ସମ୍ବଲପୁର: ପିକ୍‌ନିକ୍‌ରୁ ଫେରୁଥିବା ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ୨ ମୃତ, ୧୫ ଆହତ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ପିକ୍‌ନିକ୍‌ ସାରି ବସ୍‌ରେ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି। ୨ ଜଣ ଗୁରୁତରଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଅଂଚଳରୁ ଶନିବାର ପିକ୍‌ନିକ୍‌ କରିବାକୁ ବିନୋରୀ ଟ୍ରାଭେଲସ୍‌ ନାଁରେ ଏକ ବସ୍‌ରେ ସମ୍ବଲପୁର ନିକଟସ୍ଥ ହୀରାକୁଦ ଡ୍ୟାମ୍‌କୁ ଯାଇଥିଲେ। ୪୦ ଜଣିଆ ଟିମ୍‌ ପିକ୍‌ନିକ୍‌ ସାରି ଫେରିବା ବାଟରେ ଯୁଯୋମୁରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ହୋଇଛନ୍ତି। ଆହତ ଏବଂ ଗୁରୁତରଙ୍କୁ ୪ଟି ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ସଦର ହସ୍ପିଟାଲକୁ ନିଆଯାଇଛି।

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ରେଢ଼ାଖୋଲ ପାର୍ଶ୍ୱରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇଣ୍ଡିଆନ୍‌ ଅଏଲର ତେଲ ଟ୍ୟାଙ୍କର ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଇଥିଲା। ସମ୍ବଲପୁର-କଟକ ଜାତୀୟ ରାଜପଥ ୫୫ ନମ୍ବରରେ ଘଟିଥିବା ଏହି ଦୁର୍ଘଟଣାରେ ଶୁକ ଦାସ (୪୮) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବାଲିଚନ୍ଦ୍ରପୁର ବ୍ଲକର ଗୋପାଳପୁର ଗାଁର ନିବାସୀ ଅଟନ୍ତି ଶୁକ ଦାସ। ସୂଚନା ମିିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ଅନ୍ୟ ଜଣେ ମୃତ ବ୍ୟକ୍ତିଙ୍କ ବାବଦରେ ସୂଚନା ମିଳି ନାହିଁ।

ସମ୍ବନ୍ଧିତ ଖବର