o ଫୋନ୍ ଜରିଆରେ କାହାକୁ ଏଟିଏମ୍ କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ବୀମା କାଗଜପତ୍ର ସଂପର୍କରେ ତଥ୍ୟ ଦେବେ ନାହିଁ
o କୋଟିକୋଟି ଟଙ୍କା ବା ଡଲାର୍ର ଲଟେରି ଜିତିଥିବା ନେଇ କୌଣସି ଏସ୍ଏମ୍ଏସ୍, ଇମେଲ୍ ବା ଫୋନ୍ ଆସିଲେ ତାକୁ ଏଡ଼ାଇ ଯିବେ
o ମୋବାଇଲ୍ ବା ଇନ୍ବକ୍ସରୁ ଏଭଳି ମେସେଜ୍ ଓ ଲିଙ୍କ୍ ଗୁଡ଼ିକୁ ଡିଲିଟ୍ କରିଦେବେ
o ଅଜଣା ଅର୍ନ୍ତଜାତୀୟ ନମ୍ବରରୁ ଫୋନ୍ ଆସିଲେ ଉଠାଇବେ ନାହିଁ
o ନାମମାତ୍ର ଟଙ୍କା ବିନିମୟରେ ଗାଡ଼ି, ପର୍ଯ୍ୟଟନ ପ୍ୟାକେଜ୍, ଲାପଟପ୍, ଏସି, ଟିଭି ଆଦିର ପ୍ରସ୍ତାବ ଦେଉଥିବା ଅଜଣା ସଂସ୍ଥା ଗୁଡ଼ିକର କଥାରେ ପ୍ରଲୋଭିତ ହେବେ ନାହିଁ
oଏଭଳି ଠକଙ୍କ ସଂପର୍କରେ ଅନ୍ୟକୁ ସଚେତନ କରାଇବେ
o ଏ ସଂପର୍କରେ ସାଇବର୍ ଅପରାଧ ଶାଖା ବା ସ୍ଥାନୀୟ ପୁଲିସ୍କୁ ଜଣାଇବେ
ସମ୍ବଲପୁର: ଇଣ୍ଟର୍ନେଟ୍ର ବ୍ୟବହାର ବଢ଼ିବା ସହ ଅନ୍ଲାଇନ୍ କାରବାର ସାଧାରଣ ମଣିଷର ଦୈନନ୍ଦିନ କାର୍ଯ୍ୟକୁ ଅଧିକ ସହଜ ଓ ଗତିଶୀଳ କରୁଛି। କିନ୍ତୁ ଅନ୍ଲାଇନ୍ କାରବାର ବଢ଼ିବା ସହ ଏହାର ଦୁରୁପଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ଲାଇନ୍ କାରବାର ଜରିଆରେ ସାଧାରଣ ଲୋକଙ୍କୁ ଠକିବା ପାଇଁ ଅସଂଖ୍ୟ ଠକ େଓ୍ଵବ୍ସାଇଟ୍ ଖୋଲିଲାଣି। କେବଳ ସେତିକି ନୁହେଁ, ଅନେକ ବୈଧ େଓ୍ଵବ୍ସାଇଟ୍କୁ ଦେଖାଇ ଠକମାନେ ଗ୍ରାହକଙ୍କୁ ଭିନ୍ନ ଲିଙ୍କ୍ ପ୍ରଦାନ କରି ଠକିବା ଆରମ୍ଭ କରିଛନ୍ତି। ପ୍ରତି ପାଦରେ ସତର୍କ ନହେଲେ ଠକେଇର ଶିକାର ହେବାର ସମ୍ଭାବନା ରହିଛି। କୌଣସି ସଂସ୍ଥା ସହ ଅନ୍ଲାଇନ୍ କାରବାର କଲାବେଳେ ନାମ, ଠିକଣା, ଫୋନ୍ ନମ୍ବର, ଇମେଲ୍ ଠିକଣା ଆଦି ସେମାନଙ୍କ ପାଖରେ ପଞ୍ଜିକୃତ କରିବାକୁ ପଡ଼ୁଛି। ସେମାନଙ୍କ ମଧ୍ୟରୁ କିଛି