୨୫ ଯାଏଁ କଣ୍ଟ, ୩୦ରୁ ଚଢ଼ଉ

ସମ୍ବଲପୁର : ଭାଷା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମ୍ବଲପୁରରେ ଏବେ ଅନ୍ୟ ଭାଷାର ଅଧିକ ବ୍ୟବହାର ସଚେତନ ନାଗରିକଙ୍କୁ ବ୍ୟଥିତ କରୁଛି। ତେବେ ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଓଡ଼ିଆ ଭାଷାର ବ୍ୟବହାର ବାଧ୍ୟତାମୂଳକ କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବେ ତତ୍ପରତା ଦେଖାଇବା ଆରମ୍ଭ କରିଛି। ସମ୍ବଲପୁରର ସବୁ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏପ୍ରିଲ ୨୫ ପର୍ଯ୍ୟନ୍ତ ସମୟ ମିଆଦ ଦିଆଯାଇଛି। ମିଆଦ ପୂରା ପରେ ଯେଉଁ ବ୍ୟବସାୟୀ ଓ ଅନୁଷ୍ଠାନ କର୍ତ୍ତୃପକ୍ଷ କୌଣସି କାରଣରୁ ସେମାନଙ୍କ ନାମଫଳକ ଓଡ଼ିଆରେ ଲେଖି ପାରି ନଥିବେ, ସେମାନଙ୍କ ପାଇଁ ୪ ଦିନ ଅତିରିକ୍ତ ସମୟ ଦିଆଯିବ। ୩୦ ଏପ୍ରିଲରୁ କିନ୍ତୁ ଖିଲାଫକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଜିଲ୍ଲାରେ ନାମଫଳକ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିିବ। ବ୍ୟବସାୟୀମାନେ ଚାହିଁଲେ ଇଂରାଜୀ, ହିନ୍ଦୀ ଆଦି ଯେକୌଣସି ଭାଷାରେ ସେମାନଙ୍କ ପ୍ରତିଷ୍ଠାନର ନାମଫଳକ ଲେଖିପାରିବେ। କିନ୍ତୁ ତା ସହ ଓଡ଼ିଆ ଭାଷାର ନାମଫଳକ ରହିବା ନିହାତି ଜରୁରି ବୋଲି ଜିଲ୍ଲାପାଳ କହିଛନ୍ତି। ରାଜ୍ୟ ସରକାର ଓଡ଼ିଶାରେ ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ପରାମର୍ଶ ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଏ ନେଇ କାର୍ଯ୍ୟ ଆରମ୍‌ କରିସାରିଥିବା ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପ୍ରାୟତଃ ସବୁ କାର୍ଯ୍ୟାଳୟର ଫଳକ ଓଡ଼ିଆ ଓ ଇଂରାଜୀରେ ଲେଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟ କାମରେ ବି ଯଥାସମ୍ଭବ ଅଧିକ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଗତ ସପ୍ତାହରେ ଜିଲ୍ଲାପାଳ ଶ୍ରୀ ବର୍ମା ନିଜ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସ୍ଥାନୀୟ ବ୍ୟବସାୟୀମାନଙ୍କ ଏକ ବୈଠକ ଡାକିଥିଲେ। ଓଡ଼ିଆ ଭାଷାର ବହୁଳ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ସୁନିଶ୍ଚିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ତେବେ ଜିଲ୍ଲା ପ୍ରଶାସନର ଏ ଉଦ୍ୟମ ଜିଲ୍ଲାରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର