ବେହେରା, ହର ମେହେର, କାଳିଆ ପ୍ରଧାନ ଓ ଦେବାନନ୍ଦ ବାଗ ଶବ ସଂସ୍କାର କରୁଥିବା ଜଣାପଡ଼ିଥିଲା। ତେବେ ସେମାନଙ୍କ ସହ ସମ୍ପର୍କ କରାଯିବାରେ ହରିଶ୍ଚନ୍ଦ୍ର ଟଙ୍କା ମିଳୁନଥିବାରୁ ଦିନ ଦିନ ଧରି ଶବକୁ ଗାଁରେ ପକାଇ ରଖିବାକୁ ପଡ଼ୁଛି। ଶେଷରେ ଜଙ୍ଗଲରେ ନେଇ ପୋତିଦେଉଛୁ ବୋଲି କହିଥିଲେ। ଏସମ୍ପର୍କରେ ଅଧିକ ତଥ୍ୟ ନେବାରେ ଜଣାପଡ଼ିଥିଲା ଯେ, ୨୦୧୭ ମସିହା ଜୁଲାଇ ୩୧ ତାରିଖରୁ ଏଠାରେ ମୃତ୍ୟୁ ହୋଇଥିବା ୨୭ ଜଣ ଅନ୍ତେବାସୀଙ୍କୁ ସହାୟତା ରାଶି ମିଳିନଥିବା ଜଣାପଡ଼ିଥିଲା। ଗତ ୧୨ ତାରିଖରେ ମୃତ୍ୟୁ ଘଟିଥିବା ଅନ୍ତେବାସୀ ଦୁଃଖୁ ବେହେରାଙ୍କର ମଧ୍ୟ ‌ଶେଷକୃତ୍ୟ ପାଇଁ ଟଙ୍କା ମିଳିନଥିବା ଜଣାପଡ଼ିଛି। ୨୦୧୬ ମସିହା ଯାଏଁ ମୃତ ଅନ୍ତେବାସୀଙ୍କ ସଂସ୍କାର କରୁଥିବା ନରେନ୍ଦ୍ର ସେଠ୍‌ଙ୍କୁ ପଚାରିବାରେ ସେ କହିଥିଲେ ଯେ, ୨୦୧୮ ମସିହା ଅଗଷ୍ଟ ମାସରେ ଆରପାରିକୁ ଚାଲିଯାଇଥିବା‌ ପତ୍ନୀ କ୍ଷୀର ସେଠଙ୍କର ହରିଶ୍ଚନ୍ଦ୍ର ସହାୟତା ରାଶି ତାଙ୍କୁ ଏଯାବତ୍‌ ମିଳିନଥିବା କହିଥିଲେ। କୁଷ୍ଠରୋଗୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ‌ବେଳେ ପ୍ରକୃତ ହିତାଧିକାରୀଙ୍କୁ ଏହାର ଫାଇଦା ମିଳିପାରୁନାହିଁ।

ସମ୍ବନ୍ଧିତ ଖବର