ସଂସ୍ଥା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (ଡାଟା ବେସ୍)କୁ କିଛି ଅର୍ଥ ବିନିମୟରେ ଠକ ସଂସ୍ଥାମାନଙ୍କୁ ଟେକି ଦେଉଛନ୍ତି। ଠକ ସଂସ୍ଥାମାନେ ସେହି ତଥ୍ୟକୁ ବ୍ୟବହାର କରି ଆପଣଙ୍କୁ ନାନା ଉପାୟରେ ପ୍ରଲୋଭିତ କରି ଆପଣଙ୍କ କଷ୍ଟୋପାର୍ଜିତ ଧନ ଆତ୍ମସାତ କରି ନେଉଛନ୍ତି।
ଅନ୍ଲାଇନ୍ ଠକେଇର ଏତେ କୌଶଳ ବାହାରିଲାଣି ଯେ ଜଣେ ସାଧାରଣ ଲୋକ ଠକଙ୍କୁ ଅବିଶ୍ୱାସ କରିବା କଷ୍ଟକର। ଆପଣଙ୍କୁ ହଠାତ ଏକ ଫୋନ୍ ଆସିବ। ଫୋନ୍ କରିଥିବା ବ୍ୟକ୍ତି ଜଣକ ଆପଣ ଭାରତର କୌଣସି ପର୍ଯ୍ୟଟନ ସ୍ଥଳରେ ଚାରି ରାତି ଓ ୫ ଦିନ ଛୁଟି ବିତାଇବାର ପ୍ୟାକେଜ୍ ପାଇଛନ୍ତି ବୋଲି ଖବର ଦେବ। ତା’ସହ ଆପଣଙ୍କୁ ଗୋଟିଏ ସ୍କୁଟର୍ ବା ଦାମୀ ଲାପ୍ଟପ୍ (ଯାହା ଆପଣଙ୍କ ପସନ୍ଦ) ରିହାତି ଦରରେ ମିଳିବ ବୋଲି କହିବ। ତା’ଖବରର ସତ୍ୟତା ଜାଣିବା ପାଇଁ ଆପଣଙ୍କୁ ଗୋଟିଏ େଓ୍ଵବ୍ସାଇଟ୍ ଖୋଲିବା ନିମନ୍ତେ କହିବ। ଉକ୍ତ ଭ୍ରମଣ େଓ୍ଵବ୍ସାଇଟ୍ରେ ଦେଶ ବିଦେଶର ସମସ୍ତ ପର୍ଯ୍ୟଟନସ୍ଥଳ ସଂପର୍କରେ ସୁନ୍ଦର ଚିତ୍ର ସମ୍ବଳିତ ବିବରଣୀ ଥିବ। ସବୁ ସହରର ଶତାଧିକ ତାରକା ହୋଟେଲର ତଥ୍ୟ ଥିବ। ନାନା ପ୍ରକାରର ଭ୍ରମଣ ପ୍ୟାକେଜ୍ ଓ ତାର ଦର ସଂପର୍କରେ ସୂଚନା ଥିବ। ତହିଁରେ ଗୋଟିଏ ପ୍ୟାକେଜ୍ ଥିବ ଯାହା ଆପଣଙ୍କୁ ଖୁବ୍ ଆକର୍ଷଣୀୟ ଲାଗିବ। ମାତ୍ର ୧୧୮୮୮ ଟଙ୍କାରେ ଆପଣ ବର୍ଷେ ମଧ୍ୟରେ ଦେଶ ଭିତରେ ନିଜର ଯେକୌଣସି ପସନ୍ଦର ପର୍ଯ୍ୟଟନସ୍ଥଳକୁ ଯାଇ ପରିବାର ସହ ୪ ରାତି, ୫ ଦିନ ଛୁଟି କଟାଇ ପାରିବେ। ଆପଣ ଡେବିଟ୍ ବା କ୍ରେଡିଟ୍ କାର୍ଡ ଅଥବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଟଙ୍କା ପଇଠ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଟଙ୍କା ପଇଠ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ୨ ହଜାର ଟଙ୍କାର କ୍ୟାସ୍ ବ୍ୟାକ୍ ମିଳିବ। କିଛି ଦିନ ଭିତରେ ଆପଣଙ୍କ ଠିକଣାରେ ପ୍ରାୟ ୬୦ ହଜାର ଟଙ୍କା ମୂଲ୍ୟ ସ୍କୁଟିର କାଗଜପତ୍ର ବା ଲାପ୍ଟପ୍ ଓ ତା’ସହିତ ଲାପ୍ଟପ୍ ବ୍ୟାଗ୍ର ପାର୍ସଲ୍ ପହଞ୍ଚିବ। ବର୍ଷେ ଭିତରେ ପୁଣି ଆପଣ ନିଜ ଇଚ୍ଛା ଅନୁଯାୟୀ ଯେକୌଣସି ସମୟରେ ଦାମୀ ହୋଟେଲ୍ରେ ଛୁଟି କଟାଇ ପାରିବେ। ଏଭଳି ପ୍ରସ୍ତାବ ପାଇବା ମାତ୍ରେ ଆପଣ କିଛି ସମୟ ପାଇଁ ଲୋଭର ବଶବର୍ତୀ ହେବେ। ଆପଣଙ୍କ ଆଖିରେ ହିମାଳୟ ବୁକୁରେ ବା ଗୋଆର ସମୁଦ୍ର କୂଳରେ ଛୁଟି କଟାଇବାର ଦୃଶ୍ୟ ଭାସି ଉଠିବ। ସ୍କୁଟର୍ ଚଢ଼ିବାକୁ ବା ଦାମିକିଆ ଲାପଟପ୍ ଖୋଲିବାକୁ ମନ ହେବ। କିଛି ସମୟ ପାଇଁ ଆପଣ ସବୁ ଜାଣିଥିଲେ ବି ଠକାମିର ଆଶଂକାକୁ ଭୁଲିଯିବେ। ଆଉ ସେହି ଦୁର୍ବଳ ମୁହୂର୍ତର ଲାଭ ଉଠାଇବ ଫୋନ୍ରେ ଆରପାର୍ଶ୍ୱରେ ଥିବା ଠକ ଜଣକ। ସେ ଆପଣଙ୍କ ଇମେଲ୍ ଠିକଣାକୁ ଏକ ଲିଙ୍କ୍ ପଠାଇ ତୁରନ୍ତ ତା’ନିର୍ଦେଶ ଅନୁଯାୟୀ ପେମେଣ୍ଟ ଗେଟ୍େଓ୍ଵ’ ଖୋଲି ଟଙ୍କା ପଠାଇବାକୁ କହିବ। ୫ ମିନିଟ୍ ମଧ୍ୟରେ ଟଙ୍କା ଜମା ନକଲେ ଲିଙ୍କର ଅବଧି ଶେଷ ହୋଇଯିବ ଓ ଆପଣ ସୁଯୋଗ ହାତଛଡ଼ା କରି ବସିବେ ବୋଲି କହିବ। ଠିକ୍ କଣ, ଭୁଲ୍ କଣ ଆପଣ ସେତିକି ବେଳେ ଭାବି ପାରିବେ ନାହିଁ।
ଘର ଲୋକଙ୍କ ସହ ପରାମର୍ଶ କରିବାକୁ କହିଲେ ସେ ଆପଣଙ୍କୁ ସୁଯୋଗ ନଦେଇ ତୁରନ୍ତ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେବ। ଲୋଭରେ ପଡ଼ି ଆପଣ ଯଦି ଉକ୍ତ ଟଙ୍କା ପଇଠ କରିଦେଲେ ତାହେଲେ ତାହା ଆପଣଙ୍କ ହାତରୁ ଗଲା। ୨୪ ଘଣ୍ଟା ପରେ ଆପଣ କ୍ୟାସ୍ବ୍ୟାକ୍ ନପାଇଲେ ଠକ ଦେଇଥିବା ନମ୍ବରରେ ଫୋନ୍ କରିବେ ହେଲେ ତାକୁ ପାଇବେ ନାହିଁ। େଓ୍ଵବ୍ସାଇଟ୍ରେ ପ୍ରଦତ୍ତ ନମ୍ବରରେ ଫୋନ୍ କଲେ ସେମାନେ ଏଭଳି କୌଣସି କାରବାରକୁ ଅସ୍ୱୀକାର କରିବେ। ଆପଣଙ୍କ ଟଙ୍କା ପାଣିରେ ପଡ଼ିବା ସାର ହେବ। ହେଲେ ଟଙ୍କା ଦେବା ସମୟରେ ଯଦି ଆପଣ ସତର୍କ ହୋଇ ମନା କରିବେ, ତାହେଲେ ଅତି ଭଦ୍ରାମୀର ସହ କଥା ହେଉଥିବା ଉକ୍ତ ଠକ ହଠାତ ନିଜ ସ୍ୱର ବଦଳାଇ ଆପଣଙ୍କୁ ଗାଳି ଦେବାକୁ ବି ପଛାଇବ ନାହିଁ।
ଏହା ଗୋଟିଏ ପ୍ରକାର ଠକେଇର ଉଦାହରଣ। ଏଭଳି ଶହଶହ ପ୍ରକାର ଠକେଇ ଏବେ ସାମ୍ନାକୁ ଆସୁଛି। ଦେଖି ନଥିବା, ଚିହ୍ନି ନଥିବା ଅଜଣା ବ୍ୟକ୍ତିମାନେ କେବଳ ପ୍ରଲୋଭନର ବଶବର୍ତୀ କରାଇ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି। କିଛି ଦିନ ତଳେ ଲଟେରି ନାଁରେ ଠକେଇର ଏକାଧିକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଲଟେରିରେ ଦାମୀ ଗାଡ଼ି ଜିତିଥିବାର ଲୋଭ ଦେଖାଇ ବିହାର ଅଞ୍ଚଳର ଠକ ର୍ୟାକେଟ୍ ଗୁଡ଼ିକ ସାଧାରଣ ଲୋକଙ୍କଠାରୁ କାଗଜପତ୍ର ଓ ଅନ୍ୟ ଔପଚାରିକତା ବାବଦକୁ ହଜାର ହଜାର ଟଙ୍କା ଲୁଟି ନେଉଥିବା ସମସ୍ତ ତଥ୍ୟ ପ୍ରମାଣ ଦିଆ ଯାଇଥିଲା। ଅତୀତରେ ଆଇଆର୍ଡିଏ, ବିଭିନ୍ନ ବ୍ୟାଙ୍କ୍ ଓ ବୀମା କମ୍ପାନି ନାମରେ ତଥ୍ୟ ଯାଞ୍ଚ କରିବାର ଆଳ ଦେଖାଇ ଆପଣଙ୍କ ଆକାଉଣ୍ଟ ଓ ବୀମା କାଗଜପତ୍ର ସଂପର୍କିତ ତଥ୍ୟ ନେଇ ଠକମାନେ ସମସ୍ତ ଟଙ୍କା ଲୁଟି ନେବା ସଂପର୍କରେ ମଧ୍ୟ ବହୁ ଖବର ପ୍ରକାଶିତ ହୋଇଛି। ବର୍ଷେ ମଧ୍ୟରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୦୦ରୁ ଅଧିକ ଏଭଳି ଠକେଇ ଘଟଣା ସାମ୍ନାକୁ ଆସିଛି। ଅନଲାଇନ୍ ଠକେଇ ଅଭିଯୋଗରେ ନାଇଜେରିଆର ଏକ ର୍ୟାକେଟ୍କୁ ବରଗଡ଼ ପୁଲିସ ଧରିଥିଲା। ତେବେ ଏଭଳି କ୍ୱଚିତ ହେଉଥିଲାବେଳେ ଅଧିକାଂଶ କ୍ଷେତ୍ରରେ ବାହାର ଅଞ୍ଚଳର ସାଇବର ଅପରାଧୀ ଧରା ପଡ଼ୁ ନାହାନ୍ତି।